ଆତଙ୍କି ଆକ୍ରମଣରୁ ଅପରେସନ ସିନ୍ଦୂର- ସଂସଦରେ ଗୋହି ଖୋଳାଖୋଳି

ଅପରେସନ ସିନ୍ଦୂରକୁ ନେଇ ଲୋକସଭାରେ ଆଲୋଚନା ବେଳେ ଆଜି ବିରୋଧୀଙ୍କୁ ଧୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଅଖିଳେଶଙ୍କଠୁ ନେଇ ପି.ଚିଚାମ୍ୱରମଙ୍କ ଯାଏ। ପୂର୍ବତନ ପିଏମ ନେହେରୁଙ୍କଠୁ ନେଇ ସୋନିଆଙ୍କ ପର୍ଯ୍ୟନ୍ତ। ବିତର୍କ ଚାଲିଥିଲା ବେଳେ ପହଲଗାଁଓ ଆତଙ୍କି ଆକ୍ରମଣରେ ସଂପୃକ୍ତ ୩ ଆତଙ୍କବାଦୀ ଅପରେସନ ମହାଦେବରେ ସଫା ହୋଇସାରିଛନ୍ତି ବୋଲି ଗୃହକୁ ଅବଗତ କରାଇଛନ୍ତି ଶାହା। ସେମାନେ ହେଲେ ସୁଲେମାନ, ଆଫଗାନ ଓ ଜିବ୍ରନ। କିନ୍ତୁ ଏ କଥା ବିରୋଧୀ ଶୁଣି ଖୁସି ହୋଇପାରୁନାହାନ୍ତି ବୋଲି କଟାକ୍ଷ ଫିଙ୍ଗିଛନ୍ତି ଶାହା। ଶାହା କହିଥିଲେ, ଅଖିଳେଶ କଅଣ ପାକିସ୍ତାନ ସହ କଥାବାର୍ତ୍ତା ହେଉଛନ୍ତି କି। ଆତଙ୍କବାଦୀଙ୍କ ଧର୍ମ ଦେଖି ଦୁଃଖି ହୁଅନି ବୋଲି ତୀର୍ଯ୍ୟକ ତୀର ମାରିଥିଲେ ଶାହା। ଏହା ସହ ଆତଙ୍କବାଦୀ କେମିତି ଓ କେଉଁ ବାଟେ ପଶିଲେ, ତାହାର ବି ଚିଠା ଖୋଲିଛନ୍ତି ସଂସଦରେ ଶାହା। ୨ଟି ଏକ-୪୭ ଓ ଗୋଟିଏ କାର୍ବାଇନ ବ୍ୟବହାର କରିଥିଲେ ଆତଙ୍କବାଦୀ। ଆତଙ୍କବାଦୀଙ୍କୁ ଶରଣ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଏନଆଇଏ ଗିରଫ କରିଛି। ଏହା ସହ ପୂର୍ବତନ ଗୃହମନ୍ତ୍ରୀ ପି.ଚିଦାମ୍ୱରମ ଉଠାଇଥିବା ପ୍ରଶ୍ନକୁ ଧରି କଂଗ୍ରେସକୁ ଟାର୍ଗେଟ କରିଥିଲେ ଶାହା। ଆତଙ୍କବାଦୀ ପାକିସ୍ତାନରୁ ଆସିଥିବା ପ୍ରମାଣ ମାଗିଥିଲେ ଚିଦାମ୍ୱରମ। ପାକିସ୍ତାନକୁ ବଞ୍ଚାଇ କଅଣ ମିଳିବ। ଆଉ ଦୁଇ ଜଣ ଆତଙ୍କବାଦୀଙ୍କ ଭୋଟର ଆଇଡି, ଚକୋଲେଟରୁ ପାକିସ୍ତାନୀ ପ୍ରମାଣ ମିଳିଛି। ଆକ୍ରମଣରେ ବ୍ୟବହୃତ ରାଇଫଲ ମେଡ୍ ଇନ୍ ପାକିସ୍ତାନ। ପୂର୍ବତନ ଗୃହମନ୍ତ୍ରୀ ଚିଦାମ୍ୱରମ କେଉଁ ଆଧାରରେ ପାକିସ୍ତାନକୁ କ୍ଲିନଚିଟ୍ ଦେଉଛନ୍ତି। ପାକିସ୍ତାନକୁ ରକ୍ଷା କରିବାକୁ ଚାହୁଁଥିବା ଷଡ଼ଯନ୍ତ୍ରର ପରିଣତି ଭୋଗିବେ ବୋଲି ଚେତାଇ ଦେଇଥିଲେ ଶାହା। ଏହା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ତୃଟି ଲାଗି ପିଓକେ ସୃଷ୍ଟି ହୋଇଛି, ସେ କଥାର ଅବତାରଣା କରିଥିଲେ ଶାହା। ନେହେରୁ ଏକପାଖିଆ ଯୁଦ୍ଧବିରତି ଘୋଷଣାରୁ ଏଭଳି ସ୍ଥିତି ସୃଷ୍ଟି ହେଲା। ଗୋଗୋଇ ପାକିସ୍ତାନ ତ ଅନେକ ଥର ଗଲେଣି। କିନ୍ତୁ କେବେ ସୀମାକୁ ଯାଇ ଜବାନଙ୍କ କଷ୍ଟ ଦେଖିଆସ ବୋଲି ପରାମର୍ଶ ଦେଇଛନ୍ତି ଶାହା। ସେପଟେ ଡିଏମକେ ନେତ୍ରୀ କାନିମୋଝୀ କହିଛନ୍ତି, ମୋଦିଙ୍କ ବିଫଳତା ଲାଗି ନେହେରୁଙ୍କୁ ଦାୟୀ କରନି। କଂଗ୍ରେସ ଲୋକ ଯେତିକି ନେହେରୁଙ୍କୁ ମନେ ରଖିନାହାନ୍ତି, ଶାହା ତାହାଠୁ ଅଧିକ ମନେରଖିଥିବେ। ୨୬/୧୧ ଆତଙ୍କି ଆକ୍ରମଣରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗଣମାଧ୍ୟମକୁ ଆସି ଦେଶବାସୀଙ୍କୁ କ୍ଷମା ମାଗିଥିଲେ। ସ୍ୱର୍ଗତ ସିଂଙ୍କଠୁ କିଛି ଶିଖନ୍ତୁ ମୋଦି ସରକାର। ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହେବ, ସେ ନେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱସ୍ତ କରନ୍ତୁ। ଆତଙ୍କି ଆକ୍ରମଣରେ ମୃତକ ପରିବାରକୁ ନା କ୍ଷତିପୂରଣ ନା କିଛି ସାହାଯ୍ୟ , କେନ୍ଦ୍ର ସରକାର  କିଛି କଲେନି। କେବଳ ଉତ୍ତରଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ଥୋପି ଦେଇ ଚୁପ ବସିପଡ଼ିଲେ କେନ୍ଦ୍ର ସରକାର। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ପଚାରିଛନ୍ତି, ଏ ଦେଶର ନାଗରିକଙ୍କ ସୁରକ୍ଷାର ଦାୟିତ୍ୱ କାହାର ରହିଛି। ଇତିହାସର ପାଠ ବି ସଂସଦରେ ପଢ଼ାଇଦେଲେ ସରକାର। କିନ୍ତୁ ପହଲଗାଁଓ ଆକ୍ରମଣ କେମିତି ହେଲା ଓ କାହିଁକି ହେଲା। ପର୍ଯ୍ୟଟକ ସରକାର ଭରସାରେ ଯାଇଥିଲେ ପହଲଗାଁଓ। କିନ୍ତୁ ସରକାର ଭଗବାନ ଭରସାରେ ଛାଡ଼ିଦେଲେ। ଏ କଥାର ଉତ୍ତର ସରକାର ଦିଅନ୍ତୁ। ମୃତକଙ୍କ ପରିବାରକୁ ସତ ଜାଣିବାର ଅଧିକାର ରହିଛି। ଆଉ ୨୬ ମୃତକଙ୍କ ନାଁ ପଢ଼ିଥିଲେ ପ୍ରିୟଙ୍କା। ତାଙ୍କ ସହ ତାଳ ଦେଇ ଇଣ୍ଡିଆ ମେଣ୍ଟ ସଦସ୍ୟ ଜୟହିନ୍ଦ୍ ନାରା ଦେଇଥିଲେ। ଆତଙ୍କି ଆକ୍ରମଣ, ଅପରେସନ ସିନ୍ଦୂରକୁ ନେଇ ସଂସଦରେ ଯେମିତି ଚାଲିଛି ବ୍ଲେମ୍ ଗେମ୍। କେତେବେଳେ ବିରୋଧୀଙ୍କ ଉପରେ ଭାରି ପଡ଼ୁଥିଲେ ଶାହା। ତ କେତେବେଳେ ଶାସକ ଦଳ ଉପରେ ମହଙ୍ଗା ପଡ଼ୁଥିଲା ବିରୋଧୀଙ୍କ ଶାଣିତ ସ୍ୱର। ଯଦିଓ ଗୋଟି ଗୋଟି କରି ପହଲଗାଁଓ ଆତଙ୍କି ଆକ୍ରମଣର ପୃଷ୍ଠଭୂମିରୁ ନେଇ ଅପରେସନ ସିନ୍ଦୂରର ସଫଳତାର ଚିଠା ଖୋଲିଛନ୍ତି ଶାହା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *