ପୂର୍ବତନ IAS ପ୍ରଶିକ୍ଷାର୍ଥୀ ପୁଜା ଖେଡକରଙ୍କୁ ମିଳିଲା ଆଗୁଆ ଜାମିନ୍। ସୁପ୍ରିମକୋର୍ଟ ପୂଜାଙ୍କ ଆଗୁଆ ଜାମିନ ଆବେଦନକୁ ଅନୁମତି ଦେଇଛନ୍ତି। ୟୁପିଏସସି ପରୀକ୍ଷାରେ ମିଛ ଓବିସି ଓ ଭିନ୍ନକ୍ଷମ ପ୍ରମାଣପତ୍ର ଦେଖାଇ ଆସନ ଲାଗି ଠକେଇ କରିଥିବା ଅଭିଯୋଗ ମାମଲାରେ ଆଗୁଆ ଜାମିନ ମିଳିଛି। ନ୍ୟାୟମୂର୍ତ୍ତି ବି.ଭି. ନାଗରତ୍ନା ଓ ସତିଶ୍ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲା ମୁଖ୍ୟତଃ ଡକ୍ୟୁମେଣ୍ଟ ଭିତ୍ତିକ, ଏବଂ ଖେଡକରଙ୍କୁ ଗିରଫ କରି ଜରୁରୀ ଭାବେ ତଦନ୍ତ କରିବାର ଆବଶ୍ୟକତା ନାହିଁ। କାରଣ ସେ କୌଣସି ହତ୍ୟା କରିନାହାନ୍ତି କି କୌଣସି ଡ୍ରଗ ମାଫିଆ କିମ୍ବା ଆତଙ୍କବାଦୀ ନୁହଁନ୍ତି। ତଦନ୍ତରେ ପୂଜା ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତଦନ୍ତରେ ପୂଜା ଅସହଯୋଗର ଅର୍ଥ କଅଣ ବୋଲି ପଚାରିଥିଲେ ଜଷ୍ଟିସ ନାଗରତ୍ନା। ପୂଜାଙ୍କୁ ଜାତି ପ୍ରମାଣପତ୍ର କେଉଁ ସ୍ରୋତରୁ ମିଳିଥିଲା, ଏହାର ଖୁଲାସା କରିବା ଜରୁରୀ। କିନ୍ତୁ ତାଙ୍କୁ ପୁଲିସ ହେପାଜତରେ ରଖିବା ଜରୁରୀ ନୁହେଁ। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ପୂର୍ବରୁ ଖେଡକରଙ୍କ ଆଗୁଆ ଜାମିନ ଆବେଦନକୁ ବାତିଲ କରିଥିଲେ। କାରଣ କୋର୍ଟ ଏହାକୁ ଏକ ଗମ୍ଭୀର ଠକେଇ ଓ ସାମ୍ବିଧାନିକ ସଂସ୍ଥାପନା ଉପରେ ଆଘାତ ବୋଲି ବିବେଚନା କରିଥିଲେ। ଏହି ମାମଲା ବ୍ୟାପକ ଭାବେ ଚର୍ଚ୍ଚାରେ ଥିଲା। କାରଣ ଏହା ୟୁପିଏସସି ଭଳି ଏକ ପ୍ରତିଷ୍ଠିତ ସଂସ୍ଥାର ଯାଞ୍ଚ ପ୍ରକ୍ରିୟାର ଅଖଣ୍ଡତା ଉପରେ ପ୍ରଶ୍ନ ଉଠାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now