ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଜୀବନଯାତ୍ରା

Spread the love

() ସବୁଠି ସୁନକଙ୍କ ଚର୍ଚ୍ଚା। ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ ଭାରତୀୟ ବଂଶୋଦ୍ଭବଙ୍କ ଅତୀତ, ପୃଷ୍ଠଭୂମି ଓ ପରବର୍ତ୍ତୀ ଆହ୍ୱାନକୁ ନେଇ ଚର୍ଚ୍ଚା। ତେବେ ଆସନ୍ତୁ ଏହି ରିପୋର୍ଟରେ ନଜର ପକାଇଦେବା ସଂକ୍ଷପରେ ସୁନକ।

ସ୍ପଟଲାଇଟରେ ଏବେ ଋଷି ସୁନକ୍। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ। ୧୯୮୦ରେ ସାଉଥମ୍ପଟନରେ ଜନ୍ମଗ୍ରହଣ କରିଥିଲେ ସୁନକ୍। ତାଙ୍କ ମାଆ ନାସାନାଲ ହେଲଥ ସର୍ଭିସରେ କାର୍ଯ୍ୟରତ ଜଣେ ଫାର୍ମାସିଷ୍ଟ ଥିଲା ବେଳେ ବାପା ଥିଲେ ଡାକ୍ତର। ତାଙ୍କ ଜେଜେବାପାଙ୍କ ଘର ପଞ୍ଜାବରେ। ଅଧିକ ରୋଜଗାର ଆଶାରେ ସୁନକଙ୍କ ଅଭିଭାବକ ପୂର୍ବ ଆଫ୍ରିକାକୁ ଚାଲିଆସିଥିଲେ। କିନ୍ତୁ ଯେତେବେଳେ ପୂର୍ବ-ଆଫ୍ରିକାରେ ଭାରତୀୟଙ୍କ ଲାଗି ବିପଦର ବାତାବରଣ ଚାଲିଥିଲା, ସେତେବେଳେ ତାଙ୍କ ପରିବାର ବ୍ରିଟେନ ଚାଲିଯାଇଥିଲେ। ଭାଇ ଭଉଣୀ ଭିତରେ ସବୁଠୁ ବଡ଼ ସୁନକ୍ ପ୍ରଥମେ ଏକ ଘରୋଇ ବୋର୍ଡିଂ ସ୍କୁଲରେ ପାଠ ପଢ଼ିଥିଲେ। ଏହା ପରେ ଓ୍ୱିନଚେଷ୍ଟର କଲେଜରେ ପଢିବା ପରେ ଅକ୍ସଫୋର୍ଡ ୟୁନିଭରସିଟିରେ ରାଜନୀତି, ଦର୍ଶନଶାସ୍ତ୍ର ଓ ଅର୍ଥନୀତିରେ ଶିକ୍ଷାଗ୍ରହଣ କରି ସେଠାରୁ ଫାଷ୍ଟ କ୍ଲାସ୍ ଡିଗ୍ରୀ ପାଇଥିଲେ। ଏହା ପରେ ଷ୍ଟାନଫୋର୍ଡ ୟୁନିଭରସିଟିରୁ ଏମବିଏ କଲାବେଳେ ତାଙ୍କର ସାକ୍ଷାତ ହୋଇଥିଲା ଅକ୍ସତା ମୂର୍ତ୍ତିଙ୍କ ସହ। ଅକ୍ସତାଙ୍କ ସହ ପ୍ରେମ ଓ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦୁହେଁ। ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ସତା ବି ଷ୍ଟାନଫୋର୍ଡରେ ଏମବିଏ କରୁଥିଲେ।

ବଡ଼କଥା ହେଲା ବିଦେଶରେ ପ୍ରେମ ହୋଇଥିଲେ ବି ବିବାହ ହୋଇଥିଲା ବେଙ୍ଗାଲୁରୁରେ। ୨୦୦୯ରେ ଦୁଇ ଦିନିଆ ବିବାହ ଉତ୍ସବରେ ହଜାରେ ନାମୀଦାମୀ ଅତିଥି ସାମିଲ୍ ହୋଇଥିଲେ। ବିବାହ ପୂର୍ବରୁ ୨୦୦୧ ରୁ ୨୦୦୪ ମଧ୍ୟରେ ସେ ଏକ ପ୍ରମୁଖ ନିବେଶ ବ୍ୟାଙ୍କ ଓ ଅନ୍ୟ ଏକ ଫଣ୍ଡ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରିଥିଲେ। ୨୦୦୬ ବେଳକୁ ସେ କମ୍ପାନୀର ସେୟାର ହୋଲ୍ଡର ହୋଇଯାଇଥିଲେ। ଏହା ପରେ ସେ ନାରାୟଣ ମୂର୍ତ୍ତିଙ୍କ କମ୍ପାନୀ କଟମରେନ ବେଞ୍ଚର୍ସର ନିର୍ଦ୍ଦେଶକ ରୂପେ  ଓ ଭାରତ ତଥା କାଲିଫର୍ଣ୍ଣିଆରେ ଆଇଟି କମ୍ପାନୀରେ କାର୍ଯ୍ୟ କରିଥିଲେ।   ସୁନକ ଯେତେବେଳେ ଲିଜ୍ ଟ୍ରସଙ୍କ ସହ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରତିଦ୍ୱନ୍ଦିତା କରୁଥିଲେ, ସେତେବେଳେ କ୍ୟାମ୍ପେନ୍ ମୈଦାନରେ ଦେଖିବାକୁ ମିଳିଥିଲା ଏମାନଙ୍କ ଦୁଇ ଝିଅ କ୍ରିଷ୍ଣା ଓ ଅନୁଷ୍କାଙ୍କୁ। ମେ ୨୦୧୫ରେ ସୁନକ ପ୍ରଥମ ଥର ନର୍ଥ ୟୋର୍କସିରରେ ରିଚମଣ୍ଡର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହି ଆସନଟି ୧୯୦୬ରୁ ଦେଶର ସବୁଠୁ ନିରାପଦ ଆସନ ଭାବେ ବିବେଚିତ ହୋଇଆସୁଛି ଟୋରି ପାଇଁ।

୨୦୧୯ରେ ସୁନକ ସଂଖ୍ୟା ଗରିଷ୍ଠତାର ସହ ପୁନଃ ନିର୍ବାଚିତ ହୋଇଥିଲେ। ୨୦୧୯ରେ କ୍ୟାବିନେଟରେ ସାମିଲ ଆଗରୁ ୨୦୧୮ରୁ ୨୦୧୯ ଭିତରେ ସୁନକ ସଂସଦର ଅଣ୍ଡର ସେକ୍ରେଟାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।  ୨୦୧୯ରେ ସୁନକ ଟ୍ରେଜେରୀର ମୁଖ୍ୟ ସଚିବ ଭାବେ ଦାୟିତ୍ୱ ନେଇଥିଲେ। ଫେବୃଆରୀ ୨୦୨୦ରେ ସବୁଠୁ କନିଷ୍ଠ ଚାନସେଲର ଭାବେ ବଜେଟ ଅଧିବେଶନକୁ ପ୍ରିଜାଇଡ୍ କରିଥିଲେ ସୁନକ। ଯାହାକି ଥିଲା ଐତିହାସିକ। ଯେତେବେଳେ କରୋନା ମହାମାରୀରେ ସନ୍ତୁଳିତ ହେଉଥିଲା ପୁରା ଦେଶ। ମହାମାରୀ ଲାଗି ଅନେକ ରୋଜଗାର ହରାଇଥିଲେ। ଆଉ ଅର୍ଥନୀତିର ପୁନରୁଦ୍ଧାର ଲାଗି ସେତେବେଳେ ଯେଉଁ ଉଲ୍ଲେଖନୀୟ କାମ କରିଥିଲେ ସୁନକ, ତାହାର ସବୁଠି ଭୂରି ଭୂରି ପ୍ରଶଂସା ହୋଇଥିଲା। ଅବଶ୍ୟ ସୁନକ ଅନେକ ସମାଲୋଚନାର ଶୀକାର ହୋଇଛନ୍ତି।

୨୦୧୭ରେ ମନ୍ତ୍ରୀପଦ ମିଳିବା ପର୍ଯ୍ୟନ୍ତ ସେ ବ୍ୟାପାର, ଶକ୍ତି ଓ ଉଦ୍ୟୋଗ ରଣନୀତି ବିଭାଗର ସଂସଦୀୟ ବ୍ୟାପାର ସଚିବ ଭାବେ କାର୍ଯ୍ୟ ତୁଲାଇଥିଲେ। ୨୦୨୦ରେ ବୋରିସ ଜନସନ ତାଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥମନ୍ତ୍ରୀ କରିଥିଲେ। ଏହି ଅର୍ଥମନ୍ତ୍ରୀତ୍ବ କାଳରେ ସେ ଭାରତ ଓ ବ୍ରିଟେନ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବା କ୍ଷେତ୍ରରେ କାର୍ଯ୍ୟ କରିଥିଲେ। ବ୍ରିଟେନ ଅର୍ଥମନ୍ତ୍ରୀ ଥିବା ସମୟରେ ଦୀପାବଳୀ ସମୟରେ ବ୍ରିଟେନରେ ମହାତ୍ମା ଗାନ୍ଧୀଙ୍କ ନାମର ଏକ କଏନ ଜାରି କରିଥିଲେ, ଯେଉଁଥିରେ ଭାରତର ରାଷ୍ଟ୍ରୀୟ ପ୍ରତୀକ ଓ ଏକ ପଦ୍ମ ଉପରେ ମା ସରସ୍ୱତୀଙ୍କ ଚିତ୍ର ରହିଥିଲା। ଏହି ସମୟରେ ସେ କହିବାକୁ ପଛେଇ ନ ଥିଲେ କି, ଜଣେ ହିନ୍ଦୁ ଭାବେ ଏହି ମୁଦ୍ରା ଜାରି କରିବାରୁ ସେ ବହୁତ ଖୁସି ଅନୁଭବ କରୁଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *