କୁଆଡ଼େ ଗଲେ ନବଦମ୍ପତ୍ତି। ହନିମୁନକୁ ଯାଇଥିବା ଦମ୍ପତ୍ତିଙ୍କ ଆଉ ପତ୍ତା ମିଳୁନି। ଇନ୍ଦୋରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀ ପତ୍ନୀ ସୋନମଙ୍କ ସହ ହନିମୁନ ଲାଗି ମେଘାଳୟ ଯାଇଥିଲେ। ମେ ୨୦ରେ ମେଘାଳୟ ପହଞ୍ଚିଥିଲେ। ମେ ୨୩ରେ ଭଡ଼ାରେ ନେଇଥିବା ଆକ୍ଟିଭା ବାଇକ୍ ସିଲାଙ୍ଗର ସୋହରାରିମ ଅଞ୍ଚଳ ପାଖରେ ଥିବା ଓସରା ହିଲ୍ସ ପାଖରେ ମିଳିଥିଲା। ମଙ୍ଗଳବାର ବିଳମ୍ୱିତ ରାତିରେ ସର୍ଚ୍ଚିଂ ଅପରେସନରେ ସେମାନଙ୍କର ଦୁଇଟି ବ୍ୟାଗ ଏକ ଗାତ ପାଖ ବୁଦାରୁ ମିଳିଛି। ହେଲେ ଦୁହିଁଙ୍କର ଆଉ ଖୋଜଖବର ମିଳିନି ଆଜି ଯାଏଁ। ମେ ୧୧ରେ ଉଭୟଙ୍କ ବିବାହ ଇନ୍ଦୋରରେ ହୋଇଥିଲା। ମେ ୨୦ରେ ହନିମୁନ୍ ପାଇଁ ଇନ୍ଦୋରରୁ ବେଙ୍ଗାଲୁରୁ ଦେଇ ଗୌହାଟି ପହଞ୍ଚିଥିଲେ। ସେଠାରେ ମାଆ କାମାକ୍ଷାଙ୍କ ଦର୍ଶନ କରି ୨୩ ତାରିଖରେ ଶିଲଂ ପହଞ୍ଚିଥିଲେ। ମେ ୨୩ ଦ୍ୱିପ୍ରହର ପ୍ରାୟ ସାଢ଼େ ଗୋଟାଏରେ ନିଜ ମାଆ ଉମା ରଘୁବଂଶୀଙ୍କ ସହ ଫୋନରେ କଥା ହୋଇଥଇଲେ ସୋନମ। ଏହା ପରେ ଦୁହିଁଙ୍କ ଫୋନ୍ ବନ୍ଦ ହୋଇଗଲା। ମୋଘାଳୟ ପୁଲିସ, ଇନ୍ଦୋର କ୍ରାଇମବ୍ରାଞ୍ଚ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ୫୦ରୁ ଅଧିକ ଲୋକ ଜଙ୍ଗଲ ଓ ଟ୍ରେକିଂ ରାସ୍ତାରେ ସେମାନଙ୍କୁ ଖୋଜୁଛନ୍ତି। ମଙ୍ଗଳବାର ବିଳମ୍ୱିତ ରାତିରେ ଦୁଇଟି ବ୍ୟାଗ୍ ମିଳିଥିଲା। ବୁଧବାର ପ୍ରବଳ ବର୍ଷାରୁ ସର୍ଚ୍ଚ ଅପରେସନକୁ ରୋକିବାକୁ ପଡ଼ିଥିଲା। ମୋବାଇଲର ଶେଷ ଲୋକେସନ ମାଓ୍ୱଲାଖାଇତ ଗାଁରେ ଟ୍ରେସ୍ କରାଯାଇଛି। ରାଜାଙ୍କ ପରିବାର ଲୋକ ସିଲଂ ପହଞ୍ଚି ତଲାସି ଅଭିଯାନରେ ସାମିଲ୍ ହୋଇଛନ୍ତି। ନବଦମ୍ପତ୍ତିଙ୍କୁ ଅପହରଣ କରାଯାଇଥିବା ଆଶଙ୍କା କରୁଛନ୍ତି ପରିବାର ଲୋକେ। ଉଭୟଙ୍କ ପାଖରେ ଟଙ୍କା ଓ ଗହଣା ଥିଲା। ଦମ୍ପତ୍ତିଙ୍କ ବାବଦରେ ସୂଚନା ଦେଲେ ୫ଲକ୍ଷ ଟଙ୍କା ପୁରଷ୍କାର ଘୋଷଣା କରିଛନ୍ତି ରାଜାଙ୍କ ପରିବାର। ଏମିତିରେ ଓସରା ହିଲ୍ସ କ୍ଷେତ୍ର ସମ୍ୱେଦନଶୀଳ ଅଟେ। ଏଠାରେ ପୂର୍ବରୁ ବି ପର୍ଯ୍ୟଟକ ନିଖୋଜ ହେବାର ନଜିର ରହିଛି। ସ୍ଥାନୀୟ ଲୋକଙ୍କ କହିବା କଥା, ଏ ଅଞ୍ଚଳ ଲୁଟେରା ଓ ଅପରାଧୀଙ୍କ ଚରାଭୂଇଁ ପାଲଟିଛି। ଏପରିକି ପୁଲିସ ବି ସେ ଅଞ୍ଚଳକୁ ଯିବାକୁ କୁଣ୍ଠାବୋଧ କରେ। ସୁଫଳ ନ ମିଳିବାରୁ ପରିବାରବର୍ଗ ୟୁଟ୍ୟୁବରଙ୍କୁ ଟଙ୍କା ଦେଇ ଖୋଜିବାରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ରାଜାଙ୍କ ଭାଇ ସଚିନ୍ କହିଛନ୍ତି, ସ୍ଥାନୀୟ ସିଲଂ ପୁଲିସ ଓ ସ୍ଥାନୀୟ ଲୋକେ ଫେଲ୍ ମାରିଗଲେ। ସେମାନଙ୍କଠୁ କୌଣସି ସାହାଯ୍ୟ ସହଯୋଗ ପାଇଲେନି। ସେଥିଲାଗି ସୋସିଆଲ ମିିଡିଆର ଆଶ୍ରୟ ନେଇଛନ୍ତି ପରିବାର।

Naxatra News is now on Whatsapp
Join and get latest news update delivered to you via whatsapp
Join Now