ଥାନା ବାବୁ ସୂର୍ଯ୍ୟନାଥ ପାଶଓ୍ୱାନଙ୍କ କାରନାମା ଯିଏ ଶୁଣୁଛି ଆଉ ଦେଖୁଛି, ମୁଣ୍ଡରେ ହାତ ଦେଉଛି। ୟୁପିର କୁଶୀନଗର ଖଡ୍ଡା ଥାନା ଅଧିକାରୀ ପାଶଓ୍ୱାନ ଯେଭଳି କାଣ୍ଡ କରିଛନ୍ତି, ତାହା ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ଥାନାରେ ଜଣେ ଅଭିଯୁକ୍ତକୁ ୪ଦିନ ଯାଏଁ ବସାଇଲେ। ଛାଡ଼ିବାକୁ ପରିବାରଠୁ ଦେଢ଼ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ। ଆଉ ୮୩ହଜାର୮ଶହ ଟଙ୍କା ଅସୁଲି କଲେ। ପରିବାର ଲୋକେ ଜମି ବନ୍ଧା ପକାଇ ଟଙ୍କା ଯୋଗାଡ଼ କରିଥିଲେ। ତା ପରେ ବି ଯୁବକକୁ ଜେଲ୍ ପଠାଇଦେଲେ। ଟଙ୍କା ବି ନେଲେ ଆଉ ଜେଲ୍ ବି ପଠାଇଦେଲେ। ଆଉ ପରିବାର ଲୋକେ ଏହାର ଅଭିଯୋଗ କରିବାରୁ ଘରେ ପହଞ୍ଚି ପରିବାରଲୋକଙ୍କୁ କ୍ଷମା ମାଗିଛନ୍ତି। ଦେଖନ୍ତୁ ଏ ଭିଡ଼ିଓକୁ। କେମିତି ଲାଞ୍ଚୁଆ ଅଧିକାରୀ ଗୋଡ଼ ହାତ ଧରି ଏ ମାମଲାକୁ ଆଗକୁ ନ ବଢ଼ାଇବାକୁ କାକୁତିମିନତି ହୋଇଥିଲେ। ଧାରା ଦୁର୍ବଳ ଲଗାଇଛି ବୋଲି ସଫେଇ ଦେଇଥିଲେ। ନେଇଥିବା ଟଙ୍କାର ଅଧା ଫେରାଇବେ ବୋଲି କହିଛନ୍ତି ଥାନା ବାବୁ। ପ୍ରେମ ପ୍ରସଙ୍ଗରେ ଯୁବକକୁ ଧରିଥିଲେ ଥାନା ବାବୁ। ଜଣେ ଝିଅକୁ ଧରି ଫେରାର୍ ହୋଇଯାଇଥିଲେ ଯୁବକ ଜଣକ। ଆଉ ନିଜେ ବି ମାନିଛନ୍ତି, କେମିତି ତାକୁ ଛାଡ଼ିବାକୁ ୮୦ ହଜାର ଟଙ୍କା ନେଇଛନ୍ତି ବୋଲି। କୁଶୀନଗର ଖଡ୍ଡା ଥାନା ଅନ୍ତର୍ଗତ ତୁର୍କହା ଗାଁର ଏହି ମାମଲା ଅଟେ। ଭିଡ଼ିଓ ଭାଇରାଲ ପରେ ଥାନା ଅଧିକାରୀଙ୍କୁ ଚାକିରୀରୁ ନିଲମ୍ୱିତ କରିଦିଆଯାଇଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now