ଜନଗଣନା ଲାଗି ପ୍ରକାଶ ପାଇଛି ଗେଜେଟ୍ ବିଜ୍ଞପ୍ତି। ୨୦୨୭ ମାର୍ଚ୍ଚ ପହିଲାରୁ ଦେଶରେ ଜନଗଣନା ଆରମ୍ଭ ହେବ। ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶା ଜନଗଣନା ନିର୍ଦେଶାଳୟ ତତ୍ପର ହୋଇଉଠିଛି। ୬ ମାସ ଭିତରେ ଓଡ଼ିଶାରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ନିର୍ଦେଶକ। ଜନଗଣନା ଅଧିକାରୀ ଡୋର ଟୁ ଡୋର ବୁଲିବେ। ଲୋକେ ନିଜର ତଥ୍ୟକୁ ଏକାଠି ରଖନ୍ତୁ। ଚଳିତ ଜନଗଣନା ପୁରା ଡିଜିଟାଲ ପ୍ରକ୍ରିୟା ଅର୍ଥାତ୍ ମୋବାଇଲ ଆପ୍ ଜରିଆରେ ହେବ। ଏଥିଲାଗି ନୂଆ ମୋବାଇଲ ଆପ୍ ବି ଆସିବ। ଆଗକୁ ଏ ସନ୍ଦର୍ଭରେ ସରକାର ଓ ଜିଲ୍ଲାପାଳଙ୍କ ବୈଠକ ହେବ। ଅଧକରୁ ଅଧିକ ମାନବସମ୍ୱଳ ନିୟୋଜିତ କରି ଜନଗଣନା ଧାର୍ଯ୍ୟ ସମୟରେ ସାରିବାକୁ ଟାର୍ଗେଟ ରହିଛି ବୋଲି କହିଛନ୍ତି ନିର୍ଦେଶକ ନିଖିଲ ପଓ୍ୱନ କଲ୍ୟାଣ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଜନଗଣନା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ଜାତି ଆଧାରରେ ଜନଗଣନା ହେବ। ଟେକ୍ନୋଲୋଜିର ସହଯୋଗ ନିଆଯିବ। ତାଲିମ ଆରମ୍ଭ ହୋଇଗଲାଣି। ଆଗକୁ ସୀମା ନିର୍ଦ୍ଧାରଣ କରାଯିବ। ସଂସଦରେ ମହିଳାଙ୍କ ସଂରକ୍ଷଣ ଆଇନ ଲାଗି ଡିଲିମିଟେସନ ହେବ। କେନ୍ଦ୍ରର ସବୁଜସଙ୍କେତକୁ ଅପେକ୍ଷା କରାଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କୋଭିଡ୍ ମହାମାରୀ ଲାଗି ୨୦୨୧ରୁ ପ୍ରକ୍ରିୟା ଅଟକି ଥିଲା। ଜାତିଭିତ୍ତିକ ଜନଗଣନା ଦ୍ୱାରା ସରକାରଙ୍କ ବିଭିନ୍ନ ଯୋଜନା ଓ ଲୋକ କଲ୍ୟାଣକାରୀ ଯୋଜନା ସହାୟକ ହୋଇପାରିବ। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଜନଗଣନା ପ୍ରହସନ ନ ସାଜୁ। ଏପ୍ରିଲ ୨୦୨୭ରେ ଜନଗଣନା ଓ ୨୦୨୯ରେ ନିର୍ବାଚନ। ୨୦୨୩-୨୪ରେ ମହିଳା ବିଲ୍ ପାସ୍ କଲେ। କିନ୍ତୁ ଏହାକୁ ଲାଗୁ ନ କରି ୨୦୨୯ରେ ଲାଗୁର ବାହାନା କଲା କେନ୍ଦ୍ର। ଜନଗଣନା ନ ସରୁଣୁ ସୀମା ନିର୍ଧାରଣ କଥା କହି ତୁଛାରେ ବାହାସ୍ଫୋଟ ମାରୁଛନ୍ତି ମନ୍ତ୍ରୀ। ବିଜେପି ଦଳରେ ବିଦ୍ରୋହକୁ ପ୍ରଶମିତ କରିବାକୁ ଆଶାୟୀଙ୍କ ଲାଗି ଏହା ଲଲିପପ୍। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଜାତିଭିତ୍ତିକ ଜନଗଣନା କରିବାକୁ ସରକାରରେ ଥିଲା ବେଳେ ବିଜେଡି ମନା କରୁଥିଲା। ବିଜେପି ବି ଏଡ଼ାଇ ଚାଲିଥିଲା। କିନ୍ତୁ ରାହୁଲ ଗାନ୍ଧୀଙ୍କ ଚାପରେ ବାଧ୍ୟ ହେଲେ ମୋଦି ସରକାର ଜାତିଭିତ୍ତିକ ଜନଗଣନା କରିବାକୁ। ଏହାକୁ ସୂଚାରୂରୁପେ କରିବା ଜରୁରୀ। ଜନଗଣନା ବିଜ୍ଞପ୍ତିକୁ ତାଳ ଦେଇ ଜାତି ଓ ରାଜନୀତିର ତାତି ଜାରି ରହିଛି। ଚଳିତ ଜନଗଣନାରେ ୩୪ଲକ୍ଷ ଜନଗଣନାକାରୀ ଓ ପର୍ଯ୍ୟବେକ୍ଷକ ନିୟୋଜିତ ହେବେ। ସେଭଳି ୧.୩ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତା ଅତ୍ୟାଧୁନିକ ମୋବାଇଲ୍ ଡିଜିଟାଲ ଗ୍ୟାଜେଟ୍ ସହ କାମ କରିବେ। କେନ୍ଦ୍ର ଗୃହମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଦେଶରେ ପ୍ରତି ୧୦ ବର୍ଷରେ ଜନଗଣନା ହୁଏ। ତୁଷାରପାତ ରାଜ୍ୟରେ ୨୦୨୬ ଅକ୍ଟୋବରରେ ଜନଗଣନା ଆରମ୍ଭ ହେବ। ଲଦାଖ, ଜମ୍ମୁକଶ୍ମୀର, ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ୨୦୨୬ ଅକ୍ଟୋବର ୧ରୁ ଜନଗଣନା ଆରମ୍ଭ ହେବ।


Naxatra News is now on Whatsapp
Join and get latest news update delivered to you via whatsapp
Join Now