ଭାରତର ଶୀର୍ଷ ସ୍ତରୀୟ ଦୁଇ ଅଧିକାରୀଙ୍କ ପୁଅଙ୍କ ବିଦେଶ ନାଗରିକତା ନେଇ ତାଜା ଚର୍ଚ୍ଚା ଚାଲିଛି। ଏବେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଓ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ପୁୁଅଙ୍କ ବିଦେଶୀ ନାଗରିକତା ନେଇ ଜୋରସୋର ଚାଲିଛି ଚର୍ଚ୍ଚା। ଅଜିତ ଡୋଭାଲଙ୍କ ସାନ ପୁଅ ବିବେକ ଡୋଭାଲ। ଯିଏ ବ୍ରିଟେନର ନାଗରିକ ଓ ବର୍ତ୍ତମାନ ସିଙ୍ଗାପୁରରେ ବସବାସ କରୁଛନ୍ତି। ସେ ଏକ ଚାର୍ଟାର୍ଡ ଫାଇନାନ୍ସିଆଲ୍ ଅନାଲିସ୍ଟ ଓ GNY Asia Fund ନାମକ ଏକ ହେଜ୍ ଫଣ୍ଡର ଡାଇରେକ୍ଟର, ଯାହା କେମ୍ୟାନ୍ ଦ୍ୱୀପପୁଞ୍ଜରେ ରେଜିଷ୍ଟର୍ ହୋଇଛି। ଏହା ଏକ ଜଣାଶୁଣା କର ଆଶ୍ରୟ ଅଞ୍ଚଳ। ୨୦୧୬ରେ ଭାରତର ନୋଟବନ୍ଦୀ ପରେ ଏହି ଫଣ୍ଡ୍ ଆରମ୍ଭ ହୋଇଥିଲା, ଯାହା ତାଙ୍କ ବଡ଼ ଭାଇ ସୌର୍ଯ୍ଯ ଡୋଭାଲଙ୍କ ବ୍ୟବସାୟ ସହ ଯୋଗାଯୋଗ ଥିବା ଅଭିଯୋଗ ମଧ୍ୟ ଆସିଥିଲା। ବିବେକ ଏହି ଅଭିଯୋଗ ବିରୋଧରେ କଂଗ୍ରେସ ନେତା ଜୟରାମ ରମେଶ ଓ The Caravan ପତ୍ରିକା ବିରୋଧରେ ମାମଲା କରିଥିଲେ। ପରେ ରମେଶ ନ୍ୟାୟାଳୟରେ ଦୁଃଖ ପ୍ରକାଶ କରିଥିଲେ। ସେପଟେ ଏସ.ଜୟଶଙ୍କରଙ୍କ ପୁଅ ଧୃବଜୟଶଙ୍କର ଜନ୍ମ ଭାରତରେ ହୋଇଥିବା ସତ୍ୱେ ସେ ଜୀବନର ଏକ ବଡ଼ ଅଂଶ ଆମେରିକା, ଇଉରୋପ୍ ଓ ଜାପାନରେ କାଟିଛନ୍ତି। ସେ ମାକାଲେଷ୍ଟର କଲେଜ୍ (ମିନେସୋଟା, ଆମେରିକା)ରେ ଅଭିକ୍ଷା ପାଇଥିଲେ ଓ ବିଭିନ୍ନ ବୈଚାରିକ ସଂସ୍ଥାରେ କାମ କରିଛନ୍ତି। ବର୍ତ୍ତମାନ ସେ ORF America ନାମକ ଏକ ଆନ୍ତର୍ଜାତୀୟ ଥିଙ୍କ୍ ଟ୍ୟାଙ୍କର ନିର୍ବାହୀ ନିର୍ଦେଶକ ଭାବେ କାର୍ଯ୍ୟରତ। ତାଙ୍କ ନାଗରିକତା ବିଷୟରେ ସଂପୂର୍ଣ୍ଣ ସ୍ପଷ୍ଟତା ନାହିଁ, କିନ୍ତୁ ସେ ଦୀର୍ଘ ସମୟ ଧରି ଆମେରିକାରେ ରହିଛନ୍ତି ଓ କାମ କରୁଛନ୍ତି। ବିବେକ ଡୋଭାଲଙ୍କ ବିଦେଶୀ (ବ୍ରିଟିଶ୍) ନାଗରିକତା ନିଶ୍ଚିତ ଅଟେ, କିନ୍ତୁ ଧୃବ ଜୟଶଙ୍କରଙ୍କ ନାଗରିକତା ବିଷୟରେ କୌଣସି ସାର୍ବଜନୀନ ସୂଚନା ମିଳିନାହିଁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now