ଚୀନ: କୋଭିଡ ମୃତ୍ୟୁ ଉପରେ ନୂଆ ଗାଇଡଲାଇନ

Spread the love

ନୂଆଦିଲ୍ଲୀ: ଚୀନରେ ସମ୍ପ୍ରତି କରୋନା ଆତଙ୍କ ଖେଳାଇଛି। ସଂକ୍ରମଣ ସହ ତାଳ ଦେଇ ବୃଦ୍ଧି ପାଇବାରେ ଲାଗିଛି ମୃତ୍ୟୁ।  ଚୀନ ନାସନାଲ ହେଲ୍ଥ କମଶନଙ୍କ ତରଫରୁ  ଜାରି ରାପୋର୍ଟ ଅନୁଯାୟୀ, ଦେଶରେ ୨୧ ଡିସେମ୍ବରକୁ ୩,୦୩୦ ନୂଆ ମାମଲା ଚିହ୍ନଟ ହୋଇଛି ଓ କୌଣସି ରୋଗୀର ମୃତ୍ୟୁ ହୋଇନାହିଁ। ଚିହ୍ନଟଙ୍କ ମଧ୍ୟରୁ ୬୪ ଜଣ ବିଦେଶୀ ଥିବା ସୂଚନା ଦିଆଯାଇଛି।

ତେବେ ଚୀନ ସରକାରୀ ତଥ୍ୟକୁ ନେଇ ଉଠିଛି ପ୍ରଶ୍ନବାଚୀ। କାରଣ ବର୍ତ୍ତମାନ ସେଠାର ହସ୍ପିଟାଲରେ କରୋନା ରୋଗୀଙ୍‌କ ଭର୍ତ୍ତି ପାଇଁ ସ୍ଥାନ ନାହିଁ କି ଔଷଧ ମଧ୍ୟ ନାହିଁ। ଶ୍ମଶାନ ବାହାରେ ଲମ୍ବା ଧାଡି ଲାଗିଛି ମୃତଦେହର।

ଚୀନର ହେଲ୍ଥ କମିଶନଙ୍କ ସୂଚନା ମୁତାବକ ଚୀନରେ ସବୁଠାରୁ ଅଧିକ ସଂକ୍ରମଣ ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ ହୋଇଛି। ସେଠାରେ ୧୩୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଏହା ପଛକୁ ରହିଛି ବେଜିଂ। ବେଜିଂରେ ୪୭୦ରୁ ଅଧିକ ମାମଲା ଥିବା ବେଳେ ସାଙ୍ଘାଇରେ ୪୭ ମାମଲା ଥିବା କୁହାଯାଇଛି।

ଏହି ସବୁ ସ୍ଥାନ ବ୍ୟତୀତ ଚୋଗକ୍ବିଂ, ଫୁଜିୟାନ, ୟୁନାନ, ହୁନାନ, ସିଚୁଆନ, ନିୟାଞ୍ଜିନ, ସାଂକ୍ସି, ହେନାନ, ଜିୟାଙ୍ଗସି, ଝୋଜିୟାଙ୍ଗ, ହୁବେଇ, ଜିୟାଙ୍ଗସୁ ଆଦି ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଚୀନର ମିଡିଆ ରିପୋର୍ଟ ମୁତାବକ, ହସ୍ପିଟାଲରେ ରୋଗୀଙ୍କ ଭର୍ତ୍ତି ପାଇଁ ବେଡର ଅଭାବ ଥିବାରୁ ଲୋକଙ୍କୁ ଘରେ ଆଇସୋଲେସନରେ ରହି ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଇଛି। କରୋନା ଔଷଧର ମଧ୍ୟ ଘୋର ଅଭାବ ଦେଖା ଦେଇଛି। ସେପଟେ ହଜାର ହଜାର ସଂଖ୍ୟାରେ ସଂକ୍ରମିତଙ୍କ ମୃତ୍ୟୁ ହେବାରୁ ଶ୍ମଶାନରେ ଶେଷ କୃତ୍ୟ ପାଇଁ ସ୍ଥାନ ମିଳୁନାହିଁ।  ତେଣୁ ଅନ୍ତିମ ସଂସ୍କାର ପାଇଁ ଦୀର୍ଘ ଅପେକ୍ଷା କରିବାକୁ ହେଉଛି।

ଚୀନ ଯେଉଁ ସଂଖ୍ୟା ଦେଖାଉଛି, ତାଠୁ ବାସ୍ତବ ସଂଖ୍ୟା ବହୁ ଅଧିକ ରହିଛି। ଏହାକୁ ନେଇ ଡବ୍ଲୁଏଚଓ ମୁଖ୍ୟ ଚିନ୍ତା ପ୍ରକଟ କରିବା ସହ ବୁଧବାର ପୁଣିଥରେ ଚୀନ୍‌କୁ କରୋନା  ତଥ୍ୟ ମାଗିଛନ୍ତି। ଗେବ୍ରିୟେସସ କହିଛନ୍ତି,  ଚୀନ୍‌ରେ ବଢ଼ୁଥିବା ସଂକ୍ରମଣ ଚିନ୍ତାଜନକ। ଚୀନ ସରକାର ଜିରୋ କୋଭିଡ ପଲିସି ହଟାଇବା ପରେ କରୋନା ସଂକ୍ରମଣ ଅହେତୁକ ଭାବେ ବୃଦ୍ଧିପାଇବାରେ ଲାଗିଛି। ତେଣୁ ଚୀନ୍ ପୂରା ତଥ୍ୟ ସାର୍ବଜନୀନ କରିବା ଉଚିତ ବୋଲି କହିଛନ୍ତି ଗେବ୍ରିୟେସସ।

ଚୀନ ସରକାର ପକ୍ଷରୁ କୋଭିଡ ମୃତ୍ୟୁକୁ ନେଇ ନୂଆ ଗାଇଡଲାଇନ ଜାରି କରାଯାଇଛି। ଏଥିରେ କୁହାଯାଇଛି କି,  ଯେଉଁ ସଂକ୍ରମିତଙ୍କ ମୃତ୍ୟୁ ଶ୍ବାସକ୍ରୀୟା ଜନିତ ସମସ୍ୟାରୁ ହେବ ସେମାନଙ୍କୁ କୋଭିଡ ଡେଥ ସାର୍ଟିଫିକେଟ ଦିଆଯିବ।   କୌଣସି ଲୋକ ଡାଇବେଟିସ, ବ୍ଲଡ ପ୍ରେସର, କ୍ୟାନ୍ସର, ହୃଦଘାତ ଜନିତ  ରୋଗ ବା ଅନ୍ୟ ରୋଗରେ ପୀଡିତ ଥିବା ବେଳେ ସଂକ୍ରମିତ ହୋଇ ମଲେ ତାଙ୍କ ମୃତ୍ୟୁକୁ କୋଭିଡ ମୃତ୍ୟୁ କୁହାଯିବ ନାହିଁ।

Leave a Reply

Your email address will not be published. Required fields are marked *