ପେରୁରେ ପୁଣି ରାଜନୈତିକ ଅସ୍ଥିରତା

Spread the love

() ପେରୁରେ ପୁଣି ରାଜନୈତିକ ଅସ୍ଥିରତା । ରାଷ୍ଟ୍ରପତିଙ୍କୁ ପଦଚ୍ୟୁତ କରିବା ସହ ଗିରଫଦାରୀ ପରେ  ଅଶାନ୍ତ ହୋଇଉଠିଛି ପେରୁ। ଗିରଫ ରାଷ୍ଟ୍ରପତି ପେଡ୍ରୋ କାଷ୍ଟ୍ରିଲୋଙ୍କ ସମର୍ଥନରେ ହଜାର ହଜାର ସଂଖ୍ୟାରେ ଲୋକ ରାଜରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିବା ସହ ଘଟାଇଛନ୍ତି ହିଂସା। ଏଥିରେ ବହୁ ଲୋକଙ୍କ ମୃତ୍ୟୁ ହେଲାଣି।  ଏହାକୁ ଦୃଷ୍ଟିରେ ରଖି ଦେଶରେ କର୍ଫ୍ୟୁ ଜାରି କରାଯାଇଛି। ସେପଟେ ତୁରନ୍ତ ନିର୍ବାଚନ ପାଇଁ ହୋଇଆସୁଥିବା ଦାବିକୁ ଖାରଜ କରାଯାଇଛି। ତେବେ କାହିଁକି ଏପରି ସ୍ଥିତି ସୃଷ୍ଟି ହୋଇଛି ପେରୁରେ ଏହାକୁ ନେଇ ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟ

ଅଶାନ୍ତ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ପେରୁ। ରାଜଧାନୀ ଲିମା ସହ ଦେଶର ବିଭିନ୍ନ ପ୍ରାନ୍ତରେ ବିରୋଧ, ନାରାବାଜି, ହିଂସା ବୃଦ୍ଧି ପାଇବାରୁ ଦେଶରେ କର୍ଫ୍ୟୁ ଜାରି କରିଛି ସେଠାକାର ସରକାର। ହିଂସାରେ ଅଦ୍ୟାବଧି ବହୁ ଲୋକଙ୍କ ମୃତ୍ୟୁ ହେଲାଣି। ମୃତ୍ୟୁକୁ ନେଇ ସଠିକ ତଥ୍ୟ ସାମ୍ନାକୁ ଆସି ନ ଥିବା ବେଳେ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଭିନ୍ନ ଭିନ୍ନ ରିପୋର୍ଟ ଦିଆଯାଉଛି। କିଛି ପ୍ରଦର୍ଶନ କାରଣରୁ ହେଉଥିବା ମୃତ୍ୟୁ ସଂଖ୍ୟା ୧୬ କହୁଥିବା ବେଳେ କିଛି ୨୦ ହୋଇଛି ବୋଲି କହୁଛନ୍ତି। ଏହି ହିଂସା ଓ ଅସ୍ଥିରତା ସୂତ୍ରପାତ ଡିସେମ୍ବର ୭ ତାରିଖରୁ ହୋଇଥିଲା, ଯେତେବେଳେ ପେରୁର ସେତେବେଳର ରାଷ୍ଟ୍ରପତି ପେଡ୍ରୋ କାଷ୍ଟ୍ରିଲୋଙ୍କୁ ପଦଚ୍ୟୁତ କରାଯିବା ସହ ଗିରଫ କରାଯାଇଥିଲା। ରାଷ୍ଟ୍ରପତିଙ୍କ ଗିରଫଦାରୀ ଖବର ଆସିବା ପରେ ତାଙ୍କ ସମର୍ଥକମାନେ ବିପୁଳ ସଂଖ୍ୟାରେ ପ୍ରଦର୍ଶନ ଆରମ୍ଭ କରି ଦେଇଥିଲେ। ପେଡ୍ରୋଙ୍କୁ ମୁକ୍ତ କରିବା ସହ ଦେଶରେ ନିର୍ବାଚନ କରିବାକୁ ଦାବି ଜୋର ଧରିଥିଲା। ଲୋକେ ଦେଶର ରାଜଧାନୀ ଲିମା ସମେତ ବିଭିନ୍ନ ବଡ ବଡ ସହରରେ ପ୍ରଦର୍ଶନ, ବିକ୍ଷୋଭ କରିବା ସହ ବହୁ କୋଠା, ଥାନାରେ ମଧ୍ୟ ନିଆଁ ଲଗାଇଦେଇଥିଲେ।

ବିକ୍ଷୋଭକାରୀଙ୍କ ଉଗ୍ର ରୂପକୁ ଦେଖି ବହୁ ସଂଖ୍ୟାରେ ପୁଲିସ ଓ ସେନା ମୁତୟନ କରାଯିବା ସହ ସେମାନଙ୍କୁ ପ୍ରଦର୍ଶନକାରୀଙ୍କ ଦମନ ପାଇଁ ଦିଆଯାଇଥିଲା ନିର୍ଦ୍ଦେଶ। ଫଳରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନବେଳେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ ଓ ପ୍ରଦର୍ଶନକାରୀ। ଏହି ପ୍ରଦର୍ଶନ ପାଇଁ ଏପର୍ଯ୍ୟନ୍ତ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଡିସେମ୍ବର ୧୫ ତାରିଖରେ ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ ୮ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫୨ ଜଣ ଆହତ ହୋଇଥିଲେ।  ସେହିପରି ୧୬ ତାରିଖରେ ବିକ୍ଷୋଭକାରୀ ଆୟାଚୁଚିର ବିମାନ ବନ୍ଦରର ରନୱେକୁ ଆବଦ୍ଧ କରିବା ସହ ବିମାନ ବନ୍ଦରର ସମସ୍ତ ଏଣ୍ଟ୍ରି ପଏଣ୍ଟକୁ ବନ୍ଦ କରି ଦେଇଥିଲେ। ଖାଲି ଆୟାଚୁଚି ନୁହେଁ ଏହି ପରି ଅନେକ ବିମାନ ବନ୍ଦରରେ ପ୍ରଦର୍ଶନ ପାଇଁ ବହୁ ବିମାନ ଉଡାଣକୁ ମଧ୍ୟ ରଦ୍ଦ କରିବାକୁ ହୋଇଥିଲା। ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ପୁଲିସକୁ ଲୁହ ବୁହା ଗ୍ୟାସ ସହ ଗୁଳିଚାଳନା ମଧ୍ୟ କରିବାକୁ ହୋଇଥିଲା। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

ଏହି ଭଳି ବିଭିନ୍ନ ସ୍ଥାନରେ ହୋଇଥିବା ବିକ୍ଷୋଭରେ ମୃତ୍ୟୁସଂଖ୍ୟା ୨୦ ଛୁଇଁଛି। ପ୍ରଦର୍ଶନର ଉଗ୍ରତା ଓ ପ୍ରଦର୍ଶନକାରୀଙ୍କ ମୃତ୍ୟୁକୁ ଦେଖି ଶୁକ୍ରବାର ଦିନ ପେରୁର ଶିକ୍ଷା ଓ ସଂସ୍କୃତି ବିଭାଗର ଦୁଇ ମନ୍ତ୍ରୀ ସେମାନଙ୍କ ଇସ୍ତଫା ଦେଇଥିଲେ। ଦେଶରେ ଦେଖାଦେଇଥିବା ଅସ୍ଥିରତା ଓ ନାଗରିକଙ୍କ ମୃତ୍ୟୁକୁ କଟରପନ୍ଥୀ ପଦକ୍ଷେପ କହିବା ସହ ଉଭୟ ନେତା ଏହାକୁ ଘୋର ବିରୋଧ କରି ସରକାରରୁ ବାହାରି ଯାଇଛନ୍ତି। ନିଜ ସରକାରର ମନ୍ତ୍ରୀଙ୍କ ଦ୍ବାରା ସମାଲୋଚିତ ହେବା ଓ ମନ୍ତ୍ରୀଙ୍କ ପଦଚ୍ୟୁତିକୁ ଦେଖି ବର୍ତ୍ତମାନର ସରକାର ତଥା ଉପରାଷ୍ଟ୍ରପତିରୁ ରାଷ୍ଟ୍ରପତି ହୋଇଥିବା ଡିନା ବୋଲୁଆର୍ତ୍ତେ ଶନିବାରଠାରୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗି କରିଛନ୍ତି। କେତେକ ସ୍ଥାନରେ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି। ହଠାତ୍ ଦେଶରେ ଏପରି ଅସ୍ଥିରତା ଦେଖାଦେବାର କାରଣ ଥିଲା ପୂର୍ବତନ ରାଷ୍ଟ୍ରପତି ପେଡ୍ରୋ କାଷ୍ଟ୍ରିଲୋଙ୍କ ଭୁଲ ନିଷ୍ପତ୍ତି। ପେଡ୍ରୋଙ୍କ ଦଳ ସରକାର ଗଠନ କରିଥିଲେ ମଧ୍ୟ ନଥିଲା ସଂଖ୍ୟାଗରିଷ୍ଠତା। ବିଭନ୍ନ ଦଳକୁ ନେଇ ସେ ଗଠନ କରିଥିଲେ ସରକାର।

ଯାହାକୁ ନେଇ ସେଠାକାର କଂଗ୍ରେସର ସ୍ଥିତି ମଜବୁତ ନଥିଲା। ପାର୍ଲିଆମେଣ୍ଟରେ କୌଣସି ବିଲ ପାସ କରିବା ବେଳେ ତାଙ୍କ ସରକାରକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ହେଉଥିଲା। ଅନ୍ୟପଟେ ଏକାଧିକ ପାର୍ଟି ଥିବାରୁ କଂଗ୍ରେସରେ ତାଙ୍କୁ ସମସ୍ୟା ହେଉଥିଲା। ନିଜ ଦଳର କିଛି ନେତା ମଧ୍ୟ ତାଙ୍କୁ ବିରୋଧ କରୁଥିଲେ। ପୂର୍ବରୁ ଦୁଇ ଥର ତାଙ୍କୁ ପଦରୁ ବାହାର କରିବାକୁ ଷଡଯନ୍ତ୍ର ହୋଇଥିବା ବେଳେ ସେ ସେହି ଷଡଯନ୍ତ୍ରକୁ ପଣ୍ଡ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ଗାଦୀଚ୍ୟୁତର ଭୟ ଓ ଆଶଙ୍କା ଭିତରେ ଡିସେମ୍ୱର ୭ ତାରିଖରେ ସେ ଦେଶରେ ଜାରି କରିଥିଲେ ଏମର୍ଜେନ୍ସି ଓ କଂଗ୍ରେସକୁ ଭଙ୍ଗ କରିଥିଲେ। ଯାହାର ଫାଇଦା ଉଠାଇଥିଲା ବିରୋଧୀ। ଜରୁରୀ ବୈଠକ ଡକାଯାଇ ପେଡ୍ରୋଙ୍କୁ ଗାଦିଚ୍ୟୁତ କରିବାକୁ ନିଷ୍ପତ୍ତି ସହ ତାଙ୍କ ବିରୋଧରେ ଅଣାଯାଇଥିଲା ମହାଭିଯୋଗ। ଏହାପରେ ତତକ୍ଷଣାତ୍ ମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରିବା ସହ ଗିରଫ କରାଯାଇଥିଲା। ଏହା ପରେ ଉପରାଷ୍ଟ୍ରପତି ଡିନା ବୋଲୁଆର୍ତ୍ତେ ହୋଇଥିଲେ ରାଷ୍ଟ୍ରପତି। କିନ୍ତୁ ପେଡ୍ରୋଙ୍କ ବିଦା ପରେ ଦେଖାଦେଇଥିବା ଅସ୍ଥିରତାକୁ ନିୟନ୍ତ୍ରଣରେ ସେ ହୋଇଛନ୍ତି ଅସମର୍ଥ।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *