ପ୍ରେମ ବିବାହ କଲେ ଗାଁରୁ ପରିବାର ହେବେ ବାସନ୍ଦ!

ଯିଏ ପ୍ରେମ ବିବାହ କରିବ, ସେ ପରିବାର ଗାଁରୁ ବାସନ୍ଦ ହେବ। ନା କ୍ଷୀର ମିଳିବ, ନା ସଉଦା। ଗାଁର କୌଣସି ଶୁଭ ବା ଧାର୍ମିକ କାମରେ ସାମିଲ୍ କରାଯିବନି। ଗାଁର ବୈଠକ, ଆଲୋଚନା, ସାମୂହିକ ନିଷ୍ପତ୍ତିରୁ ବାହାରେ ରଖାଯିବ। ମଜଦୁରୀ ପାଇଁ କେହି ଡାକିବେନି। ରତଲାମରେ ଏଭଳି ସାମାଜିକ କଟକଣା ନେଇ ଖୁଲମଖୁଲା ଘୋଷଣା ହୋଇଛି। ଗାଁର କେହି ବି ସଂପୃକ୍ତ ବିବାହରେ ସାକ୍ଷୀ ସାଜିବ। ବା ବାହାରେ ପ୍ରେମ ବିବାହ କରିଥିବା ଯୁଗଳଙ୍କୁ ଏଠାରେ କେହି ଶରଣ ନେଇଥିଲେ, ସେମାନଙ୍କୁ ବି ସାମାଜିକ ବାସନ୍ଦ କରାଯିବ। ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ପଞ୍ଚେଓ୍ୱା ଗାଁରୁ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଗାଁର କୌଣସି ପୁଅ ଅବା ଝିଅ ପରିବାରର ଇଛା ବିରୁଦ୍ଧରେ ବିବାହ କଲେ ଏଭଳି ପରିଣତି ବି ଭୋଗିବାକୁ ପଡ଼ିବ। ଏଭଳି ପିଲାଙ୍କ ବାପା ମାଆ ସହ ଗାଁରେ କେହି କଥାବାର୍ତ୍ତା କରିବେନି। ଏଭଳି ଘୋଷଣା ହେଉଥିଲା ବେଳେ ସେଠାରେ ଉପସ୍ଥିତ ଗ୍ରାମବାସୀ ବି ଏହାକୁ ମୌନ ସହମତି ଦେଇଥିଲେ। ଏଥିରୁ ଏହା ସଙ୍କେତ ମିଳିଥିଲା ଯେ, ଏହା କୌଣସି ଏକ ବ୍ୟକ୍ତିର ରାୟ ନୁହେଁ। ବରଂ ସାମୂହିକ ମାନସିକତା ଓ ଭିଡ଼ର ନିଷ୍ପତ୍ତି। ବଡ଼ ପ୍ରଶ୍ନ ଉଠୁଛି, ଗାଁରେ ଏଭଳି ଘୋଷଣା ସମ୍ୱିଧାନରୁ ଉପରେ କି। ଭିଡ଼ିଓ ଭାଇରାଲ ପରେ କିଛି ଗାଁ ଲୋକଙ୍କ କହିବା କଥା, ଘରୁ ପଳାଇ ପ୍ରେମବିବାହ କରୁଥିବାରୁ ଗାଁର ମାହୋଲ ଖରାପ ହେଉଛି। ଏହି ମାହୋଲକୁ ଦେଖି ଅନେକ ଝିଅଙ୍କ ବାପା ମା ନିଜ ପିଲାଙ୍କୁ ସ୍କୁଲ ,କଲେଜ ଆଉ ଛାଡ଼ୁନାହାନ୍ତି। ଗାଁ ଲୋକଙ୍କ କହିବା କଥା, ସେମାନେ ପ୍ରେମ ବିବାହ ବିରୋଧୀ ନୁହଁନ୍ତି। କିନ୍ତୁ ପ୍ରେମ ବିବାହ ଉଭୟ ପୁଅ ଝିଅଙ୍କ ମାତାପିତାଙ୍କ ସହମତିରେ ହେବା ଜରୁରୀ। ଯେତେବେଳେ ଝିଅ ପ୍ରେମ ବିବାହ ନାଁରେ ଘରୁ ପଳାଉଛି, ଫେରିବା ପରେ ନିଜ ବୟାନରେ ବାପା ମାଆଙ୍କ ବିରୁଦ୍ଧରେ କହୁଛି। ସାମାଜିକ ବହିଷ୍କାରର ଭିଡ଼ିଓ ଭାଇରାଲକୁ ନେଇ ରତଲାମ ଏସପି ଅମିତ କୁମାର କହିଛନ୍ତି, ଏହାର ଯାଞ୍ଚ ହେଉଛି। କୌଣସି ବ୍ୟକ୍ତି ସମ୍ୱିଧାନରୁ ଉପରେ ନୁହେଁ। ଯିଏ ଏଭଳି ସାମାଜିକ ବାସନ୍ଦ କରିବ, ଆଇନ ଅନୁସାରେ କାର୍ଯାନୁଷ୍ଠାନ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *