କରୁଣା ଓ ବିନମ୍ରତାର ପ୍ରତୀକ ପୋପ୍ ଫ୍ରାନସିସ୍ ଆଉ ନାହାନ୍ତି। ଇତିହାସର ପ୍ରଥମ ଲାଟିନ୍ ଆମେରିକୀୟ ପୋପ୍ ପୋପ୍ ଫ୍ରାନସିସଙ୍କ ୮୮ ବର୍ଷ ବୟସରେ ପରଲୋକ ଘଟିଛି। ଭାଟିକାନ କେମରଲେଙ୍ଗୋ କେବିନ୍ ଫେରେଲ ବୟାନ ଜାରି କରିକହିଛି ଯେ, ସୋମବାର ସକାଳ ୭ଟା୩୫ରେ ପୋପଙ୍କର ପରଲୋକ ହୋଇଛି। ଫ୍ରାନସିସ୍ ପୁରୁଣା ଫୁସଫୁସଜନିତ ସଂକ୍ରମଣରେ ପୀଡ଼ିତ ଥିଲେ। ଯୁବାବସ୍ଥାରେ ତାଙ୍କର ଏକ ଫୁସଫୁସର ଅଂଶ ବାହାର କରିଦିଆଯାଇଥିଲା। ଫେବୃଆରୀ ୧୪ରେ ତାଙ୍କୁ ଜେମେଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷାରୁ ଡବଲ ନିମୋନିଆରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ପୋପଙ୍କ ପରଲୋକ ପରେ ସାରା ବିଶ୍ୱରେ ଶୋକର ଲହରୀ ଖେଳିଛି। ଭାଟିକାନରେ ଦୁଇ ଦିନିଆ ଶୋକ ଘୋଷିତ ହୋଇଛି। ନିକଟରେ ସେ ଆମେରିକାର ଉପରାଷ୍ଟ୍ରପତି ଜେଡି ବେଂସଙ୍କୁ ଭେଟିଥିଲେ। କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ଭାବେ ୨୦୧୩ରେ ପଦ ସମ୍ଭାଳିଥିଲେ ପୋପ୍ ଫ୍ରାନସିସ୍। ଭାରତର ପ୍ରଧାନମନ୍ତ୍ରୀ ମୋଦି ପୋପଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି ଯେ, ଦୁନିଆରେ ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା କରୁଣା, ବିନମ୍ରତା ଓ ଆଧ୍ୟାତ୍ମିକ ଜାଗୃତିର ପ୍ରତୀକ ଥିଲେ। ଛୋଟ ବୟସରୁ ପ୍ରଭୂଙ୍କ ଆଦେଶକୁ ସାକାର କରିବାକୁ ନିଜକୁ ସମର୍ପିତ କରିଥିଲେ। ଗରିବ ଓ ବଞ୍ଚିତ ବର୍ଗଙ୍କ ଲାଗି ସେବା କରୁଥିଲେ। ପୀଡ଼ିତଙ୍କ ଆଶାବାଡ଼ି ଥିଲେ। ଭାରତବାସୀଙ୍କ ପ୍ରତି ତାଙ୍କର ସ୍ନେହ ଶ୍ରଦ୍ଧା ସ୍ମରଣୀୟ ହୋଇରହିବ। ପୋପ୍ କ୍ୟାଥୋଲିକ ଚର୍ଚ୍ଚରୁ ମାସିକ ୩୨ହଜାର ଡଲାର ଅର୍ଥ ବେତନ ବାବଦରେ ନେବାକୁ ମନା କରିଥିଲେ। ନିଜ ପଦବୀ ସହ ଜଡ଼ିତ ତାଙ୍କର ଅନେକ ସମ୍ପତ୍ତି ଅଛି। ଯାହାର ଆନୁମାନିକ ମୂଲ୍ୟ ୧୬ ମିଲିୟନ ଡଲାର ଅଟେ। ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଗୁରୁ ଆଉ ନାହାନ୍ତି। ପୋପ୍ ଫ୍ରାନସିସଙ୍କ ଅସଲ ନାଁ ଜର୍ଜ ମାରିୟୋ ବର୍ଗୋଗ୍ଲିୟୋ। ଡିସେମ୍ୱର ୧୭, ୧୯୩୬ରେ ଆର୍ଜେଣ୍ଟିନାର ବ୍ୟୁନସ ଆୟାର୍ସରେ ଜନ୍ମଗ୍ରହଣ କରିଥିଲେ। ୧୯୫୮ରେ ସେଣ୍ଟ ଜୋସେଫ କଲେଜରୁ ଦର୍ଶନଶାସ୍ତ୍ର ପଢ଼ିଥିଲେ ଓ ୧୯୬୯ରେ ପାଦ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ମାର୍ଚ୍ଚ ୧୩, ୨୦୧୩ରେ କ୍ୟାଥୋଲିକ ଚର୍ଚ୍ଚର ୨୬୬ତମ ପୋପ୍ ରୂପରେ ଚୟନ ହୋଇଥିଲେ। ପୋପ୍ ଫ୍ରାନସିସ୍ ପ୍ରଥମ ୟେସୁୟି, ଲାଟିନ ଆମେରିକୀୟ ଓ ଅଣ ୟୁରୋପୀୟ ପୋପ୍ ଥିଲେ। ଏଲଜିବିଟି ସମୁଦାୟ ପ୍ରତି ସହାନୁଭୂତିଶୀଳ ଥିଲେ। ଗରିବଙ୍କ ଲାଗି ଓକିଲାତି କରୁଥିଲେ। ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ସ୍ୱର ଉଠାଉଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now