ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଚାପୁଡ଼ା! ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜନଶୁଣାଣୀ କରୁଥିଲେ ରେଖା। ଜନଶୁଣାଣୀ ପ୍ରକୋଷ୍ଠକୁ ଆସିଥିବା ଜଣେ ଯୁବକ ଅଚାନକ ରେଖାଙ୍କୁ ଚାପୁଡ଼ା ମାରିଥିଲା। ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିଛି। ଦିଲ୍ଲୀ ସିଏମଓ ଅଫିସ ବୟାନ ଜାରି କରି କହିଛି, ଜନଶୁଣାଣୀ ବେଳେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଥିଲା। ଦିଲ୍ଲୀ ପୁଲିସ ତାଙ୍କୁ ଧରି ପଚରାଉଚୁରା କରୁଛି। ଅଭିଯୁକ୍ତର ନାଁ ରାଜେଶ ଭାଇ ଖିମଜୀ। ବୟସ ୪୧। ସେ ଗୁଜରାଟର ରାଜକୋଟ ବାସିନ୍ଦା। ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣା ପ୍ରଘଟ ପରେ ତୁଙ୍ଗ ନେତା ଓ ବଡ଼ ଅଫିସର ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଘରେ ପହଞ୍ଚିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ରାଜେଶ ମୁଖ୍ୟମନ୍ତ୍ରୀଙ୍କୁ କୋର୍ଟର କିଛି ଚିଠି ଦେଇ ଫେରାଦ୍ ହୋଇ କଥା ହେଉଥିଲେ। ଅଚାନକ ଚାପୁଡ଼ା ମାରିଦେଲେ। ଆଉ ତା ସହ ଗାଳିଗୁଲଜ ବି କରିଥିଲେ। ରାଜେଶଙ୍କ ମାଆ କହିଛନ୍ତି, ରାଜେଶ ଜଣେ କୁକୁର ପ୍ରେମୀ। ଦିଲ୍ଲୀ ଏନସିଆରରେ ଥିବା ବୁଲା କୁକୁରଙ୍କୁ ସେଲଟର ହୋମକୁ ସିଫ୍ଟ ନେଇ ନିକଟରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଅତିଷ୍ଠ ଥିଲା ରାଜେଶ। ବିଜେପି ଏ କଥାକୁ ଖଣ୍ଡନ କରିଛି। ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସକ୍ସେନା କହିଛନ୍ତି, ଅଭିଯୁକ୍ତ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଧରି ଟାଣିଥିଲା। ଟାଣିବାରୁ ରେଖାଙ୍କ କହୁଣୀ ଟେବୁଲରେ ପିଟି ହୋଇଯାଇଥିଲା। ତାଙ୍କର ମୁଣ୍ଡରେ ବି ଆଘାତ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିବା କଥା ଭୁଲ୍। ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ପଛରେ କୌଣସି ରାଜନୈତିକ ଚକ୍ରାନ୍ତ ଅଛି କି ନାହିଁ, ଏହାର ତଦନ୍ତ ଜରୁରୀ ବୋଲି ଦାବି କରିଛି ବିଜେପି। କଂଗ୍ରେସ କହିଛି, ଯଦି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସୁରକ୍ଷିତ ନାହାନ୍ତି। ସାଧାରଣ ଜନତା କେତେଦୂର ସୁରକ୍ଷିତ। ଏହି ଘଟଣା ମହିଳା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଙ୍ଗୁଳି ଉଠାଇଛି। ବିରୋଧୀ ଦଳ ନେତା ତଥା ଆପ୍ ନେତ୍ରୀ ଅତିଶୀ କହିଛନ୍ତି, ରେଖାଙ୍କ ଉପରେ ଆକ୍ରମଣ ନିନ୍ଦନୀୟ ଘଟଣା। ଲୋକତନ୍ତ୍ରରେ ଅସହମତି ଓ ବିରୋଧର ଜାଗା ଅି। କିନ୍ତୁ ହିଂସାର କୌଣସି ଜାଗା ନାହିଁ। ଦିଲ୍ଲୀ ପୁଲିସ ଦୋଷୀଙ୍କ ଉପରେ କଡ଼ା କାର୍ଯାନୁଷ୍ଠାନ ନେବ ବୋଲି ଆଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥାଆନ୍ତୁ। ଫେବୃଆରୀ ୨୦, ୨୦୨୫ରେ ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ରେଖା ଆରଏସଏସ ସହ ଲମ୍ୱା ସମୟ ଧରି ଜଡ଼ିତ। ସେ ଦିଲ୍ଲୀ ବିଜେପିର ମହାସଚିବ ଓ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବି ଥିଲେ। କେଉଁ ପରିପ୍ରେକ୍ଷୀର ଏଭଳି ଅଭାବନୀୟ ଘଟଣା ଘଟିଲା, ଦିଲ୍ଲୀ ପୁଲିସ କମିଶନର ଏସବିକେ ସିଂ ଏହାର ତଦନ୍ତ କରୁଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now