କାନାଡାରେ ଭାରତ ବିରୋଧୀ ନାରା

Spread the love

ଟରେଣ୍ଟୋ: କାନାଡାର ଏକ ହିନ୍ଦୁ ମନ୍ଦିର ପାଚେରୀରେ ଭାରତ ବିରୋଧୀ ନାରା। ଖାଲିସ୍ଥାନୀ ଚରମପନ୍ଥିଙ୍କ ଦ୍ବାରା ଲେଖାଯାଇଥିବା ଦେଶ ବିରୋଧୀ ନାରାକୁ ନେଇ ସେଠାକାର ଭାରତୀୟ ଦୂତାବାସ ନିନ୍ଦା କରିଛି। ଏଥିସହ ଏପରି କାର୍ଯ୍ୟରେ ଲିପ୍ତ ଅଭିଯୁକ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ହୋଇଛି ଦାବି। କାନାଡା ଅଧିକାରୀଙ୍କ ନିକଟରେ ଏହା ଉପରେ ତ୍ବରିତ ପଦକ୍ଷେପ ପାଇଁ ଦାବି ହୋଇଛି।

ଫେବୃଆରୀ ୧୩ ତାରିଖରେ କାନାଡା ମିସିସାଙ୍ଗାର ଏକ ରାମ ମନ୍ଦିରରେ ଏପରି ଘଟଣା ଘଟିଛି। ତେବେ କେଉଁ ସମୟରେ ଏପରି କାର୍ଯ୍ୟ କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ। ଟରେଣ୍ଟୋସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ମଙ୍ଗଳବାର ଟ୍ବିଟ କରି କହିଛନ୍ତି କି, ମିସିସାଙ୍ଗାର ରାମ ମନ୍ଦିର କାନ୍ଥରେ ଭାରତ ବିରୋଧୀ ନାରା ଲେଖାଯିବା ସହ ଧର୍ମୀୟ ଭାବନାକୁ ଆଘାତ ଦେବାକୁ ନିନ୍ଦା କରୁଛୁ। ଏସମ୍ପର୍କରେ କାନାଡା ଅଧିକାରୀଙ୍କୁ ଅବଗତ କରାଇଛୁ ଓ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛୁ।

ସେହିପରି ମନ୍ଦିରର ଫେସବୁକ ପେଜରେ ଲେଖା ଯାଇଛି କି, ମିସିସାଙ୍ଗାର ରାମ ମନ୍ଦିର କାନ୍ଥକୁ ଫେବୃଆରୀ ୧୩ ତାରିଖ ରାତିରେ ଖରାପ କରି ଦିଆଯାଇଛି। ଏହାକୁ ନେଇ ଆମେ ଚିନ୍ତାରେ ଓ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠା ଦାବି କରୁଛୁ।

ତେବେ କାନାଡାରେ ଏହା କୌଣସି ପ୍ରଥମ ଘଟଣା ନୁହେଁ। ଜାନୁଆରୀରେ ମଧ୍ୟ କାନାଡାର ଏକ ମନ୍ଦିର କାନ୍ଥରେ ଭାରତ ବିରୋଧୀ ଲେଖା ଲେଖାଯାଇଥିଲା। ଯାହାକୁ ନେଇ ସେଠାକାର ଭାରତୀୟଙ୍କ ଭିତରେ ଦେଖାଦେଇଥିଲା ଆକ୍ରୋଶ। ସେହିପରି ଗତ ସେପ୍ଟେମ୍ବରରେ ଟରେଣ୍ଟୋରେ ବିଏପିଏସସ୍ଥିତ ସ୍ବାମୀନାରାୟଣ ମନ୍ଦିର କାନ୍ଥରେ କାନାଡାର ଖାଲିସ୍ଥାନୀ ଚରମପନ୍ଥୀଙ୍‌କ ଦ୍ବାରା ନାରା ଲେଖା ଯାଇଥିଲା।

Leave a Reply

Your email address will not be published. Required fields are marked *