ନୂଆ ପାର୍ଟି ଗଢ଼ିବା ସହ ମମତାଙ୍କୁ ଚ୍ୟାଲେଞ୍ଜ କଲେ କବିର୍

ଟିଏମସିରୁ ନିଲମ୍ୱିତ ବିଧାୟକ ହୁମାୟୁଁ କବିର ନୂଆ ଦଳ ଗଢ଼ିଲେ। ନୂଆ ଦଳର ନାଁ ଜନତା ଉନ୍ନୟନ ପାର୍ଟି। ଦଳ ଘୋଷଣା ସହ ମମତାଙ୍କୁ ଚାଲେଞ୍ଜ୍ କରିଛନ୍ତି କବିର। ମୁର୍ସିଦାବାଦ ଜିଲ୍ଲାରେ ଟିଏମସି ଗୋଟିଏ ବି ଆସନ ଜିତିପାରିବନି ବୋଲି ଚାଲେଞ୍ଜ୍ ଦେଇଛନ୍ତି କବିର। ୨୦୨୬ ବିଧାନସଭା ନିର୍ବାଚନରେ ସମସ୍ତ ୨୯୪ ଆସନରେ ଲଢ଼ିବ ଜନତା ଉନ୍ନୟନ ପାର୍ଟି ବା ଜେପିୟୁ। ବିଶେଷ କରି ୯୦ରୁ ୧୦୦ ମୁସଲିମ୍ ବହୁଳ ଆସନ ଉପରେ ଫୋକସ ରହିବ। ସେ ଶହେ ଆସନରେ ଜିତିବେ ବୋଲି ଦାବି କରିଛନ୍ତି। ଏହା ସହ ନିଜେ ବି ସ୍ପଷ୍ଟ କରିଦେଇଛନ୍ତି, ସେ ବେଲଡାଙ୍ଗା ଓ ରେଜିନଗର ଆସନରୁ ଲଢ଼ିବେ। ଏହା ସହ ହିନ୍ଦୁ ମହିଳା ଆଶାୟୀ ମନୀଷା ପାଣ୍ଡେଙ୍କୁ ମୁର୍ସିଦାବାଦରୁ ଓ ନିଶା ଚାଟର୍ଜୀଙ୍କୁ କୋଲକାତାର ବାଲିଗଞ୍ଜ ସିଟରୁ ପ୍ରାର୍ଥୀ ଭାବେ ନାଁ ଘୋଷଣା କରିଛନ୍ତି କବିର। ପଶ୍ଚିମବଙ୍ଗ ପୁଲିସକୁ ବି ଧମକ ଦେଇଥିଲେ କବିର। ଆଜିର ମିଟିଂରେ ସାମିଲ୍ ହୋଇଥିବା କୌଣସି କର୍ମୀଙ୍କ ନାଁରେ ମିଛ ମାମଲା କଲେ, ସେ ୧୨ ଘଣ୍ଟା ଭିତରେ ଥାନା ଘେରାଓ ସହ ଥାନାରେ ଲାଗିଥିବା ଇଟାକୁ କାଢ଼ିଦେବେ। ଟିଏମସି ଓ ବିଜେପିକୁ ଶାଣିତ ଟାର୍ଗେଟ କରିଛନ୍ତି। ୭୦ ମୁସଲିମ୍ ଓ ୩୦ ହିନ୍ଦୁ ବିଧାୟକଙ୍କ ସହ ସେ ସେଞ୍ଚୁରୀ ମାରିବେ। ଯଦି କାହାର ସାହାସ ଅଛି, ତାଙ୍କୁ ଛୁଇଁକି ଦେଖନ୍ତୁ ବୋଲି ଆହ୍ୱାନ କରିଛନ୍ତି କବିର୍। ଏହି ଜବାବ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ମୁସଲିମ ବିଧାୟକଙ୍କୁ ବିଧାନସଭା ବାହାରକୁ ଫୋପାଡ଼ିଦେବି ବୋଲି ଦେଇଥିବା ବୟାନ ଉପରେ ଆଧାରିତ ବୋଲି କୁହାଯାଉଛି। ମମତାଙ୍କ ଉପରେ ବି ଗମ୍ଭୀର ଆରୋପ ଲଦିଛନ୍ତି କବିର୍। ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ହିଁ ପଶ୍ଚିମବଙ୍ଗରେ ଆରଏସଏସର ଶାଖା ଦ୍ରୁତ ଗତିରେ ବଢୁଛି। କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିବା କବିର୍ ଟିଏମସିରେ ସାମିଲ୍ ହୋଇଥିଲେ। ୨୦୧୯ରେ ବିଜେପି ଟିକଟରେ ଲୋକସଭା ଲଢ଼ିଥିଲେ। ୨୦୨୧ରେ ଦ୍ୱିତୀୟ ଥର ଟିଏମସିରୁ ଭରତପୁର ବିଧାୟକ ହେଲେ। ଡିସେମ୍ୱର ୨୦୨୫ରେ ବେଲଡାଙ୍ଗାରେ ବାବ୍ରି ମସଜିଦର ଶିଳାନ୍ୟାସ କରିବା ପରେ ବିବାଦ ବଢ଼ିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *