ବିବାଦରେ SIR: ସଂସଦରୁ ସୁପ୍ରିମକୋର୍ଟ ହୁଲସ୍ତୁଲ

ବିହାରରେ ଭୋଟ ଚୋରି ହେଉଛି। ସ୍ପେଶିଆଲ ଇଣ୍ଟେନସିଭ୍ ରିଭିଜନ ନାଁରେ ବିଜେପି ସହ ନିର୍ବାଚନ କମିଶନ ହାତ ମିଳାଇଛନ୍ତି। ଏହାର ପ୍ରତିବାଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଇଣ୍ଡିଆ ଗଠବନ୍ଧନର ନେତାଏ ସଂସଦ ପରିସରରେ ବିରୋଧ ପ୍ରଦର୍ଶନ କରିଛନ୍ତି। ବିରୋଧୀ ଅଭିଯୋଗ କରିଛନ୍ତି ଯେ, ବିହାର ଭୋଟର ତାଲିକାକୁ ଟାମ୍ପରିଂ କରୁଛନ୍ତି ନିର୍ବାଚନ କମିଶନ। ସଂସଦର ଉଭୟ ଗୃହରେ ଏହାକୁ ନେଇ ବିରୋଧୀ ଉଠାଇ ହଙ୍ଗାମା କରିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସେପଟେ ଶାସକ ଦଳ କାଉଣ୍ଟରରେ କହିଛି, ସମ୍ୱିଧାନ ଉପରେ ବିରୋଧୀଙ୍କ ବିଶ୍ୱାସ ନାହିଁ। ୨୦୦୩ରେ କେମିତି ପୁଣି ଭୋଟର ଲିଷ୍ଟ ରିଭିଜନ ହେଲା। ସେତେବେଳେ କଅଣ ମୋଦି ପ୍ରଧାନମନ୍ତ୍ରୀ ଥିଲେ କି। ଏହା ଏକ ସାମ୍ୱିଧାନିକ ପ୍ରକ୍ରିୟା। ବୋଧହୁଏ ବିରୋଧୀଙ୍କୁ ରୋହିଙ୍ଗ୍ୟା, ବାଂଲାଦେଶୀଙ୍କ ଚିନ୍ତା ଘାରିଛି। ତୁଷ୍ଟିକରଣ ରାଜନୀତି ଘାରିଛି। ବିହାର ବିଧାନସଭା ଅଧିବେଶନ ପୂର୍ବରୁ ମହାଗଠବନ୍ଧନ ବିଧାୟକଗଣ ଏସଆଇଆର ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରିଥିଲେ।ତେଜସ୍ୱୀ ଯାଦବ କହିଛନ୍ତି, ସଡ଼କରୁ ନେଇ ସଂସଦ। କୋର୍ଟରେ ବି ଲଢ଼ିଲୁ। ତା ସତ୍ତ୍ୱେ ନିର୍ବାଚନ କମିଶନଙ୍କୁ ଲଜ୍ଜା ନାହିଁ। ଏପରିକି ଆଧାର ଓ ରାସନ କାର୍ଡର ଭୂମିକାକୁ ନେଇ ବି ସ୍ପଷ୍ଟ କରିବାକୁ ପଛଘୁଞ୍ଚା ଦେଉଛନ୍ତି କମିଶନ। ମମତା ବାନାର୍ଜୀ ବି ଚେତାବନୀ ଦେଇସାରିଲେଣି।ବିହାର ଭଳି ବଙ୍ଗରେ ନାଁ କାଟିବାକୁ ଚକ୍ରାନ୍ତ ହେଲେ ବରଦାସ୍ତ କରାଯିବନି। କମିଶନଙ୍କୁ  ଘେରାଓ କରାଯିବ। ସେପଟେ ଇଲେକ୍ଚୋରାଲ ରୋଲ୍ ରିଭିଜନ ସନ୍ଦର୍ଭରେ ସୁପ୍ରିମକୋର୍ଟକୁ ନିର୍ବାଚନ କମିଶନ ଅବଗତ କରାଇଛନ୍ତି ଯେ, ଆଧାର କାର୍ଡ, ଭୋଟର କାର୍ଡ ଓ ରାସନ କାର୍ଡ ଭରସାଯୋଗ୍ୟ ଡକ୍ୟୁମେଣ୍ଟ ନୁହେଁ। ଭୋଟର ତାଲିକାରେ ଇଲେକ୍ଟୋରାଲ ଫଟୋ ଆଇଡେଣ୍ଟିଟି କାର୍ଡକୁ ଗ୍ରହଣ କରିହେବନି। କାରଣ ଏ ପ୍ରକ୍ରିୟା ପୁରା ନୂଆ। ଯେହେତୁ ଇଲେକ୍ଚୋରାଲ ରୋଲ୍ ଲାଗି ଏ କାର୍ଡ ହେଉଛି, ଆଉ ସଂଶୋଧନ ବି ହୁଏ। ସେଥିଲାଗି ଏ କାର୍ଡର ବୈଧତାକୁ ନେଇ ଗ୍ରହଣ କରିହେବନି। ଆଧାର କାର୍ଡ ବି ନାଗରିକତାକୁ ପ୍ରମାଣ କରେନା। ଏହା କେବଳ ଏକ ପରିଚୟପତ୍ର।  ଯେହେତୁ ଗଲା ମାର୍ଚ୍ଚରେ ୫ କୋଟି ଜାଲି ରାସନ କାର୍ଡ ହଟାଯାଇଥିଲା, ଏହାକୁ ବି ଗ୍ରହଣ କରିହେବନି। ବିହାର ଇଲେକ୍ଟୋରାଲ ରିଭିଜନକୁ ନେଇ ହଙ୍ଗାମା ଜାରି ରହିଛି। ସେପଟେ କୋର୍ଟରେ ଲଢ଼େଇ ହେଉଛି। ଦେଖିବାର କଥା, ଏ ବିବାଦ ଆଗକୁ କି ମୋଡ଼ ନେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *