ଓଡ଼ିଶା

ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସ ନଗର ଭ୍ରମଣରେ ବାହାରିଲେ

ବରଗଡ: ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସ ନଗର ଭ୍ରମଣରେ ବାହାରି ପ୍ରଜାଙ୍କ ସୁଖ ଦୁଃଖ ବୁଝିବା ସହ ସ୍ଥାନୀୟ ଲୋକମଣ୍ଡପ ପଡ଼ିଆଠାରେ ଦର୍ଶକଙ୍କ ମନରଂଜନ ପାଇଁ ରଂଗମହଲର ଉଦ୍‌ଘାଟନ କରିଛନ୍ତି । ସେପଟେ ଭଗବାନ ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଥିବାବେଳେ କଂସର ଭୟରେ ବସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିଛନ୍ତି ଏବଂ ଯଶୋଦା କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାକୁ ଧରି ମଥୁରା ଫେରିଛନ୍ତି ।

ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜା କଂସ ଙ୍କ ନଗର ଭ୍ରମଣ ଦୃଶ୍ୟ ବେଶ ମନୋରମ ହୋଇଥିବାବେଳେ ନଗର ଭ୍ରମଣ ସମୟରେ ନିୟମ ମାନୁ ନଥିବା ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରିଥିଲେ। ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିଦର୍ଶନରେ ବାହାରି ମହାବିଦ୍ୟାଳୟ ବାହାରେ ରହିଥିବା ଆବର୍ଜନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଅଧ୍ୟାପକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ମଥୁରା ବାସୀଙ୍କ ମନୋରଂଜନ ପାଇଁ ଲୋକମଣ୍ଡପ ପଡ଼ିଆ ଠାରେ ରଙ୍ଗମହଲ ଉଦଘାଟନ କରିଥିଲେ । ବରଗଡ ସାଂସଦ ସୁରେଶ ପୂଜାରୀ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ରଙ୍ଗମହଲର ଦାୟିତ୍ଵ ମହାମନ୍ତ୍ରୀ ସାର୍ତ୍ତକିଙ୍କୁ ଦେଇ ପ୍ରତିଦିନ ରାଜ୍ୟ ତଥା ରାଜ୍ୟବାହାର କଳାକାରଙ୍କ ନୃତ୍ୟ ପରିବେଷଣ ପାଇଁ ଆଦେଶ ଦେଇଥିଲେ କଂସ। ଏହାପରେ ମହାରାଜ କଂସ ରାଜଦରବାରକୁ ଫେରି ଆସିଥିବା ବେଳେ ମାତା ଇନ୍ଦୁମତୀଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ହତ୍ୟା କରିଛନ୍ତି ଦୂର୍ମିଳାସୁର ରାକ୍ଷସଙ୍କୁ । ତେବେ ନିଜସୁରକ୍ଷା ପାଇଁ ମହର୍ଷି ନାରଦଙ୍କ ଠାରୁ ବିଜ ମନ୍ତ୍ର ନେଇ ଚାନୁର ମୁଷ୍ଟିକକୁ ଆବାହନ କରିଛନ୍ତି ମହାରାଜ କଂସ ।ଏମାନଙ୍କ ମନୋରଂଜନ ପାଇଁ ଆୟୋଜନ କରିଛନ୍ତି ନୃତ୍ୟଗୀତର କାର୍ଯ୍ୟକ୍ରମ । ଏହି ନୃତ୍ୟଗୀତର ତାଳେତାଳେ ଦର୍ଶକ ମଧ୍ୟ ଝୁମିଉଠିଥିଲେ।

ଅନ୍ୟପକ୍ଷରେ ଦେବକୀଙ୍କ ଗୋଟିଏ ପରେ ଗୋଟିଏ ଶିଶୁପୁତ୍ରଙ୍କୁ କଂସ ହତ୍ୟା କରିଚାଲିଥିବା ବେଳେ ଅଷ୍ଟମ ସନ୍ତାନ ଆକସ୍ମିକ ଭାବେ ଅନ୍ତର୍ଧ୍ୟାନ ହୋଇଯାଇଥିଲେ। କାରାଗାର ର ସମସ୍ତ ଜଗୁଆଳୀ କାଳନିଦ୍ରାରେ ଶୋଇ ପଡ଼ିଥିଲାବେଳେ କଂସର ଅତ୍ୟାଚାରରୁ ମଥୁରାବାସୀଙ୍କୁ ଉଦ୍ଧାର କରିବାକୁ ଏକ ଆଲୌକିକ ସମୟରେ ଭଗବାନ ଶ୍ରୀକୃଷ୍ଣ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଥିଲେ। ଏହି ସମୟରେ ସ୍ୱୟଂ ବିଷ୍ଣୁ ବାସୁଦେବଙ୍କୁ ସ୍ୱପ୍ନାଦେଶରେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନଙ୍କୁ ଗୋପପୁରରେ ଛାଡ଼ିବାକୁ କହିଥିଲେ। ଏହାପରେ ମଥୁରା କାରାଗାରର ସମସ୍ତ ଦ୍ୱାର ଆପେ ଆପେ ଖୋଲିଯାଇ ଥିବାବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଧରି ବାସୁଦେବ ବାହାରି ପଡ଼ିଥିଲେ ଗୋପପୁରକୁ । ଶ୍ରୀକୃଷ୍ଣଙ୍କ ଦେହରେ ଭଗବାନ ବିଷ୍ଣୁଙ୍କ ରୂପ ଦେଖୁ ଆତ୍ମବିଭୋର ହୋଇପଡ଼ିଥିଲେ ଉଗ୍ରସେନ ଓ ବାସୁଦେବଙ୍କୁ ବାଟ ଛାଡ଼ିଦେଇଥିଲେ। ବାସୁଦେବ ଗଭୀର ଯମୁନା ନଦୀ ପାରିହେଉ ଥିବା ବେଳେ ଯମୁନା ନଦୀ ମଧ୍ୟ ଶ୍ରୀକୃଷ୍ଣଙ୍କ ପାଦ ସ୍ପର୍ଶ କରି ପବିତ୍ର ହୋଇଛି । ନନ୍ଦଭବନ କୁ ପହଂଚି ସେଠାରେ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଥୋଇ ଦେଇ ଶିଶୁ  କନ୍ୟାସହ ପ୍ରତ୍ୟାବର୍ତ୍ତନ କରିଛନ୍ତି ମଥୁରା ନଗରୀକୁ । ତେବେ ଆଜି ରାଜଦରବାରରେ ରାଜ ଅତିଥି ହୋଇ ଆସିଥିଲେ  ସମ୍ବଲପୁରୀ ଫିଲ୍ମ ଖରାର ନିର୍ଦ୍ଦେଶକ ଯୁଗଳ ସାହୁ,ସଙ୍ଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ ଓ ନିର୍ଦ୍ଦେଶିକା ମାନସୀ ପାଣିଗ୍ରାହୀ,ଏମାନଙ୍କ ସମ୍ବଲପୁରୀ ଗୀତରେ ଦର୍ଶକ ଝୁମି ଉଠିଥିଲେ ।

ଧନୁ ଯାତ୍ରାରେ ଶ୍ରୀକୃଷ୍ଣଙ୍କ ମାହାତ୍ମ୍ୟ, କଂସ ମହାରାଜାଙ୍କ ଦର୍ପକୁ ଚୁରମାର କରିବାକୁ ଶ୍ରୀକୃଷ୍ଣଙ୍କ ଜନ୍ମ ଅବତାରକୁ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ସମବେତ ଦର୍ଶକ।

ଧୃବ କର୍ମୀ

Leave a Reply

Your email address will not be published.

Back to top button