ବହୁ ଚର୍ଚ୍ଚିତ ଦି ବେଙ୍ଗଲ ଫାଇଲ୍ସର ଟ୍ରେଲର ରିଲିଜ ହୋଇଛି। ପଶ୍ଚିମବଙ୍ଗରେ ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଏହି ଫିଲ୍ମରେ ପ୍ରଦର୍ଶିତ କରାଯାଇଛି। କିନ୍ତୁ ଟ୍ରେଲର ଲଞ୍ଚିଂରେ ହଙ୍ଗାମା ହୋଇଛି। କୋଲକାତା ପୁଲିସ କାର୍ଯ୍ୟକ୍ରମକୁ ଅଟକାଇଦେଇଥିଲା। ଯେଉଁ ଲାପଟପରୁ ଟ୍ରେଲର ପ୍ଲେ ହୋଇଥାଆନ୍ତା, ତାକୁ ସିଜ୍ କରିଛି ପୁଲିସ। ଆଗ ଦ୍ୱିପ୍ରହର ୧୨ଟା ବେଳେ ଟ୍ରେଲର ରିଲିଜ୍ ହେବାର ଥିଲା। ଘଣ୍ଟାକ ପରେ ଆରମ୍ଭ ମାତ୍ରେ ହଙ୍ଗାମା ହୋଇଥିଲା। ଏହାକୁ ନେଇ ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଛନ୍ତି, ତାଙ୍କର ସ୍ୱରକୁ ଚାପିବାକୁ ଉଦ୍ୟମ ହେଉଛି। ସେ ଆମେରିକାରୁ କୋଲକାତା ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ଜାଣିସାରିଥିଲେ ଯେ, ତାଙ୍କ ଟ୍ରେଲର ରିଲିଜ୍ ଇଭେଣ୍ଟକୁ ରଦ୍ଦ କରିବାକୁ ପଲିଟିକାଲ ପ୍ରେସର ପଡ଼ିଛି। ଏହା ରାଜ୍ୟ ସରକାରଙ୍କ ଏକଛତ୍ରବାଦ ନୀତି। ପ୍ରାଇଭେଟ ହୋଟେଲରେ ଇଭେଣ୍ଟ ଆରମ୍ଭ ଆଗରୁ ତାର କାଟିଦିଆଗଲା। ସମସ୍ତ ଟେଷ୍ଟ ଓ ଟ୍ରାଏଲ ପରେ ଏହି ପ୍ରୋଗ୍ରାମର ଆୟୋଜନ ହୋଇଥିଲା। ତାଙ୍କ ଉପରେ ଅନେକ ଏତଲା ହୋଇଛି। ଫିଲ୍ମ ଟ୍ରେଲର ରିଲିଜକୁ ଏଭଳି ରୋକିବାରୁ ରାଜ୍ୟରେ ସ୍ୱାଧୀନତାର ଅଭିବ୍ୟକ୍ତିକୁ ହତ୍ୟା କରାଯାଉଛି ବୋଲି ଆରୋପ ଲଦିଛନ୍ତି ଅଭିନେତ୍ରୀ ପଲ୍ଲବୀ ଜୋଷୀ। ଦେଶର ଜନତା ଏହି ଫିଲ୍ମ ଦେଖିଲେ ଜାଣିପାରିବେ, ବଙ୍ଗର ସତ କଅଣ। କଳାକାରଙ୍କୁ ସମ୍ମାନ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ଦି ତାସକାଣ୍ଟ ଫାଇଲ୍ସ, ଦି କଶ୍ମୀର ଫାଇଲ୍ସ ପରେ ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ସିରିଜର ଦି ବେଙ୍ଗଲ ଫାଇଲ୍ସ ଆଣିଛନ୍ତି। ୧୯୪୬ରେ ବଙ୍ଗରେ ହୋଇଥିବା ଦଙ୍ଗାକୁ ଏଥିରେ ଚିତ୍ରଣ କରାଯାଇଛି। ୩ମିନିଟ୍ ୩୨ ସେକେଣ୍ଡର ଟ୍ରେଲରରେ ରକ୍ତପାତ ଓ ଦଙ୍ଗାର ବୀଭତ୍ସ ସିନ୍ ଦେଖିବାକୁ ମିଳିଛି। ଦି କଶ୍ମୀର ଫାଇଲ୍ସ ଭଳି ଫର୍ମୁଲା ଏଠାରେ ଆପଣାଇଛନ୍ତି ବିବେକ। ଗୋଟିଏ ପଟେ ସ୍ୱାଧୀନତା ପୂର୍ବରୁ ୧୯୪୬ରେ ଦଙ୍ଗାର କାହାଣୀ ତ ଅନ୍ୟ ପଟେ ସାମ୍ପ୍ରତ୍ତିକ ସମୟରେ ସେ ଘଟଣାକୁ ନେଇ ହୋଇଥିବା ଯାଞ୍ଚ ଓ ଛାନଭିନକୁ ପ୍ରଦର୍ଶିତ କରିଛନ୍ତି ବିବେକ। ଟ୍ରେଲରରେ ମହାତ୍ମା ଗାନ୍ଧୀ ଓ ଜିନ୍ନାଙ୍କ ଚରିତ୍ର ବି ନଜରକୁ ଆସିଛନ୍ତି। କୋଲକାତାରେ ଦଙ୍ଗା ଓ ନୋଆଖାଲି ନରସଂହାରକୁ ଫିଲ୍ଣରେ ଦେଖାଯାଇଛି। ଫିଲ୍ମ ରିଲିଜ ପୂର୍ବରୁ ବିବାଦରେ ଘେରି ହୋଇରହିଛି। ସେପ୍ଟେମ୍ୱର ୫ରେ ରିଲିଲ୍ ହେବ ଦି ବେଙ୍ଗଲ ଫାଇଲ୍ସ। ମିଥୁନ, ପଲ୍ଲବୀ ଜୋଷୀ, ଅନୁପମ ଖେର୍ ଓ ଦର୍ଶନ କୁମାରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳୁଛି। ଏ ସମସ୍ତ ଅଭିନେତା ଦି କଶ୍ମୀର ଫାଇଲ୍ସରେ ବି ଅଭିନୟ କରିଥିଲେ। ଫିଲ୍ମକୁ କିଛି ସମର୍ଥନ କରୁଥିଲା ବେଳେ କିଛି ଏହାର ବିରୋଧ କରୁଛନ୍ତି। ଏହା ରାଜନୈତିକ ପ୍ରୋପାଗାଣ୍ଡା ବୋଲି ଅଭିହିତ କରିଛନ୍ତି ଅନେକ। ଦି ବେଙ୍ଗଲ ଫାଇଲ୍ସକୁ ନେଇ କୋଲକାତାରେ ବୋବାଲ ପରିସ୍ଥିତି ସୃଷ୍ଟି ହୋଇଛି। ଆଗକୁ ଏହା କି ମୋଡ଼ ନେଉଛି, ସମୟକୁ ଅପେକ୍ଷା।

Naxatra News is now on Whatsapp
Join and get latest news update delivered to you via whatsapp
Join Now