ପାକିସ୍ତାନର ଲାହୋର ଏୟାରପୋର୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ପାକିସ୍ତାନୀ ସେନାଙ୍କୁ ନେଇ ବିମାନ ଅବତରଣ ବେଳେ ଅଚାନକ ଟାୟାରରେ ନିଆଁ ଲାଗିଯାଇଥିଲା। ନିଆଁକୁ ନିୟନ୍ତ୍ରଣ କରିବାକୁ ଅଗ୍ନିଶମ ବିଭାଗ ତୁରନ୍ତ ପହଞ୍ଚିଥିଲା। ଏହି ଘଟଣା ପରେ ସମସ୍ତ ଇଣ୍ଟରନାସନାଲ ଫ୍ଲାଇଟକୁ ବାତିଲ୍ କରିଦିଆଯାଇଛି। ରନଓ୍ୱେକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ହଜାର ହଜାର ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ଯେଉଁ ସବୁ ବିମାନ ଲାହୋର ବିମାନବନ୍ଦରରେ ଅବତରଣ କରିବାର ଥିଲା, ସେମାନଙ୍କ ରୁଟ୍ ପରିବର୍ତ୍ତନ କରିଦିଆଯାଇଛି। ମାମଲାର ଯାଞ୍ଚ ଆରମ୍ଭ ହୋଇଛି। ପାକିସ୍ତାନର ଅଲ୍ଲାମା ଆନ୍ତର୍ଜାତୀୟ ବିମାନବନ୍ଦରରେ ଏଭଳି ଅଗ୍ନିକାଣ୍ଡ ପ୍ରଥମ ଥର ହୋଇନି। ଏହି ବ୍ୟସ୍ତବହୁଳ ଏୟାରପୋର୍ଟରେ ଗଲା ମେ ୨୦୨୩ରେ ଇମିଗ୍ରେସନ ସେଣ୍ଟରର ଛାତରେ ସର୍ଟସର୍କିଟରୁ କାଉଣ୍ଟରରେ ନିଆଁ ଲାଗିଯାଇଥିଲା। ଏଥିରେ ଇମିଗ୍ରେସନ ସିଷ୍ଟମ ପୁରା ଠପ୍ ହୋଇଯିବାରୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପ୍ରିଲ ୨୦, ୨୦୧୨ରେ ଭୋଜା ଏୟାରକ୍ରାସ୍ ଘଟଣାରେ ୧୨୧ ଯାତ୍ରୀଙ୍କ ସମେତ ୬ଜଣ କ୍ରୁ ମେମ୍ୱରଙ୍କ ମୃତ୍ୟୁ ହୋଇଥିଲା। ଇସଲାମାବାଦରୁ ଖରାପ ପାଗ ସତ୍ତ୍ୱେ ଉଡ଼ାଣ ଭରିଥିବାରୁ ଏଭଳି ଦୁର୍ଘଟଣା ହୋଇଥିଲା। ମେ ୮, ୨୦୧୫ରେ ପାକିସ୍ତାନୀ ସେନା ହେଲିକେପ୍ଟର ଗିଲଗିଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ନରଓ୍ୱେ, ଫିଲିପିନ୍ ଓ ଇଣ୍ଡୋନେସିଆର ରାଜଦୂତମାନଙ୍କ ପତ୍ନୀଙ୍କ ସମେତ ୮ଜଣ ମୃତ୍ୟୁବରଣ କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now