ନୂଆଦିଲ୍ଲୀ: ଭାରତ ଓ ଆମେରିକା ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବା ଆତଙ୍କୀଙ୍କୁ ଚୀନ ଦେଉଛି ସୁରକ୍ଷା। ଗତ ଦୁଇ ଦିନରେ ଦୁଇ ଜଣଙ୍କୁ ଗ୍ଲୋବାଲ ଟେରଣିଷ୍ଟ ଘୋଷଣା କରିବାରୁ ରକ୍ଷା କରିଛି ଚୀନ। ଗତ ୫ ମାସରେ ୫ କୁଖ୍ୟାତ ଆତଙ୍କବାଦୀଙ୍କୁ ଚୀନ ଜାତିସଂଘ ସୁରକ୍ଷା ପରିଷଦରେ ଖଣ୍ଟ ଘୋଡାଇଆସୁଛି।
ଅକ୍ଟୋବର ୧୮ ତାରିଖରେ ଲଶ୍କର ଏ ତୋଏବାର କୁଖ୍ୟାତ ଆତଙ୍କବାଦୀ ଶାହିଦ ମହମୁଦକୁ ବ୍ଲାକ ଲିଷ୍ଟ କରିବାକୁ ସବୁ ପଦକ୍ଷେପ ନିଆଯାଇଥିବା ବେଳେ ଚୀନ ତାକୁ ବଞ୍ଚାଇ ଦେଇଛି। ସେହିପରି ୧୯ ଅକ୍ଟୋବରକୁ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ପୁଅ ହାଫିଜ ତଲହା ସଇଦକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା ହେବାରୁ ଚୀନ ତାର ଭିଟୋ ପାୱାରରେ ସୁରକ୍ଷା ଦେଇଛି।
ତଲହା ପାକିସ୍ତାନର ପଞ୍ଚମ ଆତଙ୍କବାଦୀ ଯାହାକୁ ଚୀନ ୟୁଏନଏସସିରେ ବ୍ଲାକ ଲିଷ୍ଟ ହେବାରୁ ରକ୍ଷା କରିଛି। ଆମେରିକା ଓ ଭାରତ ଶାହିଦ ମହମୁଦ ଓ ହାଫିଜ ତଲହା ସଇଦକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲା। ଓବାମା ଶାସନ କାଳରେ ୨୦୧୬ରେ ଆମେରିକା ଟ୍ରେଜେରୀ ବିଭାଗ ଶାହିଦ ସହ ମହମ୍ମଦ ସରବାରକୁ ଗ୍ଲୋବାଲ ଆତଙ୍କବାଦୀ ଘୋଷଣା କରିଥିଲା। ମହମୁଦ, ସାଜିଦ ମୀର, ମକ୍କୀ ଓ ସରଭର ଏକତ୍ରିତ ହୋଇ ବହୁ ଆତଙ୍କୀ କାର୍ଯ୍ୟକଳାପ କରୁଛନ୍ତି। ୨୦୨୦ରେ ଭାରତ ସରକାର ଲଶ୍କର, ହିଜବୁଲ, ଜୈଶ ଓ ଇଣ୍ଡିଆନ ମୁଜାହିଦିନ ପରି ସଂଗଠନର ୧୮ ନେତାଙ୍କ ସହ ଦାଉଦକୁ ଆତଙ୍କୀ ଘୋଷଣା କରିଥିଲା। ଏହି ତାଲିକାରେ ଶାହିଦ ମଧ୍ୟ ଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now