୩ ଖଣ୍ଡ ଗାଁରେ ବିଷାକ୍ତ ମଦ ବିଭୀଷିକା

ପଞ୍ଜାବ ଅମ୍ରିତସର ଜିଲ୍ଲାର ମଜିଠାରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗୁରୁତରଙ୍କୁ ଅମୃତସର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ଭିତରୁ ୪ ଜଣଙ୍କ ଅବସ୍ଥା ଏତେ ସଂକଟାପନ୍ନ ଯେ, ସେମାନେ କିଛି କହିବା ସ୍ଥିତିରେ ନାହାନ୍ତି। ସେଥିଲାଗି ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ସମସ୍ତ ମୃତକ ମଜୁରିଆ। ଶସ୍ତା ମଦ ଚକ୍କରରେ ଏମାନେ ଅପମିଶ୍ରିତ ମଦ ପିଇଥିଲେ। ୩ଟି ଗାଁ ଭଙ୍ଗାଲି କଲାଁ, ମରାଡ଼ି କଲାଁ ଓ ଜୟନ୍ତୀପୁରରେ ବିଷାକ୍ତ ମଦ ବିଭୀଷିକା ଦେଖାଦେଇଛି। ଘଟଣା ପରେ ପୁଲିସ ଓ ପ୍ରଶାସନ ଗାଁରେ ପହଞ୍ଚି ତନାଘନା ଜାରି ରଖିଛନ୍ତି। ବିଷାକ୍ତ ମଦ ବିକ୍ରି ଆରୋପରେ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ଏଭଳି ଅପମିଶ୍ରିତ ମଦ କେଉଁଠୁ ଆସିଲା, ତାହାର ଛାନଭିନ୍ ଆରମ୍ଭ ହୋଇଛି। ପଞ୍ଜାବରେ ଗଲା ୩ ବର୍ଷ ଭିତରେ ବିଷାକ୍ତ ମଦ ବିଭୀଷିକାର ଏହା ଚତୁର୍ଥ ମାମଲା। ମଦ ପିଇବା ପରେ ଲୋକେ ବାନ୍ତି କରିବାକୁ ଲାଗିଥିଲେ। ଆଉ ହସ୍ପିଟାଲ ଯିବା ବାଟରେ ହିଁ ଅଧିକାଂଶଙ୍କ ମୃତ୍ୟୁ ହୋଇସାରିଥିଲା। ସ୍ଥାନୀୟ ଲୋକଙ୍କ କହିବା କଥା, ଲମ୍ୱା ସମୟ ଧରି ନକଲି ମଦର କାରବାର ଚାଲିଥିଲା। କିନ୍ତୁ ପ୍ରଶାସନ ଜାଣି ଅଜଣା ହେବାର ନିଶାରେ ଘାରିହେଉଥିଲା। ନକଲି ମଦ ତିଆରି ସ୍ଥାନରେ ରେଡ୍ ମାରିଛି ଅବକାରୀ ବିଭାଗ। ଜିଲ୍ଲାପାଳ ସାକ୍ଷୀ ସାହନି ପୀଡ଼ିତ ପରିବାରକୁ ଭେଟିବା ସହ ଯେଉଁ ତିନି ଖଣ୍ଡ ଗାଁରେ ଏଭଳି ମଦ ପିଇ କାହାର ବି କିଛି ଲକ୍ଷଣ ଦେଖାଗଲେ, ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିର୍ଦେଶ ଦେଇଛନ୍ତି। ନକଲି ଓ ଅପମିଶ୍ରିତ ମଦ ତିଆରିର ମାଷ୍ଟରମାଇଣ୍ଡ ପ୍ରଭଜିତ ସିଂଙ୍କୁ ଗିରଫ କରି ତା ବିରୁଦ୍ଧରେ ଏକ୍ସାଇଜ୍ ଆକ୍ଟ ଆଧାରରେ ମାମଲା ହୋଇଛି। ଅନ୍ୟ ଅଭିଯୁକ୍ତଙ୍କ ଭିତରେ ପ୍ରଭଜିତର ଭାଇ କୁଲବୀର, ସାହିବ ସିଂ, ଗୁରଜଣ୍ଟ ସିଂ ଓ ନିନ୍ଦର କୌରଙ୍କୁ ବି ଗିରଫ କରାଯାଇଛି। ପୁରା ନେଟଓ୍ୱର୍କର ଯାଞ୍ଚ ଜାରି ରହିଛି। ୫୦ ଲିଟର ମିଥାନଲ ମଗାଇଥିଲା ପ୍ରଭଜିତ। କିଙ୍ଗପିନ ସାହିବ ସିଂ ଅନଲାଇନରେ ମିଥାନଲ ଅର୍ଡର କରି ସେଥିରେ ମଦ ତିଆରି କରୁଥିଲା। ସୋମବାରରୁ ମୃତ୍ୟୁର ତାଣ୍ଡବଲୀଳା ଆରମ୍ଭ ହୋଇଥିଲା। ତେବେ ମଦ ପିଇ ପ୍ରାୟ ୧୫ ଜଣ କଥା କହିପାରୁନଥିବା ଜଣାପଡ଼ିବା ପରେ ଗାଁରେ ହଇଚଇ ଖେଳିଯାଇଥିଲା। ଏହାକୁ ନେଇ ରାଜନୀତି ବି ତେଜ୍ ହୋଇଛି। ଅକାଳୀ ଦଳ, ବିଜେପି ପ୍ରମୁଖ ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାରଙ୍କ ମିଲିଭଗତରେ ନକଲି ଓ ବିଷାକ୍ତ ମଦ ବିକ୍ରିରୁ ଏତେ ଜଣଙ୍କ ଜୀବନ ଗଲା। ଏ ସବୁ ପଛରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଖାସ୍ ଅନୁଗତ ଅସଲ ମଦ ବେପାରୀଙ୍କୁ ଗିରଫ ନ କରି ପାଲଟା ମାମଲାକୁ ଚାପି ଦେବାକୁ ଉଦ୍ୟମ ହେଉଛି। ମୃତକଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ବିରୋଧୀ ଦଳ। ଅନେକ ମୃତକଙ୍କ ଶବ ବ୍ୟବଛେଦ ବି କରାଗଲାନି। ପଞ୍ଜାବ ସରକାର କହିଛନ୍ତି, କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଯେଉଁମାନେ ଅପମିଶ୍ରିତ ମଦ ବିକ୍ରି କରୁଥିଲେ ଆଉ ଯେଉଁମାନେ ସେମାନଙ୍କ ସୁରକ୍ଷାକବଚ ସାଜିଥିଲେ, କାହାରିକୁ ଛଡ଼ାଯିବନି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ୱନ୍ତ ସିଂ ମାନ୍ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହା କେବଳ ମୃତ୍ୟୁ ନୁହେଁ, ବରଂ ମର୍ଡର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମାନ୍। ପୀଡ଼ିତ ପରିବାରର ଏଭଳୁ ଦୁଃଖଦ ସମୟରେ ସରକାର ସାଙ୍ଗରେ ଅଛନ୍ତି। ୨୦୨୦ରେ ଅମୃତସର, ନରନତାରନ ଓ ବଟାଲାରେ ବିଷାକ୍ତ ମଦ ପିଇ ଶହେରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଗଲା ବର୍ଷ ପଠାନକୋଟରେ ନକଲି ମଦ ପିଇ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ନଓ୍ୱାଁସହର ଓ ହୋସିଆରପୁରରେ ବି ଏଭଳି ମାମଲା ସାମ୍ନାକୁ ଆସିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *