ବ୍ରାହ୍ମଣ ଝିଅଙ୍କ ଉପରେ ଟିପ୍ପଣୀ କରି ଚାକିରୀରୁ ବିଦା ହୋଇପାରନ୍ତି ଆଇଏଏସ ସନ୍ତୋଷ ବର୍ମା। ମଧ୍ୟପ୍ରଦେଶର ମୋହନ ଯାଦବ ସରକାର ସନ୍ତୋଷଙ୍କୁ ହଟାଇବାକୁ କେନ୍ଦ୍ରକୁ ସୁପାରିଶ କରିଛନ୍ତି। ସନ୍ତୋଷଙ୍କ ବିରୁଦ୍ଧରେ ଅନୁଶାସନହୀନତା କାର୍ଯ୍ୟାନୁଷ୍ଠାନର ସୁପାରିଶ କରିବା ସହ ତାଙ୍କୁ ତୁରନ୍ତ କୃଷି ବିଭାଗରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ସନ୍ତୋଷ ଏବେ କୃଷି ସଶକ୍ତିକରଣ ବିଭାଗର ଡେପୁଟି ସେକ୍ରେଟାରୀ ଅଛନ୍ତି। ନଭେମ୍ୱର ୨୩ରେ ସନ୍ତୋଷ ଦେଇଥିବା ବିବାଦୀୟ ମନ୍ତବ୍ୟ ଭାଇରାଲ ହୋଇଥିଲା। ବ୍ରାହ୍ଣଣ ସମାଜ ସନ୍ତୋଷଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯାନୁଷ୍ଠାନ ଦାବି କରିଥିଲା। ବର୍ମା ଦେଇଥିବା ମନ୍ତବ୍ୟ ସାମାଜିକ ସଦ୍ଭାବକୁ ନଷ୍ଟ କରିବା ଉଦେଶ୍ୟରେ ଥିଲା ବୋଲି ଆରୋପ ଲଦିଥିଲା ବ୍ରାହ୍ମଣ ସମାଜ। ବର୍ମା ସଫେଇ ଦେଇଥିଲେ ଯେ, ତାଙ୍କ ବୟାନକୁ କଦର୍ଥ କରି ପରିବେଷଣ କରାଯାଇଛି। ନଭେମ୍ୱର ୨୩ରେ ଭୋପାଳରେ ଅଖିଳ ଭାରତୀୟ ଅନୁସୂଚିତ ଜାତି-ଜନଜାତି ଅଧିକାରୀ ଓ କର୍ମଚାରୀ ସଂଘର (ଏଜେଜେଏକେଏସ) ପ୍ରାନ୍ତୀୟ ବୈଠକ ହୋଇଥିଲା। ଏହି ସଂଗଠନର ପ୍ରଦେଶ ଅଧ୍ୟକ୍ଷ ହୋଇଥିଲେ ବର୍ମା। ଆର୍ଥିକ ଆଧାରରେ ସଂରକ୍ଷଣର ବିତର୍କରେ ବର୍ମା କହିଥିଲେ ଯେ, ପରିବାରର ଜଣେ ବ୍ୟକ୍ତିଙ୍କୁ ହିଁ ସଂରକ୍ଷଣ ମିଳିବା ଦରକାର। ଯେପର୍ଯ୍ୟନ୍ତ କୌଣସି ବ୍ରାହ୍ମଣ ନିଜ ଝିଅକୁ ମୋ ପୁଅ ସହ ବିବାହ କରାଇବେନି କି ତା ସହ ସମ୍ପର୍କ ରଖିବେନି। ଯେହେତୁ କେବଳ ଆର୍ଥିକ ସ୍ଥିତିର କଥା ଉଠୁଛି। ବାସ୍ ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ବୋବାଲ ପରିସ୍ଥିତି ସୃଷ୍ଟି ହୋଇଥିଲା। ଜାତିବାଦୀ ଓ ମହିଳାଙ୍କୁ ଏହା ଅପମାନ ବୋଲି କହି ଏଭଳି ମନ୍ତବ୍ୟକୁ ଭୋପାଳ, ଗ୍ୱାଲିଅର, ସିଙ୍ଗରୋଲି, ନର୍ମଦାପୁର ଓ ରାୟସେନରେ ବ୍ରାହ୍ମଣ ସମାଜ ବିରୋଧ ପ୍ରଦର୍ଶନ କରିଥିଲା। ଏହା ବ୍ରାହ୍ମଣ ସମାଜକୁ ଅପମାନ। ଏ ନେଇ ଏତଲା ହେବା କଥା। ବର୍ମା ସଫେଇ ଦେଇଥିଲେ ଯେ, କାହାକୁ ଅପମାନିତ କରିବା ତାଙ୍କର ଉଦେଶ୍ୟ ନୁହେଁ। ସଂରକ୍ଷଣକୁ ସାମାଜିକ ଓ ଆର୍ଥିକ ଆଧାରରେ ଦେବାକୁ ସେ ଚର୍ଚ୍ଚା କରୁଥିଲେ। ନଭେମ୍ୱର ୨୭ରେ ବର୍ମାଙ୍କୁ ସାଧାରଣ ପ୍ରଶାସନ ବିଭାଗ କାରଣଦର୍ଶାଅ ନୋଟିସ୍ ଜାରି କରି ସପ୍ତାହକ ଭିତରେ ଜବାବ ଦେବାକୁ କୁହାଯାଇଥିଲା। ଆଉ ଡିସେମ୍ୱର ୧୧ରେ ବର୍ମାଙ୍କୁ ଚାକିରୀରୁ ବରଖାସ୍ତ ଲାଗି କେନ୍ଦ୍ରକୁ ସୁପାରିଶ କରିଛନ୍ତି ସରକାର। ବର୍ମାଙ୍କୁ କୃଷି ବିଭାଗରୁ ହଟାଇ ଜିଏ ଡିପାର୍ଟମେଣ୍ଟରେ ଆଟାଚ୍ କରାଯାଇଛି। ତେବେ ଏହାକୁ ନେଇ ରାଜନୀତି ସମୀକରଣ ବି ଓଲଟପାଲଟର ଆଶଙ୍କା ରହିଛି। ବିଜେପି ପାଇଁ ଏହି ଆଇଏଏସ ବିବାଦ ଆଦିବାସୀ- ବ୍ରାହ୍ମଣ ସମୀକରଣକୁ ବିଗାଡ଼ିପାରେ। କାରଣ ଝାବୁଆ-ରତଲାମ ଭଳି ଆଦିବାସୀ କ୍ଷେତ୍ରରେ ବିଜେପି ମଝଭୁତ୍ ଅଛି। କଂଗ୍ରେସ କହିଛି, ମୋହନ ସରକାର ଆଇଏଏସଙ୍କୁ ସୁରକ୍ଷା ଦେଉନାହାନ୍ତି। ବ୍ରାହ୍ମଣ ଭୋଟ ପାଇଁ ଆଦିବାସୀ ଅଧିକାରୀଙ୍କୁ ବଳି ଚଢ଼ାଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now