ଜିନପିଙ୍ଗ ବିଶ୍ବ ଶାନ୍ତି ପଥରେ ବାଧକ!

Spread the love

()ତୃତୀୟ ଥର ପାଇଁ ସି ଜିନପିଙ୍ଗ ଚୀନର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ରବିବାର ଜିନପିଙ୍ଗ ଚାଇନିଜ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ନିର୍ବାଚିତ ହୋଇ ଦେଶର ସର୍ବଶକ୍ତିଶାଳୀ ନେତା ଭାବେ ନିଜ ସ୍ଥିତି ଜାହିର କରିଛନ୍ତି।   ମାର୍ଚ୍ଚ ୨୦୨୩ରେ ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ଦାୟିତ୍ବଗ୍ରହଣ କରିବେ। ଖାଲି ଚୀନରେ ନୁହେଁ ସାରା ବିଶ୍ବରେ ଜିନପିଙ୍ଗ ଜଣେ ଶକ୍ତିଶାଳୀ ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ଚାହୁଁଛନ୍ତି। ଆଉ ତାଙ୍କର ଏହି ଦୁର୍ବାର ଇଛା ବିଶ୍ବ ଶାନ୍ତି କ୍ଷେତ୍ରରେ ସାଜିଛି ବାଧକ।

୧୯୫୩ ଜୁନ ୧୫ ତାରିଖ। ଚୀନର ରାଜଧାନୀ ବେଜିଂରେ ଏକ ରାଜନୈତିକ ପରିବାରରେ ଜିନପିଙ୍ଗଙ୍କ ଜନ୍ମ ହୋଇଥିଲା।  ତାଙ୍କ ପିତା ସି ଝୋଙ୍ଗକ୍‌ସୁନ ଦେଶର ଉପ ପ୍ରଧାନମନ୍ତ୍ରୀ ଥିଲେ। ଜିନପିଙ୍ଗଙ୍କର ଦୁଇ ଜଣ ବଡ ଭଉଣୀ ମଧ୍ୟ ରହିଛନ୍ତି। ଜିନପିଙ୍ଗଙ୍କ ସ୍କୁଲ ଶିକ୍ଷା ବେଜିଙ୍ଗରେ ହୋଇଥିଲା। ନିଜ ସ୍କୁଲ ଶିକ୍ଷା ପରେ ସେ ବେଜିଂସ୍ଥିତ ସିଙ୍ଘୁଆ ବିଶ୍ବବିଦ୍ୟାଳୟରୁ କେମିକାଲ ଇଞ୍ଜିନିୟରିଂରେ ସ୍ନୋକତ ଶିକ୍ଷା ଅଧ୍ୟୟନ କରିଥିଲେ। ଜିନପିଙ୍ଗ ଜୀବନରେ ଦୁଇଟି ବିବାହ କରିଛନ୍ତି। ୧୯୮୦ରେ ବିବାହ କରିଥିବା କେ ଲିଙ୍ଗଲିଙ୍ଗଙ୍କ ସହ ତାଙ୍କ ବୈବାହିକ ଜୀବନ ଦୀର୍ଘସ୍ଥାୟୀ ନ ଥିଲା। ବିବାହର କିଛି ବର୍ଷ ମଧ୍ୟରେ ପରସ୍ପରକୁ ଛାଡପତ୍ର ଦେଇଥିଲେ। ଏହା ପରେ ୧୯୮୭ରେ ଚୀନର ଲୋକ ଗୀତ ଗାୟିକା ପେଙ୍ଗ ଲିୟୁଆନଙ୍କୁ ବିବାହ କରିଥିଲେ ଜିନପିଙ୍ଗ। ଉଭୟଙ୍କର ଏକ ଝିଅ ଅଛି।

ରାଜନୈତିକ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ଇଞ୍ଜିନିୟରିଂ କରି ମଧ୍ୟ ଜିନପିଙ୍ଗ ରାଜନୀତିରେ ପାଦ ଥାପିଥିଲେ। ୧୯୮୩-୮୫ ମଧ୍ୟରେ ସେ ଝେଙ୍ଗଡିଙ୍ଗ କାଉଣ୍ଟିର ପାର୍ଟି ସଚିବ ହୋଇଥିଲେ। ଏହା ପରେ ୧୯୮୫ରେ ଜିୟାମେନ ର ଡେପୁଟି ମେୟର , ୧୯୮୮-୧୯୯୦ ଯାଏଁ ନିଙ୍ଗଦେ ର ପାର୍ଟି ସଚିବ, ୧୯୯୦-୯୬ ଯାଏଁ ଫୁଜୌର ପିପୁଲ୍ସ କଂଗ୍ରେସର ସ୍ଥାୟୀ ସମିତି ଅଧ୍ୟକ୍ଷ, ୧୯୯୫- ୨୦୦୨ଫୁଜିୟାନ ଅଞ୍ଚଳର ଉପ ପାର୍ଟି ସଚିବ ଓ ୧୯୯୯- ୨୦୦୨  ମଧ୍ୟରେ ଫୁଜୟାନ ଗଭର୍ନର ଥିଲେ। ବିଭିନ୍ନ ସମୟରେ ଭିନ୍ନଭିନ୍ନ ପଦରେ ଆସିନ୍ନ ହୋଇ ୨୦୧୨ରେ ସିସିପିର ସେ ହୋଇଥିଲେ ଅଧ୍ୟକ୍ଷ। ଏହି ସମୟରେ ସେ ସେନାକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲେ। ୨୦୧୩ରେ ସେ ହୋଇଥିଲେ ଦେଶର ପ୍ରଥମ ନାଗରିକ।

ରାଷ୍ଟ୍ରପତି ଭାବେ ଜିନପିଙ୍ଗକୁ ବିଶ୍ବ ଏକଛତ୍ରବାଦୀ, ବିସ୍ତାରବାଦୀ, ଉଚ୍ଚାକାଂକ୍ଷି ନେତା ଭାବେ ଜାଣିଛି। ଏହି ଉଚ୍ଚାକାଂକ୍ଷା ଅନେକ ଦେଶ ପାଇଁ ମଧ୍ୟ ଅଡୁଆର କାରଣ ହୋଇଛି। ଜିନପିଙ୍ଗ ପୁନର୍ବାର ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଅନେକ ରାଷ୍ଟ୍ର ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛନ୍ତି। ଜିନପିଙ୍ଗଙ୍କ ନେତୃତ୍ବରେ ଚୀନର ବିସ୍ତାରବାଦୀ ଚିନ୍ତାଧାରା ଆହୁରି ଉତ୍କଟ ହୋଇଛି। ଚୀନର ପଡୋଶୀ ରାଷ୍ଟ୍ର ତାଇବାନ, ଜାପାନ, ନେପାଳ, ଭାରତ ସହ ସୀମା ବିବାଦ ଠିଆ ହୋଇଛି।

ଭାରତ ଉପରେ ପ୍ରଥମରୁ ହିଁ ଚୀନର ନଜର ରହିଛି। ବିଭିନ୍ନ ସମୟରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଓ ରକ୍ତପାତ ହୋଇଛି। ପୁଣି ଜିନପିଙ୍ଗ ରାଷ୍ଟ୍ରପତି ହେବା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି। ଏମିତି କି, ୨୦୨୦ରେ ଗଲବାନ ଘାଟିରେ ଯେମିତି ରକ୍ତପାତ କରି ଚୀନ ନିଜ ସ୍ଥିତି ସେଠାରେ ଜାହିର କରିବାକୁ ଚେଷ୍ଟା କରିଥିଲା ଆଗକୁ ମଧ୍ୟ ଜିନପିଙ୍ଗଙ୍କ ନେତୃତ୍ବରେ କରିପାରେ। ଏହା ବ୍ୟତୀତ, ଚୀନ ଭାରତ ବିରୋଧରେ ପାକିସ୍ତାନର ବ୍ୟବହାର କରି ଆସୁଛି। ପାକ୍ ଆତଙ୍କବାଦୀ ଚୀନର ପରୋକ୍ଷ ପ୍ରେତ୍ସାହନରେ ଏଲଓସି ଦେଇ ଭାରତକୁ ଅନୁପ୍ରବେଶ କରୁଛନ୍ତି ।  ତେଣୁ ଜାତିସଂଘର ସୁରକ୍ଷା ପରିଷଦରେ ଭାରତ ତଥା ଆମେରିକା ଯେତେବେଳେ ବି ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀଙ୍କୁ ବିଶ୍ବ ଆତଙ୍କୀ ଘୋଷଣା କରିବାକୁ ଚେଷ୍ଟା କରିଛନ୍ତି ଚୀନ ସେଥିରେ ବାଧକ ସାଜିଛି। ଆତଙ୍କବାଦ ଦ୍ବାରା ଭାରତର ଏଲଓସିରେ ଅସ୍ଥିରତା ସୃଷ୍ଟି କରି ଏଲଏସିରେ ନିଜ ସେନା ଦ୍ବାରା ଜବରଦସ୍ତ ପ୍ରବେଶ କରି ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ନିଜ କବଜାକୁ ନେବାକୁ ଚେଷ୍ଟା କରୁଛି।

ସେହିପରି ତାଇବାନକୁ ନିଜ କବଜାକୁ ନେବାକୁ ଚୀନ ଚକ୍ରାନ୍ତ ଚଳାଇ ଆସିଛି। ଚୀନ ତାଇବାନକୁ ତାରଅଂଶ ଭାବେ ଦାବି କରୁଛି। ଜିନପିଙ୍ଗଙ୍କ ଏହି ବିସ୍ତାରବାଦୀ ନୀତିରେ ଅତିଷ୍ଠ ପଡୋଶୀ ରାଷ୍ଟ୍ର ସମୁହ। ତେଣୁ ପଡୋଶୀ ରାଷ୍ଟ୍ର  ତାଇବାନ, ଜାପାନ, ଭିୟତନାମା, ଫିଲିଫାଇନ୍ସ, ଅଷ୍ଟ୍ରେଲିଆ ନିଜ ସୈନ୍ୟ ବଳ ବଢାଇବାକୁ ବାଧ୍ୟ ହେଉଛନ୍ତି। ସେପଟେ ଚୀନ ମଧ୍ୟ ନିଜ ସେନାକୁ ଅହେତୁକ ଭାବେ ବୃଦ୍ଧି କରି ଚାଲିଛି। ବିଶ୍ବର ସର୍ବ ବୃହତ୍ତ ସେନା ଗଢିବାରେ ସକ୍ଷମ ହୋଇଛନ୍ତି ଜିନପିଙ୍ଗ। ଖାଲି ସେନା ବୃଦ୍ଧି ନୁହେଁ, ବିଭିନ୍ନ ମାରଣାସ୍ତ୍ର, ମିସାଇଲ, ପରମାଣୁ ଅସ୍ତ୍ରଶସ୍ତ୍ରରେ ନିଜକୁ ସମୃଦ୍ଧ କରୁଛି ଚୀନ। 

ପେଣ୍ଟାଗନର ଏକ ରିପୋର୍ଟ ଅନୁଯାୟୀ, ଚୀନ ଜଳ, ସ୍ଥଳ ଓ ବାୟୁରେ ପରମାଣୁ ଅସ୍ତ୍ରର ବ୍ୟବହାର କରିବା କ୍ଷମତା ହାସଲ କରିସାରିଛି। ଚୀନ ନିକଟରେ ପ୍ରାୟ ୩୫୦ରୁ ଅଧିକ ପରମାଣୁ ହତିଆର ରହିଛି। ଆମେରିକା ଗୁଇନ୍ଦା ସଂସ୍ଥା ଅନୁଯାୟୀ, ୨୦୨୭ ସୁଦ୍ଧା ଚୀନର ପରମାଣୁ ଭଣ୍ଡାର ୭୦୦ରୁ ଅଧିକ ହତିଆରରେ ଭରିଯିବ। ଚୀନ ନିଜକୁ ବିଶ୍ବର ସର୍ବ ଶକ୍ତିଶାଳୀ ରାଷ୍ଟ୍ର ଭାବେ ନିଜ ଶକ୍ତି ଜାହିର କରୁଛି। ବିଶ୍ବ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଚୀନ ବା ଜିନପିଙ୍ଗ ହୋଛନ୍ତି ବାଧକ।

ଶିଳାସ୍ମିତା ରାୟଙ୍କ ରିପୋର୍ଟ  

Leave a Reply

Your email address will not be published. Required fields are marked *