ଭୋଟ ଚୋରୀକୁ ନେଇ ହଲ୍ଲାବୋଲ। ସଂସଦର ଉଭୟ ଗୃହ ଚାଲିପାରିଲାନି। ଏସଆଇଆରକୁ ନେଇ ଗୃହରେ ବିତର୍କ ଲାଗି ଅଡ଼ି ବସିଥିଲେ ବିରୋଧୀ। ଫଳରେ ଅପରାହ୍ନ ୨ଟା ଯାଏ ଉଭୟ ଗୃହକୁ ମୁଲତବୀ କରିଦିଆଯାଇଥିଲା। ଏହା ପରେ ଲୋକସଭା ଓ ରାଜ୍ୟସଭାର ବିରୋଧୀ ସାଂସଦ ମକରଦ୍ୱାରରୁ ନିର୍ବାଚନ କମିଶନଙ୍କ ଅଫିସ ଯାଏ ପଦଯାତ୍ରାରେ ବାହାରିଥିଲେ। ନିର୍ବାଚନ କମିଶନଙ୍କ ଅଫିସ ଘେରାଓ କରିଛନ୍ତି ବିରୋଧୀ ସାଂସଦ। ରାହୁଲ ଗାନ୍ଧୀ ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେଇଥିଲେ। ସ୍ପେଶିଆଲ ଇଣ୍ଟେନସିଭ୍ ରିଭିଜନ ବିରୁଦ୍ଧରେ ହଙ୍ଗାମା କରିଥିଲେ। ୨୦୨୪ ଲୋକସଭା ନିର୍ବାଚନରେ ହୋଇଥିବା ଭୋଟ ଚୋରୀ ବିରୁଦ୍ଧରେ ସ୍ୱର ଉଠାଇଥିଲେ। ସଂସଦରେ ଆଲୋଚନାକୁ ଅନୁମତି ଦେଉନାହାନ୍ତି ସରକାର। ନିର୍ବାଚନ କମିଶନ ସ୍ପଷ୍ଟତା ରଖୁନାହାନ୍ତି। ସେଥିଲାଗି ବିରୋଧୀଙ୍କୁ ଇସିଆଇ ଅଫିସ ଘେରିବାକୁ ବାଧ୍ୟ କରିଦେଲେ ସରକାର। ଭୋଟ ଚୋରି ଗଣତନ୍ତ୍ରର ମୌଳିକ ଅଧିକାରକୁ ଆକ୍ରମଣ। ରାହୁଲ ଯାହା ଗମ୍ଭୀର ପ୍ରଶ୍ନ କରୁଛନ୍ତି, ସେ ଉତ୍ତର ପାଇବା ଦରକାର। ନିର୍ବାଚନ କମିଶନଙ୍କ କେବଳ ଦେଶ ପ୍ରତି ଦାୟିତ୍ୱ ନୁହେଁ। ଜନତାଙ୍କ ମନରେ କି ନିର୍ବାଚନ ପ୍ରକ୍ରିୟାର ମର୍ଯାଦା ପ୍ରତି ଯେମିତି କାହାର ପ୍ରଶ୍ନ ନ ଉଠେ। ରାହୁଲ କହିଛନ୍ତି, ଭୋଟ ଚୋରୀର ସତ ଦେଶ ସାମ୍ନାକୁ ଆସିସାରିଛି। ଏ ଫାଇଟ୍ ରାଜନୈତିକ ଫାଇଟ ନୁହେଁ। ଏହା ସମ୍ୱିଧାନକୁ ରକ୍ଷା ଲାଗି ଲଢ଼େଇ। ଓ୍ୱାନ ମ୍ୟାନ୍ ଓ୍ୱାନ ଭୋଟ ଲାଗି ସଂଘର୍ଷ। ଅଖିଳେଶ କହିଛନ୍ତି, ଭୋଟ ଚୋରୀ ଛୋଟ କଥା। ବିଜେପି କଥାରେ ପଡ଼ି ନିର୍ବାଚନ କମିଶନ ଭୋଟର ଡକାୟତି କରିଥିଲେ। ବ୍ୟାରିକେଡ୍ ଡେଇଁ ଅଖିଳେଶ ଆଗକୁ ବଢ଼ୁଥିବା ବେଳେ ପୁଲିସ ତାଙ୍କୁ କାବୁ କରିଥିଲା। ପୁଲିସ କହିଥିଲା, ପଦଯାତ୍ରା ଲାଗି କୌଣସି ଅନୁମତି ନଥିଲା। ବ୍ୟାରିକେଡରେ ଅଟକାଇବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପୁଲିସକୁ ଲଗାଇ ଅଟକାଇବାକୁ ପ୍ରୟାସ ହେଉଛି ବୋଲି କ୍ଷୋଭ ଝାଡ଼ିଥିଲେ ବିରୋଧୀ। ଇସି ହେଡ଼କ୍ୱାର୍ଟସ ଆଡ଼କୁ ପଦଯାତ୍ରା ବଢ଼ୁଥିବା ବେଳେ ଟ୍ରାନ୍ସପୋର୍ଟ ଭବନ ଆଗରେ ପୁଲିସ ଅଟକାଇଥିଲା। ଏହା ପରେ ରାହୁଲଙ୍କ ସମେତ ସମସ୍ତ ବିରୋଧୀ ସାଂସଦଙ୍କୁ ପୁଲିସ ଗିରଫ କରିଥିଲା। ସେପଟେ କାଉଣ୍ଟରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସମ୍ୱିଧାନର ଦ୍ୱାହି ଦେଇ ସବୁବେଳେ ଡେଉଁଥିବା ରାହୁଲ ନିଜେ ହିଁ ସମ୍ୱିଧାନ ବିରୋଧୀ କାମ କରୁଛନ୍ତି। ଏସଆଇଆର ପ୍ରଥମ ଥର ହେଉନି। ଭୋଟର ତାଲିକାରେ ସ୍ୱଛତା ଆଣିବାକୁ ଏହା କରାଯାଉଛି। କେବେ ଇଭିଏମ, କେବେ ମହାରାଷ୍ଟ୍ର ହରିଆଣା କଥା କହି ମିଛର ପାହାଡ଼ ଛିଡ଼ା କରୁଛନ୍ତି। ନିରନ୍ତର ପରାଜୟରୁ ଅସ୍ତିତ୍ୱ ସଂକଟରେ ପଡ଼ିଥିବା କଂଗ୍ରେସର ନା ନୀତି ଅଛି ନା ନିୟତ ଅଛି। ସୁପ୍ରିମକୋର୍ଟ ବି ରାହୁଲଙ୍କୁ କଟୁ ଟିପ୍ପଣୀ ଦେଇଛନ୍ତି। ଲୋକତନ୍ତ୍ରରେ ଲୋକଲଜ୍ଜା ଭୁଲିଗଲେଣି। ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ବିଧିବଦ୍ଧ ଷଡ଼ଯନ୍ତ୍ର। ଅନୁପ୍ରବେଶକାରୀଙ୍କୁ ଭୋଟର ସଜାଇ ରାଜନୀତି ରୋଟି ସେକୁଛନ୍ତି। ନିର୍ବାଚନ କମିଶନଙ୍କ ପ୍ରତି ଯେଉଁ ଭାଷା ପ୍ରୟୋଗ କରୁଛନ୍ତି, ତାହା ଦୁର୍ଭାଗ୍ୟଜନକ। ପ୍ରସଙ୍ଗଭିତ୍ତିକ ରାଜନୀତି କର, କିନ୍ତୁ ଅନୁପ୍ରବେଶକାରୀଙ୍କ ତୁଷ୍ଟିକରଣ ଆଳରେ ମୋଦି ସରକାରଙ୍କ ପ୍ରତି ଆସ୍ଥା ଓ ଜନତାଙ୍କ ବିଶ୍ୱାସ ଭାଙ୍ଗିପାରିବନି। ରାହୁଲଙ୍କୁ ଚ୍ୟାଲେଞ୍ଜ୍ କରିଛନ୍ତି ଧର୍ମେନ୍ଦ୍ର। ବିହାରକୁ ଭିଜିଟ୍ କରନ୍ତୁ। ଭୋଟ ଚୋରୀକୁ ନେଇ ବିରୋଧୀଙ୍କ ହଙ୍ଗାମା। ନିର୍ବାଚନ କମିଶନଙ୍କୁ କାଠଗଡ଼ା ଓ ସନ୍ଦେହର ପାଚେରୀକୁ ଭିତରକୁ ଠେଲିଦେଇଛନ୍ତି ବିରୋଧୀ। ସେପଟେ କଡ଼ା କାଉଣ୍ଟର କରିବାରେ ବି ଲାଗିଛି ଶାସକ ଦଳ। କିନ୍ତୁ ଏ ପ୍ରସଙ୍ଗ ନା ଥମୁଛି ନା ବିବାଦ କମୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now