ହୋଲିରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନିର୍ଦେଶରେ ନାଚିଲେ ପୁଲିସ। ନିଜ ଘରେ ହୋଲି ଆସର ବେଳେ ପୁଲିସ କର୍ମୀଙ୍କୁ ନାଚିବାକୁ କହିଥିଲେ ତେଜସ୍ୱୀ। ଆଉ ନାଚିଥିଲେ ପୁଲିସ କର୍ମୀ। ଠୁମକା ନ ଲଗାଇଲେ ନିଲମ୍ୱିତ କରିଦେବି ବୋଲି କହିଥିଲେ ତେଜସ୍ୱୀ। ତେବେ ଏହାର ଭିଡ଼ିଓ ଭାଇରାଲ ପରେ ଏହାକୁ ନେଇ ଘମାସାନ ହୋଇଛି ବିହାର ରାଜନୀତି। ଜେଡିୟୁର ରାଷ୍ଟ୍ରୀୟ ମୁଖପାତ୍ର ରାଜୀବ ରଞ୍ଜନ ପ୍ରସାଦ କହିଛନ୍ତି, ବିହାରରେ ଜଙ୍ଗଲରାଜର ସମାପ୍ତ ହୋଇଛି ସତ। କିନ୍ତୁ ଲାଲୁଙ୍କ ଯୁବରାଜର ପୁଲିସକୁ ଧମକାଇବା ଭଳି ଆଦତ ଛାଡ଼ିନି। ବିହାର ଏବେ ପରିବର୍ତ୍ତନ ହୋଇସାରିଛି। ଏବେ ଲାଲୁ ତାଙ୍କ ପୁରା ପରିବାର ବୁଝିବା ଦରକାର ଯେ, ଏଭଳି କୌଣସି ପରିବେଶ ଆଉ ବିହାରରେ ଚଳିବନି। ବିହାରରେ ଏଭଳି କୌଣସି କାଣ୍ଡ କାରଖାନା ଲାଗି ଆଉ ଜାଗା ନାହିଁ। ବିଜେପି ନେତା ସାହାନାଓ୍ୱାଜ ହୁସେନ କହିଛନ୍ତି, ନିଜର ଅଙ୍ଗରକ୍ଷୀଙ୍କୁ ନାଚିବାକୁ ବାଧ୍ୟ କରିଥିଲେ ତେଜସ୍ୱୀ। ଯଦି ଅଙ୍ଗରକ୍ଷୀ ନାଚିବେନି, ତା ହେଲେ ସେ ତାଙ୍କୁ ସସପେଣ୍ଡ କରିବାକୁ ଧମକ ଦେଇଥିଲେ। ତେଜସ୍ୱୀଙ୍କ ଏମିତି କୌଣସି କ୍ଷମତା ନାହିଁ କାହାକୁ ସସପେଣ୍ଡ କରିବେ। ଏବେ ବିହାରରେ ନୀତିଶ ସରକାର ଚାଲିଛି। ଜଙ୍ଗଲ ରାଜ ନୁହେଁ। ଏଭଳି ଭାଷା ପ୍ରୟୋଗ କରି ପୁଲିସକୁ ନାଲିଆଖି ଦେଖାଇ ନଚାଇବା ଦୁର୍ଭାଗ୍ୟଜନକ। ଆରଜେଡି ନେତାଙ୍କୁ ବହୁ କିଛି ଶିଖିବାର ଆବଶ୍ୟକତା ଅଛି। ଜବାବରେ ତେଜସ୍ୱୀ କହିଛନ୍ତି, ନୀତିଶ ସରକାର ଅମଳରେ ଅପରାଧର ଗ୍ରାଫ୍ ବଢିବାରେ ଲାଗିଛି। ସରକାର ଶୋଇଛି ଓ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି। ନୀତିଶ ସରକାରରେ ପୁଲିସ ବରଂ ଅଧିକ ଅସୁରକ୍ଷିତ ହୋଇପଡ଼ିଲାଣି। ହୋଲି ଭଳି ପବିତ୍ର ଉତ୍ସବରେ ସମସ୍ତେ ସାମିଲ୍ ହେବା ଦରକାର। ତାଙ୍କ ଅଙ୍ଗରକ୍ଷୀ ଏହି ଉତ୍ସବରେ ସାମିଲ୍ ହୋଇ ନାଚିବାକୁ ସେ କେବଳ କହିଥିଲେ। କିନ୍ତୁ ଶାସକ ମେଣ୍ଟ ଏହାକୁ ଅନ୍ୟଥା ନେଇ ଅପପ୍ରଚାର କରୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now