ଜାତି ଜନଗଣନା ପଛରେ ନୀତି ନା ରାଜନୀତି?

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି। ଜାତି ଜନଗଣନା କରିବେ ସରକାର। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶରେ ଜାତିଭିତ୍ତିକ ଜନଗଣନା ହେବ। ପରବର୍ତ୍ତୀ ଜନଗଣନାରେ ଜାତିକୁ ସାମଲ୍ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହ ନିଷ୍ପତ୍ତି ହୋଇଛି। କ୍ୟାବିନେଟର ଏହି ନିଷ୍ପତ୍ତିକୁ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିବା ବେଳେ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି। ଅଶ୍ୱିନୀ କହିଛନ୍ତି ଯେ, କଂଗ୍ରେସ ସବୁବେଳେ ଭୋଟବ୍ୟାଙ୍କ ଲାଗି ଜାତିକୁ ବ୍ୟବହାର କରିଆସୁଛି। ୨୦୧୦ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଜାତି ଜନଗଣନା କରିବା ନେଇ କ୍ୟାବିନେଟ୍ ଡାକିବାକୁ ଲୋକସଭାରେ କଥା ଦେଇଥିଲେ। ଅଧିକାଂଶ ଦଳ ବି ଜାତି ଜନଗଣନା ସପକ୍ଷରେ ସୁପାରିଶ କରିଥିଲେ। ଏହା ସତ୍ତ୍ୱେ କଂଗ୍ରେସ ସରକାର ଜାତି ଜନଗଣନା ବଦଳରେ କେବଳ ସର୍ଭେ କରିବାକୁ ନିଷ୍ପତ୍ତି ନେଇଥିଲେ ଏଥିରୁ ବୁଝାପଡ଼ିଥିଲା ଯେ, କଂଗ୍ରେସ ଓ ତାଙ୍କ ସହଯୋଗୀ ଦଳ ଜାତି ଜନଗଣନାକୁ କେବଳ ଏକ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରିଥିଲା। ଅନେକ ରାଜ୍ୟର ଖାମଖିଆଲି ସର୍ଭେକ୍ଷଣରୁ ସମାଜରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏଥିଲାଗି ଯେ, ରାଜନୀତିରୁ ସାମାଜିକ ସଦ୍ଭାବନା ଯେଭଳି କ୍ଷୁର୍ଣ୍ଣ ନ ହେବ। ଅମିତ ଶାହା କହିଛନ୍ତି, ସାମାଜିକ ନ୍ୟାୟ ଲାଗି ଏହା ମୋଦି ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଅଲ୍‌ ଇଣ୍ଡିଆ ଓବିସି ଛାତ୍ର ସଂଘ ବି କେନ୍ଦ୍ର ସରକାରଙ୍କୁ ଏ ନେଇ କୃତଜ୍ଞତା ଜଣାଇଛି। ୧୯୫୧ରୁ ପ୍ରତି ୧୦ ବର୍ଷ ଅନ୍ତରରେ ଜାତି ଜନଗଣନା ହେଉଥିଲା। କିନ୍ତୁ ୨୦୨୧ରେ କରୋନା ମହାମାରୀ ପାଇଁ ଏହା ହୋଇପାରିନଥିଲା। ବିରୋଧୀ ଦଳ ସବୁବେଳେ ଜାତି ଜନଗଣନା ଲାଗି ଦାବି କରିଆସୁଛି। ଜାତି ଜନଗଣନା ହେଲେ ପଛୁଆ ବର୍ଗଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ ବୋଲି ଦାବି କରିଆସୁଥିଲେ ବିରୋଧୀ। ୨୦୧୧ ଶେଷ ଜନଗଣନା ଥିଲା। ଏହି ଅନୁସାରେ ଭାରତର ଜନସଂଖ୍ୟା ଥିଲା ୧୨୧ କୋଟି। କେନ୍ଦ୍ର ସରକାର ଜାତି ଜନଗଣନା ଲାଗି ଘୋଷଣା କରିବା ପରେ ଲାଲୁ ଯାଦବ କହିଛନ୍ତି, ଯାହାକୁ ସେ ୩୦ ବର୍ଷ ହେଲା ଭାବୁଥିଲେ, ମୋଦି ସରକାର ୩ ଦଶକ ପରେ ଏହାର ଅନୁକରଣ କଲେ। ତେଜସ୍ୱୀ କହିଛନ୍ତି, ୩୦ ବର୍ଷର ପୁରୁଣା ଦାବି ଥିଲା। ଏହା ସମାଜବାଦ ଚିନ୍ତାଧାରା ଓ ଲାଲୁଙ୍କ ଜିତ୍ ଅଟେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ଜାତି ଜନଗଣନା ନେଇ ଦୀର୍ଘଦିନର ଦାବି ପୂରଣ ହେଲା। ଜାତି ଜନଗଣନା କଲେ ବିଭିନ୍ନ ବର୍ଗର ସଂଖ୍ୟା ଜଣାପଡ଼ିବ। ଏମାନଙ୍କ ଉତଥାନ ଓ ବିକାଶ ଲାଗି ଯୋଜନା କରିବା ବେଳେ ଏହା ସହାୟକ ସାଜିବ। ଦେଶର ବିକାଶକୁ ଗତି ମିଳିବ ବୋଲି କହିଛନ୍ତି ନୀତିଶ କୁମାର। ବିରୋଧୀ ଦଳ ରାହୁଲ ଗାନ୍ଧୀ କହିଛନ୍ତି, ଜାତି ଜନଗଣନା ଦାବି ସତ୍ତ୍ୱେ ମୋଦି ସରକାର ଏହାକୁ ନାନା ଆଳ ନେଇ ଟାଳି ଆସୁଥିଲେ। ବିହାର ନିର୍ବାଚନ ପୂର୍ବରୁ ଅଚାନକ ମନେ ପଡ଼ିଗଲା। କଂଗ୍ରେସ କହିଛି, ଜାତି ଜନଗଣନା କରିବାକୁ କେନ୍ଦ୍ର ଉପରେ ରାହୁଲଙ୍କ ଘନ ଘନ ଚାପରୁ ଏହା ହୋଇପାରିଲା। ଜାତି ଜନଗଣନା କରାଇବ କେନ୍ଦ୍ର। ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି। ତେବେ ଏହା ପଛରେ ନୀତି ନା ରାଜନୀତି ବେଶୀ ଅଛି, ତାକୁ ନେଇ ଆରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *