ମାଡ୍ରାସ ହାଇକୋର୍ଟ ବିଚାରପତିଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସ୍ତାବ। ଡିଏମକେ ଓ ସହଯୋଗୀ ଦଳ ବାଚସ୍ପତିଙ୍କୁ ଦେଲେ ନୋଟିସ୍। ନ୍ୟାୟପାଳିକା ଓ ତାମିଲନାଡ଼ୁ ସରକାର ଭିତରେ ଚାଲିଥିବା ବିବାଦ ଭିତରେ ଆଜି ଏହା ନୂଆ ଓ ଗମ୍ଭୀର ମୋଡ଼ ନେଇଛି। ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଜି.ଆର.ସ୍ୱାମୀନାଥନଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସ୍ତାବ ଚାଲିବାକୁ ବାଚସ୍ପତି ଓମ୍ ବିର୍ଲାଙ୍କୁ ଅଧିକାରୀସ୍ତରରେ ନୋଟିସ ଦିଆଯାଇଛି। ଏହି ପ୍ରସ୍ତାବରେ ୧୨୦ ସାଂସଦଙ୍କ ହସ୍ତାକ୍ଷର ରହିଛି। ଏହି ମୁଦ୍ଦାକୁ ଏକ ବଡ଼ ରାଜନୈତିକ ଓ ଆଇନଗତ ଘଟଣା କରିବାକୁ ଚାହୁଁଛନ୍ତି। ମାଡ୍ରାସର ଥିରୁପରନକୁନ୍ଦ୍ରମରେ କାର୍ତ୍ତିଗଇ ଦୀପ ଜଳାକୁ ନେଇ ଉପୁଜିଥିବା ବିବାଦ ଭିତରେ ଉଠିଛି। ବାଚସ୍ପତିଙ୍କୁ ଭେଟିଥିବା ଉଚ୍ଚସ୍ତରୀୟ ସଂସଦୀୟ ପ୍ରତିନିଧି ଦଳ ଭିତରେ କାନିମୋଝୀ, ଟି.ଆର.ବାଲୁ, ଅଖିଳେଶ ଯାଦବ, ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ସାମିଲ ଥିଲେ। ଜଷ୍ଟିସ ସ୍ୱାମୀନାଥନଙ୍କୁ ହଟାଇବାକୁ ଦାବି ହୋଇଛି। ଜଷ୍ଟିସ ସ୍ୱାମୀନାଥନଙ୍କ ଆଚରଣ ନ୍ୟାୟିକ ନିରପେକ୍ଷତା ଓ ପାରଦର୍ଶିତା ବିରୋଧୀ ବୋଲି ଆରୋପ ଲଦିଛନ୍ତି ଇଣ୍ଡିଆ ମେଣ୍ଟର ସାଂସଦ। ଜଣେ ବରିଷ୍ଠ ଓକିଲ ଓ ଏକ ବିଶେଷ ସମୁଦାୟର ଓକିଲଙ୍କୁ ଅନୁଚିତ ଅନୁଗ୍ରହ ଦେଖାଇଛନ୍ତି। ଏହା ବ୍ୟତୀତ ଦାବି କରାଯାଇଛି, ତାଙ୍କ ଫୈସଲା ରାଜନୀତିକ ବିଚାରାଧାରାରେ ପ୍ରଭାବିତ ଓ ସମ୍ୱିଧାନର ଧର୍ମନିରପେକ୍ଷ ସିଦ୍ଧାନ୍ତର ବିପରୀତ ଅଟେ। ତେବେ ବିବାଦର ଜଡ଼ ସାଜିଛି ଥିରୁପରନକୁଣ୍ଡ୍ରମ ଫୈସଲା। ଥିରୁପରନକୁଣ୍ଡ୍ରମ ପାହାଡ଼ର ଚୂଳରେ ଦୀପ ଜଳାଇବାକୁ ଅନୁମତି ଦେଇଥିଲେ ଜଷ୍ଟିସ ସ୍ୱାମୀନାଥନ। ଏହି ସ୍ଥଳ ବହୁ ସମ୍ୱେଦନଶୀଳ ଅଟେ। କାରଣ ଏଠାରେ ମନ୍ଦିର ଓ ଦରଗାହ ପାଖାପାଖି ଲାଗି ରହିଛି। ଡିସେମ୍ୱର ୪ରେ ଦୀପଥୁନ ସ୍ତମ୍ଭ ଉପରେ ଦୀପ ଜଳାଯିବ ବୋଲି ରାୟ ଦେଇଥିଲେ ଜଷ୍ଟିସ୍। କୋର୍ଟ ମନ୍ଦିର ପ୍ରଶାସନ ଓ ଦରଗାହ ପରିଚାଳନା କର୍ତ୍ତୃପକ୍ଷଙ୍କ ଆପତ୍ତିକୁ ଖାରଜ କରି କହିଥିଲେ, ଏହି ଅନୁଷ୍ଠାନ ମୁସଲିମ ସମୁଦାୟର ଧାର୍ମିକ ଅଧିକାରକୁ ଉଲ୍ଲଂଘନ କରିବନି। ଭକ୍ତଙ୍କ ଏକ ଛୋଟ ଗ୍ରୁପ ପୁଲିସ ସୁରକ୍ଷାବଳୟରେ ସେଠାକୁ ଯାଇ ଦୀପ ଜଳାଇବାକୁ ଅନୁମତି ଦେଇଥିଲେ ଅଦାଲତ। କିନ୍ତୁ ତାମିଲନାଡ଼ୁ ସରକାର ଆଇନ ବ୍ୟବସ୍ଥାର ସମସ୍ୟାର ଆଳ ଦେଖାଇ ଏହି ଆଦେଶକୁ ଲାଗୁ କରିବାକୁ ମନା କରିଥିଲେ। ତା ସତ୍ତ୍ୱେ ହିନ୍ଦୁ ସଂଗଠନ ବିରୋଧ ପ୍ରଦର୍ଶନ କରିଥିଲା ଓ ପୁଲିସ ସହ ଧସ୍ତାଧସ୍ତି ଯାଏଁ କଥା ଯାଇଥିଲା। ଯାହାକୁ ନେଇ ମାମଲା ବଡ଼ ରାଜନୀତିକ ବିବାଦରେ ପାଲଟିଗଲା। ସେପଟେ ହିନ୍ଦୁ ମୁନାନି ସଂଗଠନ ଡିଏମକେ ସରକାରଙ୍କ ବିରୁଦ୍ଧରେ ମାଡ୍ରାସ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାଏର କରିଛି। କୋର୍ଟ ରାୟ ସତ୍ତ୍ୱେ ଡିଏମକେ ସରକାର ଶ୍ରଦ୍ଧାଳୁଙ୍କୁ ଦୀପ ଜାଳିବାକୁ ରୋକ୍ ଲଗାଇଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now