ନେପାଳ ହିଂସା ଲାଗି ଫସିଛନ୍ତି ଭାରତୀୟ ପର୍ଯ୍ୟଟକ। ତ୍ରିଭୂବନ ବିମାନବନ୍ଦର ବନ୍ଦ ହୋଇପଡ଼ିବାରୁ ଫେରିପାରୁନାହାନ୍ତି ଭାରତୀୟ। ପ୍ରାୟ ୫ହଜାର ଭାରତୀୟ ପର୍ଯ୍ୟଟକଙ୍କ ଭିତରୁ ହଜାରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଗଲାଣି। କାଠମାଣ୍ଡୁ, ପୋଖରା ଓ ମୁକ୍ତିନାଥ ଭଳି ପର୍ଯ୍ୟଟନସ୍ଥଳୀ ପ୍ରଭାବିତ ହୋଇଛି। ଭାରତୀୟଙ୍କୁ ନିରାପଦ ପ୍ରତ୍ୟାବର୍ତ୍ତନ ଲାଗି ଭାରତ ସରକାର ଅଣ୍ଟା ଭିଡ଼ିଛନ୍ତି। ରେସକ୍ୟୁ ଅପରେସନ ଆରମ୍ଭ ସହ ହେଲପଲାଇନ ନମ୍ୱର ଜାରି କରିଛନ୍ତି ସରକାର। ନେପାଳର ବିଭିନ୍ନ ଭାଗରେ ହିଂସାର ନିଆଁ ଜଳୁଥିବାରୁ ରାସ୍ତାଘାଟ ଜାମ୍ ହୋଇପଡ଼ିଛି। ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିଥିବାରୁ ବାହାରି ପାରୁନାହାନ୍ତି ଭାରତୀୟ ପର୍ଯ୍ୟଟକ। ନେପାଳ ପ୍ରଶାସନ ସହ କଥା ହୋଇ କେମିତି ଭାରତୀୟଙ୍କୁ ରେସକ୍ୟୁ କରିହେବ, ସେ ନେଇ ଭାରତ ସରକାର ନିରନ୍ତର ସମ୍ପର୍କରେ ଅଛନ୍ତି। ନେପାଳରେ ଥିବା ଭାରତୀୟ ଦୂତାବାସକୁ ବି ଜଗିଛି ସେନା। ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ କହିଛନ୍ତି, ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ବାହାର କରିବା ହେଉଛି ପ୍ରାଥମିକତା। ଫସିଥିବା ପର୍ଯ୍ୟଟକ ସୋସିଆଲ ମିଡିଆରେ ସେମାନଙ୍କୁ ନିରାପଦ ଭାବେ ବାହାର କରିବା ସହ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ ସକାଶେ ସାହାଯ୍ୟ ମାଗି ଆତୁର ହୋଇଛନ୍ତି। ସେନା ଯଦିଓ ମୋର୍ଚ୍ଚା ସମ୍ଭାଳିଛି, ତଥାପି ହିଂସା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇନି ବୋଲି କହିଛନ୍ତି ଭାରତୀୟ। ନେପାଳରେ ଭଲିବଲ୍ ଲିଗ୍ ଆୟୋଜନ ପାଇଁ ଯାଇଥିବା ଉପାସନା ହାତଯୋଡ଼ି ବିକଳ ହୋଇ ତାଙ୍କ ପ୍ରତି ନିର୍ଯାତନାର କଥା ବଖାଣିବା ସହ ଉଦ୍ଧାର କରିବାକୁ ଅପିଲ୍ କରିଛନ୍ତି। ଭାରତୀୟ ଦୂତାବାସ ସେମାନଙ୍କୁ ହୋଟେଲରେ ରହିବାକୁ ପରାମର୍ଶ ଦେଇଛି। ସ୍ଥିତି ସ୍ୱାଭାବିକ ମାତ୍ରେ ଉଦ୍ଧାର କରାଯିବ ବୋଲି କୁହାଯାଇଛି। ହିଂସା ସାଙ୍ଗକୁ କର୍ଫ୍ୟୁ ସ୍ଥିତିରେ ଭାରତୀୟ ପର୍ଯ୍ୟଟକ ଭୟଭୀତ ହୋଇପଡ଼ିଲେଣି। ନେପାଳରେ ଫସିଥିବା ଭାରତୀୟଙ୍କୁ ସହଯୋଗ କରିବାକୁ ଆଗେଇଆସିଛି ରାଜସ୍ଥାନ ପୁଲିସ। ସ୍ୱତନ୍ତ୍ର ସେଲ୍ ଗଠନ କରି ଏହାକୁ ୨୪ ଘଣ୍ଟିଆ ସକ୍ରିୟ କରାଯାଇଛି। ହ୍ୱାଟସଅପ ନମ୍ୱର ୯୭୮୪୯୪୨୭୦୨ରେ ମେସେଜ୍ ପଠାଇ ସହଯୋଗ ଲୋଡ଼ିପାରିବେ ଭାରତୀୟ। ଭାରତ ସରକାର ଦୁଇଟି ଏମର୍ଜେନ୍ସି ଓ୍ୱାଟସଅପ ନମ୍ୱର ୯୭୭-୯୮୦୮୬୦୨୮୮୧, ୯୭୭- ୯୮୧୦୩୨୬୧୩୪ ଜାରି କରିଛନ୍ତି। ଅନେକ ଭାରତୀୟ ନାଗରିକ ଆଜି ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର ପାନିଟଙ୍କି ଦେଇ ଭାରତ-ନେପାଳ ସୀମା ପାର୍ କରି ଭାରତ ଫେରିଲେଣି। ଆଉ ଅନେକ ପର୍ଯ୍ୟଟକଙ୍କର ଟୁର୍ ପ୍ଲାନ୍ ସରିଯାଇଥିଲା ବେଳେ ଆଉ କେତେଦିନ ନେପାଳରେ ଫସିରହିବେ, ସେ ନେଇ ଆଶଙ୍କା ଓ ଅନିଶ୍ଚିତତାରେ ଅଛନ୍ତି। ସେପଟେ ନେପାଳକୁ ଯାତ୍ରା କରିବାକୁ ପ୍ଲାନ୍ କରିଥିବା ଟ୍ରାଭେନ୍ସକୁ କ୍ୟାନସଲ କରି ନିଜ ଘରକୁ ଫେରିଛନ୍ତି ଭାରତୀୟ। ଭାରତ-ନେପାଳ ସୀମାରେ ୟୁପିର ମହାରାଜଗଞ୍ଜରୁ ଯାତ୍ରୀ ଫେରିଛନ୍ତି ନିଜ ଘରକୁ। ଆନ୍ଧ୍ରରୁ ଯାଇଥିବା ଶତାଧିକ ପର୍ଯ୍ୟଟକଙ୍କ ସହ ଭିଡିଓ କଲରେ ସିଧାସଳଖ ସମ୍ପର୍କ ଯୋଡ଼ିଛନ୍ତି ମନ୍ତ୍ରୀ ନାରାଲୋକେଶ। ୧୮ ଗୁଜୁରାଟି କାଠମାଣ୍ଡୁରେ ଫସିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି କଂଗ୍ରେସ ସାଂସଦ ଶକ୍ତିସିଂ ଗୋହିଲ। ୟୁପି ପୁଲିସ ବି ସ୍ପେଶିଆଲ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଛି। ୟୁପି-ନେପାଳ ସୀମାରେ ହାଇଆଲର୍ଟ ଜାରି ହୋଇଛି। ବାହାରାଇଚ, ଶ୍ରାବସ୍ତି, ଲଖିମପୁର ଓ ମହାରାଜଗଞ୍ଜରେ ଅତିରିକ୍ତ ପୁଲିସଫୋର୍ସ ମୁତୟନ ହୋଇଛି। ସୋସିଆଲ ମିଡ଼ିଆରେ କୌଣସି ଗୁଜବକୁ ପ୍ରତିହତ କରିବାକୁ ନିର୍ଦେଶ ଦିଆଯାଇଛି। ସେପଟେ ନେପାଳ ହିଂସାରେ କାଠମାଣ୍ଡୁରେ ଥିବା ଭାରତୀୟଙ୍କ ମାଲିକାନାରେ ଥିବା ମଲ୍, ଦୋକାନ ଓ ହୋଟେଲକୁ ଭଙ୍ଗାରୁଜା କରାଯାଇଛି। ପାକିସ୍ତାନ ଆଇଏସଆଇ ଏଜେଣ୍ଟ ଭାରତ ବିରୋଧୀ ନାରେଟିଭ୍ସକୁ ଅନଲାଇନ କ୍ୟାମ୍ପେନରେ ପ୍ରଚାର କରିଛି। ଆଉ ଭାରତୀୟଙ୍କୁ ଟାର୍ଗେଟ କରାଯାଉଛି। ନେପାଳ ହିଂସାରୁ ସୀମା ପାର୍ କରିଥିବା ୨ଶହ ଭାରତୀୟ ଟ୍ରକ୍ ଚାଳକ ବେଲହିୟାରେ ଫସିରହିଛନ୍ତି। ସୋନୌଲି ସୀମାରେ ବିଏସଏଫର ବ୍ୟାରିକେଡରୁ ହନ୍ତସନ୍ତ ହେଲେଣି ଚାଳକ। କେବଳ ପଦଯାତ୍ରୀଙ୍କୁ ଅନୁମତି ମିଳୁଛି। କିନ୍ତୁ ଟ୍ରକକୁ ଛଡ଼ାଯାଉନି। ନେପାଳରୁ ଫେରୁଥିବା ଭାରତୀୟ ଟ୍ରକକୁ ଭାରତରେ ପ୍ରବେଶ ଅନୁମତି ମିଳୁନି। ସୀମାରେ ଟ୍ରକ୍ ନେଇ ରହିଲେ କାଳେ କୌଣସି ଉପଦ୍ରବୀ ହିଂସା ଭିଆଇବେ, ସେ ଆଶଙ୍କାରେ ଅଛନ୍ତି ଚାଳକ।ନେପାଳ ହିଂସାର ନିୟନ୍ତ୍ରଣ ଲାଗି କମାଣ୍ଡ ସମ୍ଭାଳିଛି ସେନା। କିନ୍ତୁ ପରିସ୍ଥିତି ଏବେ ବି ଉତ୍ତେଜନା ରହିଛି। ଏଭଳି ସ୍ଥିତିରେ ଭାରତୀୟଙ୍କ ସୁରକ୍ଷାକୁ ନେଇ ଟେନସନ ବି ବଢ଼ିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now