ଅପରେସନ ଦୋସ୍ତ ଶେଷ: ଘରକୁ ଫେରିଲା ଏନଡିଆରଏଫ

Spread the love

ନୂଆଦିଲ୍ଲୀ: ତୁର୍କୀରେ ହୋଇଥିବା ବିନାଶକାରୀ ଭୂକମ୍ପର ୧୨ ଦିନ ପରେ ଏନଡିଆରଏଫ ଭାରତ ଫେରିଛି। ଅପରେସନ ଦୋସ୍ତ ଅନ୍ତର୍ଗତ ଏନଡିଆରଏଫର ୧୫୧ କର୍ମୀ , ଡ୍ରଗ୍ସ ସ୍କ୍ବାଡର ୩ ଟିମ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା। ଅପରେସନ ଅନ୍ତର ଘୋଷଣା ପରେ ଏନଡିଆରଏଫ ଟିମ ପ୍ରତ୍ୟାବର୍ତ୍ତନ କରିଛି। ତେବେ ଏନଡିଆରଏଫକୁ ବିଦା କରିବା ବେଳେ ସେଠାରେ ଦେଖିବାକୁ ମିଳିଛି ହୃଦୟସ୍ପର୍ଶ ଦୃଶ୍ୟ। ଭାରତ ପକ୍ଷରୁ ମିଳିଥିବା ସହାୟତାକୁ ସେଠାରେ ସମସ୍ତେ ପ୍ରଶଂସା କରିବା ସହ ଏନଡିଆରଏଫ ଟିମକୁ ତାଳି ମାରି ହସ ହସ ବଦନରେ ବିଦାୟ ଦେଇଛନ୍ତି। ସେପଟେ ଭାରତରେ ଏନଡିଆରଏଫର ଯବାନ ପହଞ୍ଚିବା ପରେ ବିମାନ ବନ୍ଦରରେ ସେମାନଙ୍କୁ ମାଳା ପିନ୍ଧାଇ ସ୍ବାଗତ କରାଯାଇଛି।

ସୂଚନାଯୋଗ୍ୟ, ଫେବୃଆରୀ ୬ ତାରିଖରେ ଭୟଙ୍କର ଭୂକମ୍ପରେ ଥରିଉଠିଥିଲା ତୁର୍କୀ ଓ ସିରିଆ। ହଜାର ହଜାର କୋଠାବାଡି ମାଟିରେ ମିଶିବା ସହ ୪୬ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ଭୂକମ୍ପ ପରେ ଅପରେସନ ଦୋସ୍ତ ଅନ୍ତର୍ଗତ ଭାରତ ଏନଡିଆରଏଫର ଏକାଧିକ ଟିମ ପଠାଇବା ସହ ଚିକିତ୍ସକ ଟିମ, ଔଷଧ, ଅତ୍ୟାବଶ୍ୟକ ସାମଗ୍ରୀ ପଠାଇଥିଲା ତୁର୍କୀକୁ।

ଉଦ୍ଧାର କାର୍ଯ୍ୟ ସମାପ୍ତି ହେବା ଥିବାରୁ ଏନଡିଆରଏଫର ବହୁ ଦଳ ପୂର୍ବରୁ ସ୍ବଦେଶକୁ ଫେରିଆସିଥିଲା ବେଳେ ରବିବାର ଏନଡିଆରଏଫର ଅନ୍ତିମ ଟିମ ଭାରତ ଫେରିଛି। ଏସମ୍ପର୍କରେ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ଟ୍ବିଟ କରି ସୂଚନା ଦେଇଛନ୍ତି। ଅପରେସନ ଦୋସ୍ତ ଶେଷ କରି ଏନଡିଆରଏଫ ଟିମ ତୁର୍କୀରୁ ଘରକୁ ଫେରିଛନ୍ତି। ୧୫୧ ଏନଡିଆରଏଫ କର୍ମଚାରୀ ଓ ୩ ଟିମ ଡଗ ସ୍କ୍ବାଡ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ସହାୟତା ପ୍ରଦାନ କରିଛନ୍ତି। ଏନଡିଆରଏଫ ନରଦଗି ଓ ଅନ୍ତାକ୍ୟାର ୩୫ ସ୍ଥାନରୁ ଜୀବନର ସନ୍ଧାନ ଲଗାଇବାରେ ସହଯୋଗ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।

ଏନଡିଆରଏଫ ହେଡକ୍ବାଟର ପକ୍ଷରୁ ମଧ୍ୟ ଅପରେସନ ଦୋସ୍ତ ସମାପ୍ତି ନେଇ ସୂଚନା ଦିଆଯାଇଛି। ଏନଡିଆରଏଫ ସେଠାକାର ବହୁ ଫଟୋ ଓ ଭିଡିଓ ମଧ୍ୟ ସେୟାର କରିଛି। ସେଠାରେ ବିଦାୟ ସମୟରେ କିପରି ଟିମକୁ ତାଳି ବଜାଇ ବିଦାୟ ଦିଆଯାଇଛି ତାହା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *