ରାସ୍ତାରେ ଖଣ୍ଡା ବୁଲାଉଥିଲେ ଜଣେ ଶିଖ୍। ଆଉ ଏଥିଲାଗି ପୁଲିସ ତାଙ୍କୁ ଏନକାଉଣ୍ଟର କରି ମାରିଦେଲା। ଆମେରିକାର ଲସଏଞ୍ଜେଲ୍ସରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତକ ହେଲେ ୩୫ ବର୍ଷୀୟ ଗୁରପ୍ରୀତ ସିଂ। ଯିଏ ଶିଖ୍ ସମ୍ପ୍ରଦାୟର ପାରମ୍ପରିକ ମାର୍ସଲ ଆର୍ଟ ସଡ଼କ ଉପରେ କରୁଥିଲେ। ପୁଲିସ ଗୁରପ୍ରୀତଙ୍କୁ ସୁଟ୍ କରୁଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏ ଭିଡ଼ିଓ ନିଜେ ପୁଲିସ ଜାରି କରିଛି। ଗୁରପ୍ରୀତ୍ ମାର୍ସାଲ୍ ଆର୍ଟ ଦେଖାଉଥିଲେ। କିନ୍ତୁ ଏହାକୁ ବିପଜ୍ଜନକ ଭାବି ରାସ୍ତାରେ ଯାଉଥିବା ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସର କହିବା କଥା, ଗୁରପ୍ରୀତଙ୍କୁ ଏଭଳି ନ କରିବାକୁ ରାସ୍ତାରେ ଯାଉଥିବା ଲୋକେ ବୁଝାଇଥିଲେ। ଖଣ୍ଡା ବୁଲାଇ ଗୁରପ୍ରୀତ ଅନ୍ୟମାନଙ୍କୁ ଭୟଭୀତ କରାଉଥିଲେ। ଆଉ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରପ୍ରୀତଙ୍କୁ ଖଣ୍ଡା ଫଙ୍ଗି ଆତ୍ମସମର୍ପଣ କରିବାକୁ କହିଥିଲା। ହେଲେ ଗୁରପ୍ରୀତ୍ ପାଲଟା ପୁଲିସକୁ ମାରିବାକୁ ଗୋଡ଼ାଇଥିଲେ। ଶେଷରେ ଗୁରପ୍ରୀତକୁ ଏନକାଉଣ୍ଟର କରିବାକୁ ବାଧ୍ୟ ହେଲା ବୋଲି କହିଛି ପୁଲିସ। ଦୁଇ ସପ୍ତାହ ତଳେ ୭୦ ବର୍ଷୀୟ ଶିଖ୍ ବ୍ୟକ୍ତି ହରପାଲ ସିଂଙ୍କୁ ଗଲ୍ଫ କ୍ଲବ ପାଖରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ତାଙ୍କ ମୁହଁରେ ଗଭୀର କ୍ଷତ ସୃଷ୍ଟି ସହ ହାଡ଼ ଭାଙ୍ଗିଯାଇଥିଲା। ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କର ତିନୋଟି ସର୍ଜରୀ ହୋଇଥିଲା। ଲସ୍ ଆଞ୍ଜେଲ୍ସର ଶିଖ ସମ୍ପ୍ରଦାୟ ଏଭଳି ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ଏରିଆରେ ପୁଲିସ ସୁରକ୍ଷା ଦାବି କରିଥିଲା। ପୁଲିସ ଅଭିଯୁକ୍ତକୁ ଚିହ୍ନଟ ସହ ଗିରଫ କରିଥିଲା। ଅଭିଯୁକ୍ତର ନାଁ ବୋ ରିଚାର୍ଡ ଭିଟାଗ୍ଲିଆନୋ। ତେବେ ରିଚାର୍ଡ ଜଣେ ଅଭ୍ୟାସଗତ ଅପରାଧୀ। ଘାତକ ଅସ୍ତ୍ରରେ ଆକ୍ରମଣ ଲାଗି ଜେଲ୍ ଯାଇଛି ରିଚାର୍ଡ। ତାହାର ଜାମିନ୍ ଲାଗି ୧୧ଲକ୍ଷ ଆମେରିକୀୟ ଡଲାର ରାଶି ଧାର୍ଯ୍ୟ କରାଯାଇଛି। ଅଭିଯୁକ୍ତ ମରଣାନ୍ତକ ଆକ୍ରମଣ କରି ସାଇକେଲରେ ଖସି ଯାଉଥିଲା ବେଳେ ସର୍ଭେଲାନ୍ସ କ୍ୟାମେରାରେ ଧରାପଡ଼ିଥିଲା। ଆଉ ତାକୁ ଚିହ୍ନଟ କରି ଗିରଫ କରିଥିଲା ପୁଲିସ। ଗୁରୁଦ୍ୱାର ପାଖରେ ମର୍ଣ୍ଣିଂ ଓ୍ୱାକ୍ ବେଳେ ହରପାଲଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ। ଏଥିରେ ଅଚତ ହୋଇ ତଳେ ପଡିଯାଇଥିଲେ ହରପାଲ୍। ଗୁରୁଦ୍ୱାର ପାଖରେ ସବୁବେଳେ ପକ୍ଷୀଙ୍କୁ ଖାଇବାକୁ ଦେଇଥାଆନ୍ତି ହରପାଲ୍। ଶିଖ୍ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଏଭଳି ଆକ୍ରମଣ ଓ ଏନକାଉଣ୍ଟର ଘଟଣା। ଲସ୍ ଏଞ୍ଜେଲ୍ସରେ ଏଭଳି ଘଟଣା ସମସ୍ତଙ୍କୁ ହତବାକ୍ କରୁଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now