ଇଣ୍ଡିଗୋ ସଙ୍କଟ- ଯାତ୍ରୀଙ୍କ ଦୁର୍ଦ୍ଦଶା ସଂସଦରୁ ସୁପ୍ରିମକୋର୍ଟ ଯାଏ

ନିରନ୍ତର ଫ୍ଲାଇଟ୍ ବାତିଲ ଲାଗି ରବିବାର ପ୍ରମୁଖ ଏୟାରପୋର୍ଟ ବସଷ୍ଟାଣ୍ଡର ଭ୍ରମ ସୃଷ୍ଟି କରିଥିଲା। ଦିଲ୍ଲୀ, ମୁମ୍ୱାଇ, ଚେନ୍ନାଇ, ବେଙ୍ଗାଲୁରୁ, ଅହମଦାବାଦ ଓ କୋଲକାତା ସମେତ ଦେଶର ସମସ୍ତ ବଡ଼ ଏୟାରପୋର୍ଟରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଯେହେତୁ ଏୟାରଲାଇନ୍ସ ସେମାନଙ୍କ ଲଗେଜ୍ ଆଗରୁ ନେଇସାରିଥିଲା। ସେଥିଲାଗି ଯେଉଁମାନେ ଘରକୁ ଫେରିବାକୁ ଚାହୁଁଥିଲେ, ସେମାନେ ବିନା ଲଗେଜରେ କେମିତି ଫେରିବେ, ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଏଭଳି ଚରମ ଅବହେଳା ଲାଗି ବିଳମ୍ୱିତ ରାତିରେ ଇଣ୍ଡିଗୋକୁ ଡିଜିସିଏ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲା। ଇଣ୍ଡିଗୋ ସିଇଓଙ୍କୁ ଏହାର ଜବାବ ଦେବାକୁ ସୋମବାର ସଂଧ୍ୟା୬ଟା ଯାଏ ସରକାର ମହଲତ ଦେଇଛନ୍ତି। ୪୮ ଘଣ୍ଟା ଭିତରେ ବ୍ୟାଗେଜ୍ ଡେଲିଭରି ଲାଗି ଆଦେଶ ଦେଇଥିଲା ଡିଜିସିଏ। ୬୧୦ କୋଟି ଟଙ୍କାର ରିଫଣ୍ଡ ପ୍ରୋସେସ୍ କରିବାକୁ ନିର୍ଦେଶ ଦିଆଯାଇଛି। ୧୬୫୦ ଫ୍ଲାଇଟ୍ ଥିଲା ଟ୍ରାକ୍‌ରେ। ଇଣ୍ଡିଗୋ ଦାବି କରୁଥିଲା ଯେ, ୯୫ ପ୍ରତିଶତ ରୁଟରେ ଅପରେସନ ନର୍ମାଲ ହୋଇଛି। କିନ୍ତୁ ଗ୍ରାଉଣ୍ଡରେ ବାସ୍ତବତା ଥିଲା ଭିନ୍ନ। ଡିସେମ୍ୱର ୩ରୁ ଜାରି ସଙ୍କଟରୁ ଲକ୍ଷ ଲକ୍ଷ ଯାତ୍ରୀ ହନ୍ତସନ୍ତ ହେଲେଣି। ଡିସେମ୍ୱର ୧୦ ସୁଦ୍ଧା ପରିଚାଳନା ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି। ଆଜି ଦିନ ୧୧ଟା ସୁଦ୍ଧା ୪୫୦ରୁ ଅଧିକ ଫ୍ଲାଇଟ ବାତିଲ ହୋଇଥିଲା। ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଶ୍ରୀନଗର, ଅହମଦାବାଦ ଏୟାରପୋର୍ଟରେ ଧଡ଼ାଧଡ଼ ଫ୍ଲାଇଟ୍ ବାତିଲ୍ ହୋଇଛି। ଦିଲ୍ଲୀ ଏୟାରପୋର୍ଟରେ ୧୩୪ ଫ୍ଲାଇଟ୍ ରଦ୍ଦ ହୋଇଛି। ବେଙ୍ଗାଲୁରୁରେ ୧୨୭, ଚେନ୍ନାଇରେ ୭୧, ଜମ୍ମୁରେ ୨୦, ଅହମଦାବାଦରେ ୨୦ ଓ ବିଶାଖାପାଟଣାରେ ୭ଟି ଫ୍ଲାଇଟ୍ ବାତିଲ୍ ହୋଇଛି। ରବିବାର ୬୫୦ରୁ ଅଧିକ ବିମାନ ବାତିଲ୍ କରିଥିଲା ଇଣ୍ଡିଗୋ। କିଏ ଇଣ୍ଚରଭ୍ୟୁ ତ କିଏ ପରୀକ୍ଷା ଦେବାରୁ ବଞ୍ଚିତ ହେଲା। ନିଜ ବିବାହ ଭୋଜିରେ ବି ସାମିଲ୍ ହେବା ସମ୍ଭବପର ହେଲାନି। ଇଣ୍ଡିଗୋ କ୍ରାଇସିସ ବିରୁଦ୍ଧରେ ହାଇଓ୍ୱେ ଉପରେ କନ୍ନଡ଼ କାର୍ଯ୍ୟକର୍ତ୍ତା ବିରୋଧ ପ୍ରଦର୍ଶନ କରିଛନ୍ତି। ବେଙ୍ଗାଲୁରୁ- ହାଇଦ୍ରାବାଦ ରାଜପଥ ଉପରେ ଧାରଣା ପ୍ରଦର୍ଶନ କରିଥିଲେ କନ୍ନଡ କାର୍ଯ୍ୟକର୍ତ୍ତା ଓ୍ୱାଟଲ ନାଗରାଜ। କେନ୍ଦ୍ର ସରକାର ଓ ଏୟାରଲାଇନ୍ସ ବିରୁଦ୍ଧରେ ନାରାବାଜି କରିଛନ୍ତି କନ୍ନଡ଼ କାର୍ଯ୍ୟକର୍ତ୍ତା। ଅହମଦାବାଦ ଏୟାରପୋର୍ଟ ଆଗରେ ଏନଏସୟୁଆଇ ବିରୋଧ କରିଛି। ପାଣି ପାଇଁ ଯାତ୍ରୀ ଆଉଟୁପାଉଟୁ ହେଉଥିଲା ବେଳେ ଏନଏସୟୁଆଇ କର୍ମକର୍ତ୍ତା ପାଣି ଦେବାକୁ ପହଞ୍ଚିଥିଲେ। ଇଣ୍ଡିଗୋ ବିରୁଦ୍ଧରେ ଡିଜିସିଏ ଆଗରେ ଫେରାଦ୍ ହୋଇଛି ଆଜାଦ ଅଧିକାର ସେନା। ଇଣ୍ଡିଗୋ କ୍ରାଇସିସ୍ କୌଣସି ପ୍ରତିକୂଳ ପାଗ ବା ଏଟିସିରେ ଅସୁବିଧା ଲାଗି ହୋଇନି। ଏହା ମନୋପଲି ଓ ଇଛାକୃତ ତୃଟି। ହଜାର ହଜାର ଯାତ୍ରୀଙ୍କୁ ଜାଣିଶୁଣି ହଇରାଣରେ ପକାଗଲା। ଇଣ୍ଡିଗୋ ଉପରେ କୋଟିଏ ଟଙ୍କାର ଜରିମାନା, କର୍ତ୍ତୃପକ୍ଷଙ୍କୁ ୨ ବର୍ଷ ସଜା ଓ ଯାତ୍ରୀଙ୍କୁ କ୍ଷତିପୂରଣ ଦାବି କରିଛି ଆଜାଦ ଅଧିକାର ସେନା। ଇଣ୍ଡିଗୋ ସିଇଓଙ୍କ ବିରୁଦ୍ଧରେ ଜଣେ ପାଇଲଟଙ୍କ ଖୋଲା ଚିଠି ଭାଇରାଲ ହୋଇଛି। ଦକ୍ଷତା ନଥାଇ କେମିତି ଗ୍ରାଉଣ୍ଡ ଷ୍ଟାଫଙ୍କୁ କାମ ନାଁରେ ଶୋଷଣ କରୁଛନ୍ତି ସିଇଓ, ତାକୁ ଦର୍ଶାଯାଇଛି। କୌଣସି ଉତ୍ତରଦାୟିତ୍ୱ ନୁହେଁ, ବରଂ ଭୟର ମାହୋଲ ସୃଷ୍ଟି କରାଯାଇଛି କର୍ମଚାରୀଙ୍କ ଭିତରେ। ନାଇଟ ଡ୍ୟୁଟି ଡବଲ କରିଦିଆଗଲା। ଛୁଟି କାଟିଦିଆଗଲା। କିନ୍ତୁ କର୍ମଚାରୀଙ୍କ ଫିଜିକାଲ ଓ ମେଣ୍ଟାଲ ସ୍ୱାସ୍ଥ୍ୟକୁ ନା ନଜର ଦିଆଗଲା ନା କ୍ଷତିପୂରଣ ବାବଦକୁ ଟଙ୍କାଟିଏ ଅଧିକ ମିଳିଲା। ସେପଟେ ଇଣ୍ଡିଗୋ ସଙ୍କଟକୁ ନେଇ ଆଗତ ଜନସ୍ୱାର୍ଥ ମାମଲାକୁ ତ୍ୱରିତ ତାଲିକାଭୁକ୍ତ କରି ଶୁଣାଣୀ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି, କେନ୍ଦ୍ର ସରକାର ଏହାର ସଂଜ୍ଞାନ ନେଇଛନ୍ତି। ସମୟୋଚିତ ପଦକ୍ଷେପ ନିଆଯିବ ବୋଲି ସରକାର କଥା ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟରେ ବି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏୟାରପୋର୍ଟରେ ସ୍ଥିତି ଅମାନବୀୟ ଓ ଯାତ୍ରୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯାଉନି ବୋଲି ଦିଲ୍ଲୀ ହାଇକୋର୍ଟରେ ବି ଜନସ୍ୱାର୍ଥ ମାମଲା ହୋଇଛି। ତେବେ ଏହାର ଶୁଣାଣୀ ବୁଧବାର ହେବ। ଭାରତର ଏୟାର ଟ୍ରାଭେଲ୍ସ ଇତିହାସରେ ଏଭଳି ବଡ଼ ସଙ୍କଟର ସ୍ତର ପୂର୍ବରୁ କେବେ ବି ଦେଖାଯାଇନି। ଆଜି ଇଣ୍ଡିଗୋ ପୁଣି ଆଡଭାଇଜୋରି ଜାରି କରି କହିଛି ଯେ, ଏୟାରପୋର୍ଟ ପହଞ୍ଚିବା ପୂର୍ବରୁ ଫ୍ଲାଇଟର ଷ୍ଟାଟସ ଚେକ୍ କରନ୍ତୁ। ଗଲା ୭ ଦିନ ଭିତରେ ଇଣ୍ଡିଗୋର ୫ହଜାରରୁ ଅଧିକ ଫ୍ଲାଇଟ୍ ବାତିଲ୍ ହୋଇସାରିଛି। ଇଣ୍ଡିଗୋ ସଙ୍କଟ ଭିତରେ ଏୟାରଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଡିସେମ୍ୱର ୪ରୁ ସମସ୍ତ ନନ-ଷ୍ଟପ୍ ଘରୋଇ ବିମାନରେ ଇକୋନୋମି କ୍ଲାସର ଭଡ଼ାର ସୀମା ସ୍ଥିର କରିଛି। ଡିମାଣ୍ଡ ବଢ଼ିଲେ ବି ଭଡ଼ା ବଢ଼ିବନି। ସେପଟେସଂସଦରେ ଇଣ୍ଡିଗୋ ସଙ୍କଟକୁ ନେଇ ସ୍ୱର ଶାଣିତ କରିଛନ୍ତି ବିରୋଧୀ ଦଳ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଛନ୍ତି। ମନ୍ତ୍ରୀ ରାମମୋହନ ନାଇଡ଼ୁ କହିଛନ୍ତି, ଇଣ୍ଡିଗୋ ଉପରେ ଏଭଳି ଆକ୍ସନ ହେବ, ଯାହା ଭବିଷ୍ୟତ ଲାଗି ଦୃଷ୍ଟାନ୍ତ ହୋଇ ରହିବ। ନିୟମ ଉଲ୍ଲଂଘନ କରିଥିବା ଏୟାରଲାଇନ୍ସ ବିରୁଦ୍ଧରେ କଡ଼ା କାର୍ଯାନୁଷ୍ଠାନ ହେବ। ରାଜ୍ୟସଭାରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ଉଡ଼ାଣ ବାତିଲ୍ ଓ ଅହେତୁକ ବିଳମ୍ୱ ଇଣ୍ଡିଗୋର ଆଭ୍ୟନ୍ତରୀଣ ସମସ୍ୟାର ପ୍ରତିଫଳନ। ପାଇଲଟ, କ୍ରୁ-ମେମ୍ୱର ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ସରକାର କୌଣସି ସାଲିସ କରିବେନି। ଇଣ୍ଡିଗୋକୁ ନିଜର କ୍ରୁ- ମ୍ୟାନେଜମେଣ୍ଟଓ  ରୋଷ୍ଟର ଡ୍ୟୁଟିକୁ ପୂର୍ବରୁ ସଠିକ ପରିଚାଳନା କରିବା ଜରୁରୀ ଥିଲା। ଏହା ନ କରିବାରୁ ବଡ଼ ସଂଖ୍ୟାରେ ଯାତ୍ରୀ ହଇରାଣରେ ପଡ଼ିଲେ। ସରକାର ଏହି ସ୍ଥିତିକୁ ହାଲୁକା ଭାବେ ନେଉନାହାନ୍ତି। ଯାହାଙ୍କ ଲାଗି ଯାତ୍ରୀଙ୍କୁ ଅସୁବିଧା ହୋଇଛି, ତା ଉପରେ ଉତ୍ତରଦାୟିତ୍ୱ ଧାର୍ଯ୍ୟ କରାଯିବ। ଭାରତୀୟ ବଜାରରେ ଅଧିକ ଏୟାରଲାଇନ୍ସ ଆସିବା ଜରୁରୀ। ଇଣ୍ଡିଗୋ ଏୟାରଲାଇନ୍ସରେ ଆସିଥିବା ଟେକନିକ୍ ଓ ସଫ୍ଟୱେର ସମସ୍ୟାର ବି ତଦନ୍ତ ଆରମ୍ଭ ହୋଇଛି। ତଦନ୍ତରେ ୫ଲକ୍ଷ ପିଏନଆର ରଦ୍ଦ ହୋଇଥିବା ନଜରକୁ ଆସିଛି। ଏହା ଅତ୍ୟନ୍ତ ଦୁଃଖଦ ବିଷୟ। କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ହେଉଛି, ଉଡ଼ାଣ କ୍ଷେତ୍ରରେ ଦୁନିଆର ସର୍ବୋତ୍ତମ ସୁରକ୍ଷା ଓ ସେବା ମାନଦଣ୍ଡକୁ ବଜାୟ ରଖିବା। ଯାତ୍ରୀ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ପୁରା ଟର୍ମିନାଲ ଯାତ୍ରୀ ଓ ତାଙ୍କ ଲଗେଜରେ ପ୍ୟାକ୍ ହୋଇଯାଇଛି। ରାତିତମାମ ଫସିଛନ୍ତି। ନା ଖାଇବା ନା ପିଇବାର ବ୍ୟବସ୍ଥା। ଫ୍ଲାଇଟ ଡ୍ୟୁଟି ଟାଇମ ଲିମିଟ ନିୟମ ଅନୁସାରେ ପାଇଲଟଙ୍କ ସାପ୍ତାହିକ ବିଶ୍ରାମର ଅବଧି ୩୬ରୁ ୪୮ଘଣ୍ଟାକୁ ବଢ଼ାଯାଇଥିଲା। ରାତିରେ ଲ୍ୟାଣ୍ଡିଂ କମ୍ କରିଦିଆଯାଇଛି। ଆଉ ନାଇଟ ଡ୍ୟୁଟିର ପରିଭାଷାକୁ ବିସ୍ତାରିତ କରାଯାଇଥିଲା। ହେଲେ ଏହାକୁ କାର୍ଯ୍ୟକାରୀ କରିନଥିଲା ଇଣ୍ଡିଗୋ। ଇଣ୍ଡିଗୋ ସଙ୍କଟରେ ଏସବୁରେ ରିହାତି ଦେଇଛନ୍ତି ସରକାର। ତା ସତ୍ତ୍ୱେ ନା ଥମୁଛି ଇଣ୍ଡିଗୋ ସଂକଟ ନା କମୁଛି ଯାତ୍ରୀ ଦୁର୍ଦ୍ଦଶା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *