ଲୋନିଆନ ସମୁଦ୍ରରେ ବୋଟ ବୁଡି ଘଟଣା: ୩୩ ମୃତଦେହ ଉଦ୍ଧାର

Spread the love

ରୋମ: ରବିବାର ଇଟାଲି ମେନଲାଣ୍ଡର ଦକ୍ଷିଣ ଉପକୂଳ ନିକଟରେ ଏକ ପ୍ରବାସୀ ବୋଟ ବୁଡି ଘଟଣାରେ ସ୍ଥାନୀୟ କୋଷ୍ଟଗାର୍ଡ ଓ ଅଗ୍ନିଶମ ପକ୍ଷରୁ ୩୦ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି। ଏକ କାଠ ବୋଟରେ କିଛି ପ୍ରବାସୀ ଯାତ୍ରା କରୁଥିବା ବେଳେ ମଝି ସମୁଦ୍ରରେ ଡଙ୍ଗାଟି ବୁଡି ଯାଇଥିବା ଆଶଙ୍କା କରାଯାଉଛି।

ସ୍ଥାନୀୟ ଟିଭି ରିପୋର୍ଟ ଅନୁଯାୟୀ, ସୋମବାର ସକାଳ ସୁଦ୍ଧା ୩୩ ମୃତଦେହ ଉଦ୍ଧାର କରାଯିବା ସହ  ୫୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ କିଛି ମାସର ଶିଶୁ ମଧ୍ୟ ରହିଛି। କାଲାବ୍ରିଆର କ୍ରୋଟୋନ ସହର ଅଧୀନ ଜଣେ ଅଧିକାରୀଙ୍କ ଅନୁଯାୟୀ ସେହି ବୋଟରେ ୧୦୦ରୁ ଅଧିକ ପ୍ରବାସୀ ଯାତ୍ରା କରୁଥିବା ବେଳେ ଲୋନିଆନ ସମୁଦ୍ରରେ ଏଥିରେ ସମସ୍ୟା ଦେଖା ଦେଇଥିଲା। ଇଟାଲି ନ୍ୟୁଜ ଏଜେନ୍ସି ଲାପ୍ରେସ ପକ୍ଷରୁ ପରେ ସୂଚନା ଦିଆଯାଇଥିଲା କି, ଉଦ୍ଧାରକାରୀ ଅଧିକାରୀଙ୍କ ଅନୁଯାୟୀ ୧୮୦ରୁ ଅଧିକ ଯାତ୍ରୀ ବୋଟରେ ଥିଲେ।

ଷ୍ଟେସ ଟିଭି ଅନୁଯାୟୀ, ୨୭ ଜଣ ନିଜେ ପହଁରି ପହଁରି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଉଦ୍ଧାରକାରୀଙ୍କ ଦ୍ବାରା ୩୩ ମୃତଦେହ ଉଦ୍ଧାର ହୋଇଛି। ସମୁଦ୍ର କୂଳରେ ବୋଟର କାଠ ଖଣ୍ଡସବୁ ପଡିଛି। ଏଥିରୁ ସମୁଦ୍ର ଭିତରେ ବୋଟଟି ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି।

ଏହି ଦୁର୍ଘଟଣାକୁ କ୍ରୋଟୋନ ମେୟର ଭିନ୍ସେଞ୍ଜୋ ଭୋସ  ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କହିଛନ୍ତି। ତେବେ ପ୍ରବାସୀମାନେ କେଉଁ ଦେଶର ଥିଲେ ତାହା ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *