ସୁପ୍ରିମକୋର୍ଟକୁ ୧୪ ପ୍ରଶ୍ନ ପଚାରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାମିଲନାଡ଼ୁ ସରକାରଙ୍କ ସହ ଜଡ଼ିତ ପକେଟ ଭିଟୋ ନିଷ୍ପତ୍ତି ସନ୍ଦର୍ଭରେ ସମ୍ୱିଧାନର ଅନୁଛେଦ ୧୪୩(୧) ଆଧାରରେ ଏହି ୧୪ ପ୍ରଶ୍ନ କରିଛନ୍ତି ରାଷ୍ଟ୍ରପତି। ଏ ବାବଦରେ ସୁପ୍ରିମକୋର୍ଟ ନିଜର ବିଚାର ଦେବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି। ବିଧାନସଭା ଦ୍ୱାରା ପାରିତ ବିଧେୟକକୁ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଲାଗି ସମୟସୀମାକୁ କଅଣ ସୁପ୍ରିମକୋର୍ଟ ସ୍ଥିର କରିପାରିବେ କି। ତାମିଲନାଡ଼ୁ ରାଜ୍ୟପାଳ ଆର.ଏନ.ରବି ବିଧାନସଭାରେ ପାରିତ ଅଧିକାଂଶ ବିଧେୟକକୁ ମଞ୍ଜୁରୀ ଦେବାକୁ ମନା କରିବା ପରେ ସରକାର ସୁପ୍ରିମକୋର୍ଟ ଯାଇଥିଲେ। କୋର୍ଟ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଖାରଜ କରିବା ସହ ଏପ୍ରିଲ ୮ ତାରିଖରେ ଐତିହାସିକ ରାୟ ଶୁଣାଇଥିଲେ ଜଷ୍ଟିସ ଜେବି ପର୍ଦ୍ଦିଓ୍ୱାଲା ଓ ଜଷ୍ଟିସ ଆର ମହାଦେବନଙ୍କ ଖଣ୍ଡପୀଠ। ପ୍ରଥମ ଥର ବିଧେୟକ ଉପରେ ନିଷ୍ପତ୍ତି ନେବାର ସମୟସୀମା ରାଷ୍ଟ୍ରପତିଙ୍କ ଉପରେ ବି ଧାର୍ଯ୍ୟ କରିଥିଲେ ଅଦାଲତ। ଅନୁଛେଦ ୨୦୧ ଆଧାରରେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତି ବି ନ୍ୟାୟିକ ସମୀକ୍ଷାର ଅଧୀନ ଅଟୋ ବୋଲି କହିଥିଲେ ସୁପ୍ରିମକୋର୍ଟ। ରାୟରେ କୁହାଯାଇଥିଲା, ସମ୍ୱିଧାନର ଅନୁଛେଦ ୨୦୧ ଅନୁସାରେ, ଯଦି କୌଣସି ବିଧେୟକ ରାଜ୍ୟପାଳ କି ରାଷ୍ଟ୍ରପତିଙ୍କ ପାଖକୁ ମଞ୍ଜୁରୀ ଲାଗି ପଠାଯାଏ। ସେଥିରେ ରାଷ୍ଟ୍ରପତି ସହମତି ଦେବେ ନଚେତ୍ ଅସହମତି ଦେବେ। କିନ୍ତୁ ସମ୍ୱିଧାନରେ ଏଥିଲାଗି କୌଣସି ସମୟସୀମା ସ୍ଥିର ହୋଇନି। ସେଥିଲାଗି ସୁପ୍ରିମକୋର୍ଟ ରାୟରେ ସ୍ପଷ୍ଟ କରିଥିଲେ ଯେ, ରାଷ୍ଟ୍ରପତିଙ୍କ ପାଖରେ ପକେଟ ଭିଟୋର ଅଧିକାର ନାହିଁ। ଅର୍ଥାତି ଅନିର୍ଦ୍ଦିଷ୍ଟ କାଳ ଯାଏଁ ସେ ନିଜର ନିଷ୍ପତ୍ତିକୁ ଲମ୍ୱିତ ରଖିପାରିବେନି। ବିଧାନସଭାରେ ପାରିତ ବିଧେୟକକୁ ୩ ମାସ ଭିତରେ ରାଜ୍ୟପାଳ ମଞ୍ଜୁରୀ ଦେବେ। ଯଦି ବିଧାନସଭା ଦ୍ୱିତୀୟ ଥର ବିଲ୍ ପଠାଏ, ଏହାକୁ ରାଜ୍ୟପାଳ ମାସକ ଭିତରେ ମଞ୍ଜୁରୀ ଦେବାକୁ ପଡ଼ିବ। ରାଷ୍ଟ୍ରପତିଙ୍କୁ ବି ବିଧେୟକ ଉପରେ ୩ ମାସ ଭିତରେ ନିଷ୍ପତ୍ତି ନେବାକୁ ପଡ଼ିବ। ତେବେ ରାଷ୍ଟ୍ରପତିଙ୍କ କ୍ଷମତାକୁ ନେଇ ସୁପ୍ରିମକୋର୍ଟଙ୍କ ଏଭଳି ରାୟକୁ ନେଇ ଅଙ୍ଗୁଳି ଉଠିଥିଲା। ଆଉ ଏବେ ରାଷ୍ଟ୍ରପତି ସୁପ୍ରିମକୋର୍ଟକୁ ୧୪ ପ୍ରଶ୍ନ କରି ରାୟ ଲୋଡ଼ିଛନ୍ତି। ଏହାର ଜବାବ ଦେବାକୁ ଯାଇ ପ୍ରଧାନ ବିଚାରପତିଙ୍କୁ ୫ ଜଣିଆ ବିତାରପତିଙ୍କ ସାମ୍ୱିଧାନିକ ପୀଠର ଗଠନ କରିବାକୁ ହେବ। ୧୪ ପ୍ରଶ୍ନ ଭିତରେ ରହିଛି, ଅନୁଛେଦ ୨୦୦ ବଳରେ କୌଣସି ବିଲ୍ ପ୍ରସ୍ତୁତି ନେଇ ରାଜ୍ୟପାଳ ମନ୍ତ୍ରିମଣ୍ଡଳର ପରାମର୍ଶ ଲୋଡ଼ିବାକୁ କଅଣ ବାଧ୍ୟ କି। ରାଜ୍ୟପାଳଙ୍କ ଦ୍ୱାରା ସାମ୍ୱିଧାନିକ ବିବେକାଧିକାରର ପ୍ରୟୋଗ ନ୍ୟାୟିକ ସମୀକ୍ଷା ଅନ୍ତର୍ଗତ ଆସିବ କି। ଅନୁଛେଦ ୩୬୧ କଅଣ ରାଜ୍ୟପାଳଙ୍କ କାର୍ଯ୍ୟକୁ ନ୍ୟାୟିକ ସମୀକ୍ଷା ଆଧାରରେ ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇପାରିବ କି। କୌଣସି ବିଧେୟକ ଉପରେ ନିଷ୍ପତ୍ତି ନେବାକୁ ରାଜ୍ୟପାଳଙ୍କ ଉପରେ ସମୟସୀମା ଲାଗୁ ହେବ କି। ଅନୁଛେଦ ୨୦୧ ବଳରେ ରାଷ୍ଟ୍ରପତିଙ୍କ ଦ୍ୱାରା ସାମ୍ୱିଧାନିକ ବିବେକାଧିକାରର ପ୍ରୟୋଗ ବି ନ୍ୟାୟିକ ସମୀକ୍ଷା ଅନ୍ତର୍ଭୁକ୍ତ କି। ରାଜ୍ୟପାଳ ପଠାଇଥିବା ବିଧେୟକ ରାଷ୍ଟ୍ରପତିଙ୍କ ପାଖରେ ବିଚାର ଲାଗି ପଡ଼ିଥିଲା ବେଳେ ରାଷ୍ଟ୍ରପତି କଅଣ ସୁପ୍ରିମକୋର୍ଟଙ୍କ ରାୟ ନେବା ଅନିର୍ବାର୍ଯ୍ୟ କି। ଅନୁଛେଦ ୧୪୨ ବଳରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ସାମ୍ୱିଧାନିକ ଆଦେଶକୁ ପରିବର୍ତ୍ତନ କରାଯାଇପାରିବ କି। ରାଜ୍ୟ ବିଧାନସଭା ଦ୍ୱାରା ପାରିତ ଆଇନ କଅଣ ରାଜ୍ୟପାଳଙ୍କ ବିନା ସ୍ୱୀକୃତିରେ ପ୍ରଭାବୀ ବୋଲି ବିବେଚନା କରାଯିବ କି। କୌଣସି ସାମ୍ୱିଧାନିକ ପ୍ରଶ୍ନର ବିଚାର ପାଇଁ ସୁପ୍ରିମକୋର୍ଟର ସର୍ବନିମ୍ନ ୫ଜଣିଆ ଖଣ୍ଡପୀଠ ହେବା ଅନିର୍ବାଯ୍ୟ କି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଥିବା ବିବାଦକୁ ତୁଟାଇବାକୁ ସୁପ୍ରିମକୋର୍ଟର ଅନ୍ୟ କୌଣସି ଅଧିକାର କ୍ଷେତ୍ର ଉପରେ ପ୍ରତିବନ୍ଧକ ଅଛି କି। ଉପ-ରାଷ୍ଟ୍ରପତି ଧନକଡ଼ ବି ସୁ୍ପ୍ରିମକୋର୍ଟଙ୍କ ଏଭଳି ରାଷ୍ଟ୍ରପତିଙ୍କ ଉପରେ ସମୟସୀମା ଧାର୍ଯ୍ୟ ନେଇ ବର୍ଷିଥିଲେ। ସୁପ୍ରିମକୋର୍ଟ ନିଜ ସୀମାରେ ରହୁ ବୋଲି ଚେତାଇ ଦେଇଥିଲେ ଧନକଡ଼।

Naxatra News is now on Whatsapp
Join and get latest news update delivered to you via whatsapp
Join Now