ବଲିଉଡ ଓ ଟେଲିଭିଜନ୍ ଜଗତର ଖ୍ୟାତନାମା ଅଭିନେତା ମୁକୁଲ ଦେବ୍ ଆଉ ନାହାନ୍ତି। ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କର ଅକାଳ ବିୟୋଗ ଅଭିନୟ ଜଗତରେ ଏକ ଗଭୀର ଶୂନ୍ୟତା ସୃଷ୍ଟି କରିଛି।କିଛି ଦିନ ହେଲା ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଥିବା ମୁକୁଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଆଉ ଶେଷରେ ସବୁଦିନ ଲାଗି ଆଖି ବୁଜିଦେଇଛନ୍ତି ମୁକୁଲ। ମୁକୁଲ ଦେବ ୧୯୯୬ରେ ଟିଭି ସୋ ମୁମକିନ୍ ରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ଦସ୍ତକ ଚଳଚ୍ଚିତ୍ରରେ ଏସିପି ରୋହିତ ମଲହୋତ୍ରା ଭୂମିକାରେ ଅଭିନୟ କରିଥିଲେ। ଯେଉଁଠି ସୁସ୍ମିତା ସେନଙ୍କ ସହ ତାଙ୍କର ଯୁଗଳବନ୍ଦୀ ଦେଖିବାକୁ ମିଳିଥିଲା। ସନ ଅଫ ସର୍ଦ୍ଦାରରେ ଟୋନି ସିଂ ସଂଧୁଙ୍କ ଚରିତ୍ରରେ ଅଭିନୟ କରିଥିଲେ ମୁକୁଲ। ୟମଲା ପଗଲା ଦିୱାନା, ଆର. ରାଜକୁମାର ଓ ଜୟ ହୋ ଭଳି ଫିଲ୍ମରେ ନିଖୁଣ ଅଭିନୟର ଛାପ ଛାଡ଼ିଛନ୍ତି ମୁକୁଲ।ମୁକୁଲ୍ ଦେବ ଜନ୍ମ ନେଇଥିଲେ ଦିଲ୍ଲୀରେ। ପ୍ରାଥମିକ ଶିକ୍ଷା ପରେ ସେ ବିମାନ ଚାଳନା ଶିକ୍ଷା ନେଇଥିଲେ, କିନ୍ତୁ ପରେ ଅଭିନୟକୁ ପେଶା ଭାବେ ଗ୍ରହଣ କରିଥିଲେ। ସେ ଅଭିନେତା ରାହୁଲ୍ ଦେବଙ୍କ ଭାଇ। ତାଙ୍କ ବିବାହ ଶିଲ୍ପା ଦେବଙ୍କ ସହ ହୋଇଥିଲା, କିନ୍ତୁ ୨୦୦୫ ମସିହାରେ ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା। ତାଙ୍କର କନ୍ୟା ସିଆ ମାଆଙ୍କ ସହ ରୁହନ୍ତି। ବିଚ୍ଛେଦ, ପିତାମାତାଙ୍କର ମୃତ୍ୟୁ ଓ ପରିବାର ଦୂରତା ତାଙ୍କୁ ମାନସିକ ଭାବେ ବେଶ କ୍ଷୁବ୍ଧ କରିଥିଲା।ମୁକୁଲ୍ ଦେବଙ୍କ ଶେଷ ଇନ୍ଷ୍ଟାଗ୍ରାମ ପୋଷ୍ଟ୍ ଏକ ରହସ୍ୟମୟ ସନ୍ଦେଶ ଥିଲା, ଯାହା ଏବେ ତାଙ୍କ ଫ୍ୟାନ୍ସ ଗୁରୁତର ସହ ନୀରିକ୍ଷଣ କରିବାରେ ଲାଗିଛନ୍ତି। ତାଙ୍କ ଶେଷ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଅଭିନେତାମାନେ ଓ ଫ୍ୟାନ୍ସଙ୍କ ସୁଅ ଛୁଟିବାରେ ଲାଗିଛି। ତାଙ୍କ ଦେହାନ୍ତ ସମ୍ବାଦ ପରେ ବଲିଉଡ଼ ଓ ଟେଲିଭିଜନ୍ ଜଗତରୁ ଅନେକ ଅଭିନେତା ଓ ଅଭିନେତ୍ରୀ ଶୋକ ଜଣାଇଛନ୍ତି। ସୋନୁ ସୂଦ୍, ବିନ୍ଦୁ ଦାରା ସିଂହ୍, ଓ ମନୋଜ ବାଜପେୟୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମନୋଜ ବାଜପେୟୀ ତାଙ୍କୁ ଭାଇ ପରି ଭାବିଥିଲେ ବୋଲି କହିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now