ମେକ୍ସିକୋ: ଗୁଳିମାଡରେ ୧୮ ମୃତ୍ୟୁ

Spread the love

() ମେକ୍ସିକୋରେ ଆଖିବୁଜା ଗୁଳିମାଡ଼ରେ ୧୮ ଲୋକଙ୍କ ମୃତ୍ୟୁ ଚାରିଆଡ଼େ ହଇଚଇ ଖେଳାଇଦେଇଛି। ମେକ୍ସିକୋର ସିଟି ହଲରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମେୟରଙ୍କ ସମେତ ୧୮ ଲୋକ ଟଳି ପଡ଼ିଛନ୍ତି। ଗୁଳିକାଣ୍ଡ ପଛର କାରଣ ଖୋଜିବା ସହ ଦୁର୍ବୃତ୍ତକୁ ଧରିବାକୁ ପୁଲିସ ତନାଘନା ଜାରି ରଖିଛି। ଏହାରି ଭିତରେ ଏହି ଗୁଳିକାଣ୍ଡ ପଛରେ ଏକ ସଂଗଠନ ନିଜକୁ ଦାୟୀ କରିଛି।

ଗୁରୁବାର ସକାଳେ ମେକ୍ସିକୋ ସିଟି ହଲରେ ଏକ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି ଚାଲିଥାଏ। ଆଉ ଏତିକିବେଳେ ଜଣେ ଅଜ୍ଞାତ ବ୍ୟକ୍ତି ଅଚାନକ ହଲରେ ପଶିଥିଲା ଆଉ ଆଖିବୁଜା ଗୁଳିମାଡ଼ କରିଥିଲା। ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ଭିତରେ ମେୟର, ତାଙ୍କ ପିତା, ପୂର୍ବତନ ମେୟର ଓ ମୁନସିପଲଟି ପୁଲିସର ଅନେକ ଅଧିକାରୀ ଅଛନ୍ତି। ହସ୍ପିଟାଲ ନେବା ବାଟରେ ଆଉ ୮ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ବି ରହିଛି। ଏହି ସାମୂହିକ ଗୁଳିକାଣ୍ଡ ପରେ ପୁରା ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ଗୁଳିକାଣ୍ଡକୁ ନେଇ ସୋସିଆଲ ମିଡିଆରେ ଦୁଇଟି ଫଟୋ ଭାଇରାଲ ହେବାରେ ଲାଗିଛି। ପ୍ରଥମ ଫଟୋରେ କେବଳ କାନ୍ଥରେ ଗୁଳିର ଚିହ୍ନ ରହିଛି। ଦୁର୍ବୃତ୍ତ ହଲ କାନ୍ଥକୁ ପ୍ରାୟ ୩୦ରୁ ୩୫ ରାଉଣ୍ଡ ଗୁଳି କରିଥିଲା। ଆଉ ଆକ୍ରମଣର ଦ୍ୱିତୀୟ ଫଟୋରେ ଦୁର୍ବୃତ୍ତର ଚେହେରା ପୁରା ସ୍ପଷ୍ଟ ଆସିଥିଲା।

ସମୂହ ଗୁଳିକାଣ୍ଡ ଘଟଣାରେ ଆମେରିକା, କାନାଡା ପରେ ଏବେ ମେକ୍ସିକୋର ପାଳି ଥିଲା ବୋଲି ଚର୍ଚ୍ଚା ହେଉଛି। ଦକ୍ଷିଣ ପଶ୍ଚିମ ମେକ୍ସିକୋର ସେନ୍ ମିଗୁଏଲ ଟୋଟୋଲାପନ ସହରରେ ଘଟିଥିବା ଏହି ଗୁଳିକାଣ୍ଡକୁ ନେଇ ସବୁଠି ହଇଚଇ। ମୃତ ମେୟର କନରାଡ଼ୋ ମେଣ୍ଡୋଜା ଅଲମେଡାଙ୍କ ଦଳ ପିଆରଡି ଏହାକୁ ଭୀରୁତାର ଆଖ୍ୟା ଦେଇ ଏଭଳି ଘଟଣାକୁ ତୀବ୍ର ନିନ୍ଦା କରିଛି। ଦୋଷୀକୁ ଦଣ୍ଡ ଓ ନିରୀହ ଲୋକଙ୍କୁ ନ୍ୟାୟ ଦେବାକୁ ଦାବି କରିଛି। ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଏଲଓଏସ ଟେକ୍ୟୁଲିଓର ସଂଗଠନକୁ ଏଥିଲାଗି ଦାୟୀ କରାଯାଉଛି। ଆକ୍ରମଣ ପରେ ଦେଶର ରକ୍ଷା ମନ୍ତ୍ରଣାଳୟ ଏଭଳି ବନ୍ଧୁକଧାରୀଙ୍କୁ ଠାବ କରିବାକୁ ସେନାକୁ ବି ଲଗାଇ ଦେଇଛି। ଗ୍ୟୁରେରୋର ଗଭର୍ଣ୍ଣର ବି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଘଟଣାର କିଛି ସମୟ ଭିତରେ ଗିରୋହର ତଥାକଥିତ ସଂଗଠନ ସୋସିଆଲ ମିଡ଼ିଆରେ ଭିଡ଼ିଓ ଜାରି କରି କହିଛି କି, ସେମାନେ ଏରିଆକୁ ଫେରିଆସିଲେଣି। ୨୦୧୫ରୁ ୨୦୧୭ ଭିତରେ ଗ୍ୟୁରେରୋରେ ଏହି ଆତଙ୍କି ସଂଗଠନର ପ୍ରାଦୁର୍ଭାବ ଥିଲା। କିନ୍ତୁ ଗିରୋହର ମୁଖିଆ ରେବେଲ୍ ଜୈକାବୋ ଡି ଅଲମୋଣ୍ଟେକୁ ହତ୍ୟା ପରେ ଏହି ଗ୍ୟାଙ୍ଗ ନିଷ୍କ୍ରିୟ ହୋଇଯାଇଥିଲା। ଏହି ଘଟଣା ପରେ ମେକ୍ସିକୋରେ ଉତ୍ତେଜିତ ଲୋକେ ରାସ୍ତା ଉପରକୁ ଓହ୍ଲାଇଛନ୍ତି। ରାସ୍ତା ଅବରୋଧ କରିବା ସହ କେତେକ ଯାନବାହନକୁ ବି ଜାଳି ଦେଇଥିବାର ଖବର ଆସିଛି। ମ୍ୟୁନିସିପାଲିଟି ଅଫିସ ପାଖରେ ଏ ପ୍ରତିବାଦ କରିଛନ୍ତି।

ବନ୍ଧୁକମୁନରେ ସାମୂହିକ ହତ୍ୟାକାଣ୍ଡକୁ ନେଇ ମେକ୍ସିକୋରେ ଏହା ତୃତୀୟ ଘଟଣା। ସେପ୍ଟେମ୍ୱର ୨୧ରେ ଗୁଆନାଜୁଆଟୋରେ ବନ୍ଧୁକଧାରୀ ଗ୍ୟାଙ୍ଗ ବାରରେ ପଶି ୧୦ ଜଣଙ୍କୁ ହତ୍ୟା କରିଥିଲେ। ଏହାର ସପ୍ତାହକ ଭିତରେ କାଲେରା ପୁଲିସ ମୁଖ୍ୟଙ୍କ ସମେତ ୫ ପୁଲିସ ଅଧିକାରୀଙ୍କୁ ଗନ ପଏଣ୍ଟରେ ମାରିଥିଲେ ଦୁର୍ବୃତ୍ତ। ପୂର୍ବରୁ ଅଗଷ୍ଟରେ ବି ପଶ୍ଚିମ ମେକ୍ସିକୋରେ ଗୁଳିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *