ଜଙ୍ଗଲ ନିଆଁର ଆଁରେ ଇସ୍ରାଏଲ୍..

ଜଳୁଛି ଇସ୍ରାଏଲ୍। ଜଙ୍ଗଲ ନିଆଁରେ ସବୁ ଛାରଖାର ହେଲାଣି। ହଜାର ହଜାର ଲୋକ ଘର ଛାଡ଼ିଲେଣି। ଜୀବଜନ୍ତୁଙ୍କ ଜୀବନ ବିପଦ ଘେରରେ ପଡ଼ିଛି। ଜଙ୍ଗଲ ନିଆଁର ଆଁରେ ପୁରା ସହର ବି ଜଳିବା ଉପରେ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ବୁଧବାର ଚେତାବନୀ ବି ଦେଇଥିଲେ ଯେ, ୟୁରେସେଲମ ପାଖରେ ଲାଗିଥିବା ଜଙ୍ଗଲ ନିଆଁ ସହର ଯାଏ ପହଞ୍ଚିପାରେ। ପଶ୍ଚିମା ପବନ ନିଆଁକୁ ବ୍ୟାପିବାରେ ଅଧିକ ସହଜ କରୁଛି। ନିଆଁରେ ଅନେକ ଲୋକ ଆହତ ହେଲେଣି। ନିଆଁକୁ ନିୟନ୍ତ୍ରଣ କରିବାକୁ ଇସ୍ରାଏଲ ସକ୍ଷମ ହୋଇପାରିନି। ସେଥିଲାଗି ଅନ୍ତରାଷ୍ଟ୍ରୀୟ ସହାୟତା ଲାଗି ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ଅନେକ ଦେଶ ବି ସହାୟତା ଲାଗି ବିମାନ ପଠାଇଲେଣି। ସ୍ପେନ, ଫ୍ରାନ୍ସ, ରୋମାନିଆ, ଇଟାଲି, ୟୁକ୍ରେନ ଓ କ୍ରୋଏସିଆ ଦେଶ ପ୍ରମୁଖ ନିଆଁ ନିୟନ୍ତ୍ରଣ ଲାଗି ବିମାନ ପଠାଇଛନ୍ତି। ଇସ୍ରାଏଲର ଶହୀଦ ସୈନିକଙ୍କ ସ୍ମୃତି ଦିବସରେ ଲାଗିଥିଲା ନିଆଁ। ଯାହା ଭିଡ଼ିଓ ପଦାକୁ ଆସୁଛି, ତାହା ଦେଖିଲେ ସମସ୍ତେ ବିଚଳିତ ହେବା ସ୍ୱାଭାବିକ। ଲୋକେ ରାସ୍ତାରେ କାର୍ ଛାଡ଼ି ଜୀବନ ବିକଳରେ ଧାଉଁଛନ୍ତି। ପାହାଡ଼ିଆ ଅଞ୍ଚଳରେ ଧୂଆଁର ଆସ୍ତରଣ ଖେଳିଗଲାଣି। ନିଆଁ ଶହେରୁ ଅଧିକ ସ୍ଥାନକୁ ବ୍ୟାପିଗଲାଣି। ୩ହଜାର ଏକର ପରିମିତ ଜଙ୍ଗଲ ପୋଡ଼ି ପାଉଁଶ ହୋଇସାରିଲାଣି। ୟେରୁସେଲମ ତେଲ ଅବିବ୍ ସହ ଯୋଡ଼ୁଥିବା ମୁଖ୍ୟ ରୁଟ୍ ବନ୍ଦ କରିଦିଆଯାଇଛି। ରେଳ ସେବା ବି ପ୍ରଭାବିତ ହୋଇଛି। ୟେରୁସେଲମର ୩୦ କିଲୋମିଟର ପଶ୍ଚିମ ପାର୍ଶ୍ୱରେ ଥିବା ସାଲୋମ, ବେକୋଆ, ତାଓଜ, ମିସମାର ଅୟାଲୋନ, ମେଓ୍ୱା ହୋରୋନ ଅଞ୍ଚଳରୁ ଲୋକଙ୍କୁ ଖାଲି କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୧୬୦ରୁ ଅଧିକ ଅଗ୍ନିଶମ ବିଭାଗର ଫାୟାର ଫାଇଟର ନିୟୋଜିତ ଥିଲେ ହେଁ ସମର୍ଥ ହୋଇପାରୁନାହାନ୍ତି ନିଆଁ ନିୟନ୍ତ୍ରଣରେ। ଡଜନରୁ ଅଧିକ ବିମାନ ଓ ହେଲିକେପ୍ଟର ଯୋଗେ ପାଣି ସିଞ୍ଚନ କରି ନିଆଁକୁ କାବୁ କରିବାକୁ ପ୍ରୟାସ ଜାରି ରହିଛି। ଦେଶର ସେନା ବି ନିଆଁ ନିୟନ୍ତ୍ରଣ ଅଭିଯାନରେ ସାମିଲ୍ ହୋଇଛନ୍ତି। କିନ୍ତୁ ପବନର ଅଧିକ ଗତିରୁ ନିଆଁକୁ ନିୟନ୍ତ୍ରଣ କରାଯାଇପାରୁନି।ଏହା ଦେଶର ଇତିହାସରେ ସବୁଠୁ ବଡ଼ ଅଗ୍ନିକାଣ୍ଡ ବୋଲି କୁହାଯାଉଛି। ଦେଶରେ ଏମର୍ଜେନ୍ସି ସ୍ଥିତି ଜାରି ହୋଇଛି। ଯେଉଁ କ୍ଷେତ୍ରରେ ନିଆଁ ଲାଗିଛି, ସେଠାରେ ଲୋକଙ୍କୁ ନାସନାଲ ପାର୍କ ଓ ଜଙ୍ଗଲକୁ ଯିବାକୁ ବାରଣ କରାଯାଇଛି। ଅନେକ ରାସ୍ତାକୁ ବି ସିଲ୍ କରିଦିଆଯାଇଛି। ନିଆଁ ଉପରେ ନିୟନ୍ତ୍ରଣ ଲାଗି ବେଶ୍ କିଛି ଦିନ ଲାଗିବ ବୋଲି ଇସ୍ରାଏଲି ଅଗ୍ନିଶମ ବିଭାଗ କହିଛି। ଇସ୍ରାଏଲରେ ଲାଗିଥିବା ନିଆଁକୁ ୨୦୧୦ରେ ମାଉଣ୍ଟ କାର୍ମେଲରେ ହୋଇଥିବା ବିନାଶକାରୀ ନିଆଁ ସହ ତୁଳନା କରାଯାଉଛି। ସେତେବେଳେ ୪୪ ଜଣଙ୍କ ମୃତ୍ୟୁ ସହ ୧୨ହଜାର ଏକର ଜମି ପୋଡ଼ି ଧ୍ୱଂସ ହୋଇଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *