ତୁର୍କୀରେ ଆଉ ଏକ ଭୂକମ୍ପ ଝଟକା ଅନୁଭୂତ

Spread the love

ନୂଆଦିଲ୍ଲୀ: ଫେବୃଆରୀ ୬ ତାରିଖରେ ତୁର୍କୀରେ ଆସିଥିବା ବିନାଶକାରୀ ଭୂମିକମ୍ପର ଛାପ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ସୋମବାର ଦିନ ଆଉ ଏକ ଭୂକମ୍ପ ସେଠାରେ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ରେକର୍ଡ ହୋଇଛି। ଏହି ଭୂକମ୍ପରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।  ଭୂକମ୍ପର ଭିଜୁଆଲ ମଧ୍ୟ ସାମ୍ନାକୁ ଆସିଛି। ସେଠାରେ ଏକ କାରରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହା ରେକର୍ଡ ହୋଇଛି। ଏହି ଭୂମିକମ୍ପ ହାତୟ ଅଞ୍ଚଳରେ ଅନୁଭୂତ ହୋଇଥିବା ସୂଚନା ରହିଛି।

ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି, ଭୂକମ୍ପ ପ୍ରଭାବରେ ସଡକରେ ଠିଆହୋଇଥିବା ଗାଡି ସବୁ ଦୋହଲୁଛନ୍ତି। ଏହି ଭିଡିଓକୁ ଏକ ଟ୍ବିଟର ପେଜରେ ସେୟାର କରାଯାଇଛି। ଏଥିସହ ଉଲ୍ଲେଖ ହୋଇଛି କି, ଆଜି ଆସିଥିବା ଭୂକମ୍ପ ସମୟର ଭିଡିଓ, ଆନ୍ତାକ୍ୟା ସହରର ଏକ କାରର ଫ୍ରଣ୍ଟ କ୍ୟାମେରାରେ ଏହା ରେକର୍ଡ ହୋଇଛି। ଏହା ଦକ୍ଷିଣ ତୁର୍କୀର ଆନ୍ତକ୍ୟା ସହର ନିକଟରେ କେନ୍ଦ୍ରିଭୂତ ହୋଇଥିଲା। ଏହାର ପ୍ରଭାବ ସିରିଆ, ମିସ୍ର ଓ ଲେବାନରେ ମଧ୍ୟ ଅନୁଭୂତ ହୋଇଥିଲା।

ତୁର୍କୀ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମନ୍ତ୍ରୀ ସୁଲେମାନ ସୋୟଲୁ କହିଛନ୍ତି, ଏହି ଭୂକମ୍ପରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେହିପରି ଏଏଫଏଡି ପକ୍ଷରୁ ସୋମବାର କୁହାଯାଇଛି କି, ଗତ ଭୂକମ୍ପରେ ମୃତକଙ୍କ ସଂଖ୍ୟା ୪୧,୧୫୬ରେ ପହଞ୍ଚିଥିବା ବେଳେ ୩,୮୫,୦୦୦ କୋଠା ଭୁଶୁଡି ଯାଇଛି। ଏବେ ମଧ୍ୟ ବହୁ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବାର ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *