ପରଲୋକରେ ଶିବୁ ସୋରେନ୍

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଆଉ ନାହାନ୍ତି। ଦୀର୍ଘ ଦିନ ଧରି ସେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ଥିଲେ। କିଛି ଦିନ ହେଲା ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ। କିଡନୀ ସମସ୍ୟା ସହ ଜୁଝୁଥିଲେ ସୋରେନ୍। ଏହା ସହ ନିକଟରେ ହୋଇଥିବା ବ୍ରେନ୍ ଷ୍ଟ୍ରୋକରୁ ସକାଳ ୮ଟା ୫୬ ମିନିଟରେ ୮୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ପିତାଙ୍କ ବିୟୋଗ ପରେ ସେ ଶୂନ୍ୟ ହୋଇଗଲେ ବୋଲି କହିଛନ୍ତି ଶିବୁଙ୍କ ପୁଅ ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଶିବୁଙ୍କ ପାଖରେ ପୁଅ ହେମନ୍ତ, ବୋହୂ କଳ୍ପନା ସୋରେନଙ୍କ ସମେତ ପୁରା ପରିବାର ଦିଲ୍ଲୀରେ ଥିଲେ। ଜୁନ୍ ୧୯, ୨୦୨୫ରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୮ଥର ଲୋକସଭା ସାଂସଦ, ୨ଥର ରାଜ୍ୟସଭା ସାଂସଦ ହେବା ସହ ଝାଡ଼ଖଣ୍ଡର ୩ଥର ମୁଖ୍ୟମନ୍ତ୍ରୀ ଭଳି ଗୁରୁଦାୟିତ୍ୱ ତୁଲାଇଥିଲେ ଶିବୁ ସୋରେନ। ଯଦିଓ ମୁଖ୍ୟମନ୍ତ୍ରୀ ଭାବେ କେବେ ବି ନିଜର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରିନଥିଲେ। ଦୀର୍ଘ ଲମ୍ୱା ରାଜନୈତିକ କ୍ୟାରିଅରର ସେ ଅଧିକାରୀ ଅଟନ୍ତି। ଚିକିତ୍ସିତ ଥିଲା ବେଳେ ସେ ରାଜ୍ୟସଭା ସାଂସଦ ଥିଲେ।  କେବଳ ୩ଥର ନିର୍ବାଚନ ହାରିଛନ୍ତି ସୋରେନ। ଅଲଗା ଝାଡ଼ଖଣ୍ଡ ରାଜ୍ୟ ଗଠନରେ ଶିବୁଙ୍କ ଭୂମିକା ସଦା ସ୍ମରଣୀୟ। ଆଦିବାସୀ ସମାଜ ଭିତରେ ସଂସ୍କାର ଆଣିବା ଦିଗରେ ତାଙ୍କର ଭୂମିକା ଥିବାରୁ ତାଙ୍କୁ ସାନ୍ତାଳୀ ସମାଜ ଭଗବାନ ଭଳି ପୂଜା କରୁଥିଲେ। ସେଥିଲାଗି ତାଙ୍କୁ ଦିଶାମ ଗୁରୁ କୁହାଯାଏ। ଝାଡ଼ଖଣ୍ଡ ଆନ୍ଦୋଳନର ପୁରୁଖା ସଦସ୍ୟ ତଥା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଗଠନର ମୁଖ୍ୟ ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଥିଲେ ସୋରେନ। ସୋରେନଙ୍କ ପରଲୋକ ପରେ ଏକ ଯୁଗର ଅବସାନ ଘଟିଛି। ସୋରେନଙ୍କ ପରଲୋକକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଦୁଃଖପ୍ରକାଶ କରିଛନ୍ତି। ସୋରେନଙ୍କ ବିୟୋଗରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଦ୍ୱିପ୍ରହର ସାଢ଼େ ୨ଟା ରେ କରିବାକୁ ଥିବା ସାମ୍ୱାଦିକ ସମ୍ମିଳନୀକୁ ରଦ୍ଦ କରିଦେଇଛନ୍ତି। ଶିବୁ ସୋରେନଙ୍କ ପରଲୋକରେ ରାଜ୍ୟସଭାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ତାଙ୍କ ବିୟୋଗରେ ଗୃହରେ ନୀରବପ୍ରାର୍ଥନା କରାଯାଇଥିଲା। ସେ ଥିଲେ ଝାଡ଼ଖଣ୍ଡର ଗୁରୁଜୀ। ଝାଡ଼ଖଣ୍ଡ ଆନ୍ଦୋଳନର ଜନକ। ସାମାଜିକ ନ୍ୟାୟର ଲଢ଼ୁଆ ପୁଅ ଥିଲେ ସେ। ଜଙ୍ଗଲ,ଜମି ଓ ଜନଜାତିଙ୍କ ଅଧିକାର ଲାଗି ସଦା ଲଢ଼ି ଆସୁଥିଲେ। ତାଙ୍କ ଜୀବନ ଥିଲା ସଂଘର୍ଷମୟ। ଜାନୁଆରୀ ୧୧, ୧୯୪୪ରେ ସେ ରାମଗଢ଼ ଜିଲ୍ଲାର ନେମରା ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ସୋବରନ ସୋରେନ ଶିକ୍ଷକ ଥିଲେ। ପିତା ସୋବରନ ସୋରେନଙ୍କୁ ମହାଜନ ହତ୍ୟା କରିବା ପରେ ଶିବୁଙ୍କୁ ସାମାଜିକ ଓ ରାଜନୀତିକ ସଂଘର୍ଷର ରାସ୍ତାକୁ ବାଛିବାକୁ ପଡ଼ିଥିଲା।  ୧୯୭୩ରେ ସେ ଜେଏମଏମ ଗଠନ କରିଥିଲେ। ଝାଡ଼ଖଣ୍ଡକୁ ଅଲଗା ରାଜ୍ୟ ମାନ୍ୟତା ଦେବାକୁ ଦଶନ୍ଧି ଧରି ସଂଘର୍ଷ କରିଥିଲେ। ଆଉ ତାଙ୍କ ସଂଘର୍ଷର ପରିଣାମସ୍ୱରୂପ ୨୦୦୦ରେ ଝାଡ଼ଖଣ୍ଡ ବିହାରରୁ ଅଲଗା ହେଲା। ତାଙ୍କ ବିୟୋଗରେ ସବୁଠି ଶୋକର ଲହରି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *