ବନ୍ଦ ହେଲା ଯୁଦ୍ଧ। ଭାରତ-ପାକିସ୍ତାନ ଭିତରେ ଚାଲିଥିବା ଅଘୋଷିତ ଯୁଦ୍ଧରେ ଲାଗିଲା ବ୍ରେକ୍। ଆଜି ସଂଧ୍ୟା ୫ଟାରୁ ଯୁଦ୍ଧ ବିରାମ ଲାଗୁ ହୋଇଛି। ପାକିସ୍ତାନ ବିଦେଶ ମନ୍ତ୍ରୀ ତଥା ଉପ-ପ୍ରଧାନମନ୍ତ୍ରୀ ଇସାକ୍ ଡାର୍ ଶାନ୍ତି ଲାଗି ଅପିଲ୍ କରିଥିଲେ। ଯଦି ଭାରତ ଆକ୍ରମଣକୁ ରୋକିଦେବ, ତାହେଲେ ପାକିସ୍ତାନ ଚୁପ୍ ରହିବ ବୋଲି କହିଥିଲେ। ଆଉ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋଙ୍କ ସହ କଥା ହୋଇଥିଲେ ଇସାକ୍। ମାର୍କୋ ରୁବିଓ କହିଛନ୍ତି, ସେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଭାରତ-ପାକିସ୍ତାନ ଉଭୟ ଯୁଦ୍ଧ ବନ୍ଦ ଲାଗି ରାଜି ହୋଇଛନ୍ତି। ଟ୍ୱିଟ୍ ଜରିଆରେ ଟ୍ରମ୍ପ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ସହ ରାତି ତମାମ ଆଲୋଚନା ପରେ ଉଭୟ ଦେଶ ଯୁଦ୍ଧ ବନ୍ଦ ଲାଗି ସହମତି ଜଣାଇଥିଲେ। ଉଭୟ ଦେଶ ଉଚିତ୍ ନିଷ୍ପତ୍ତି ନେଇଥିବାରୁ ଉଭୟ ରାଷ୍ଟ୍ରକୁ ଶୁଭେଛା ଜଣାଇଛନ୍ତି ଟ୍ରମ୍ପ।ଉଭୟ ରାଷ୍ଟ୍ର ଭିତରେ ମେ ୧୨ରେ ଆଲୋଚନା ହେବ। ଦ୍ୱିପ୍ରହର ୧୨ଟା ରେ ବସିବ ବୈଠକ। ଭାରତ ସରକାର ବି ଯୁଦ୍ଧବିରାମ କଥାର ପୁଷ୍ଟି କରିଛନ୍ତି। ଆଜି ଅପରାହ୍ନ ୩ଟା ୩୫ରେ ପାକିସ୍ତାନର ଡିଜିଏମଓ ଭାରତର ଡିଜିଏମଓଙ୍କ ସହ ଆଗ କଥା ହୋଇଥିଲେ। ଆଉ ଯୁଦ୍ଧବିରତି ଲାଗି ଅନୁରୋଧ କରିଥିଲେ। ଯୁଦ୍ଧରୁ କାହାର ଲାଭ ହେଉନି ବୋଲି କହିଥିଲା ପାକିସ୍ତାନ। ମେ ୭ରୁ ଆରମ୍ଭ ହୋଇଥିଲା ଯୁଦ୍ଧ। ୩ଟା ଦିନରେ ଭାରତର ମୁହଁତୋଡ଼ ଜବାବରେ ପାକିସ୍ତାନର ଅଣ୍ଟା ଭାଙ୍ଗିଯାଇଥିଲା। ଉଭୟ ରାଷ୍ଟ୍ର ଭିତରେ ଯୁଦ୍ଧ ସ୍ଥିତିରୁ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ କ୍ଷୟକ୍ଷତି ବି ହୋଇଥିଲା। ଭାରତ ସରକାର ବି ଯେ କୌଣସି ଆତଙ୍କି ଆକ୍ରମଣକୁ ଆକ୍ଟ ଅଫ ଓ୍ୱାରରେ ବିବେଚନା କରିବେ ବୋଲି କଡ଼ା ନିଷ୍ପତ୍ତି ନେଇଥିଲେ ଆଜି।

Naxatra News is now on Whatsapp
Join and get latest news update delivered to you via whatsapp
Join Now