ଋଷି ସୁନକ ଓ ବିବାଦ

Spread the love

() ଭାରତୀୟ ବଂଶୋଦ୍ଭବ ଭାବେ ଇଂଲଣ୍ଡର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି ଋଷି ସୁନକ। ତେବେ ଏଭଳି ବିରଳ କୀର୍ତ୍ତି ଅର୍ଜନ କରିଥିବା ରୁଷି ସୁନକଙ୍କ ପରିବାର ଅନେକ ସମୟରେ ବିବାଦର ଶିରୋନାମା ପାଲଟିଛି।

ସୋମବାର ବ୍ରିଟେନର କଞ୍ଜରଭେଟିଭ ଦଳ ଋଷି ସୁନକଙ୍କୁ ସେମାନଙ୍କର ନେତା ଭାବେ ଘୋଷଣା କରିବାପରେ ଋଷି ସୁନକ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଦେଶର ଶାସନ ଭାର ଡୋରି ଧରିଛନ୍ତି। ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ସୁନକଙ୍କ ଭାଗ୍ୟ ଚମକିଛି। କାରଣ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜୋନ୍ସଙ୍କ ନାଁରେ ଏକାଧିକ ସ୍କାଣ୍ଡାଲ ଅଭିଯୋଗ ଆସିବା ପରେ ୬ ସପ୍ତାହ ଆଗରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଆଉ ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାର ଦୁଇ ମାସ ନ ପୁରୁଣୁ ଗାଦି ଛାଡ଼ିଲେ। ଆର୍ଥିକ ମାନ୍ଦାବସ୍ଥାକୁ ସଜାଡ଼ିବାରେ ବିଫଳତାର ଟ୍ୟାଗଲାଇନ ଲାଗିଥିଲା ଟ୍ରସଙ୍କ ଉପରେ।

ତେବେ ବଡ଼ କଥା ହେଲା କି, ଅନ୍ୟତମ ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟେନର ପୂର୍ବତନ ଗୃହମନ୍ତ୍ରୀ ପ୍ରୀତି ପଟେଲ ବୋରିସଙ୍କ ପ୍ରାର୍ଥୀତ୍ୱ ପଛରେ ଛିଡ଼ା ହୋଇଥିଲେ। ଶୀର୍ଷ ନେତୃତ୍ୱ ପାଇଁ ପୂର୍ବରୁ ଯେତେବେଳେ ଲିଜ୍ ଟ୍ରସ୍ ଓ ଋଷି ସୁନକଙ୍କ ଭିତରେ ପ୍ରତିଯୋଗିତା ଚାଲିଥିଲା, ସେତେବେଳେ ପ୍ରୀତି ନୀରବ ରହିଥିଲେ। ଏବେ ସବୁ ଚର୍ଚ୍ଚାର ଅନ୍ତ ଘଟିସାରିଛି। ଋଷି ପ୍ରଧାନମନ୍ତ୍ରୀ ମୁକୁଟ ପିନ୍ଧିଛନ୍ତି। ଆଉ ଋଷିଙ୍କ ଏହି ସଫଳତା ପରେ ଅନେକ ଆଡ଼ୁ ଶୁଭେଛାର ସୁଅ ଛୁଟିଛି। ଏହି କ୍ରମରେ ଋଷିଙ୍କ ଶ୍ୱଶୁର ତଥା ଇନଫୋସିସ୍ ପ୍ରତିଷ୍ଠାତା ଏନଆର ନାରାୟଣ ମୂର୍ତ୍ତି ତାଙ୍କୁ ଏହି ସଫଳତା ଲାଗି ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏହା ସହ ଋଷି ବ୍ରିଟେନବାସୀଙ୍କ ଆଶା ଆକାଙ୍କ୍ଷା ପୂରଣ କରିବେ ବୋଲି ସେ ଆଶାବାଦୀ।

ସୁନକ ଯିଏ ଅକ୍ସଫୋର୍ଡ ଓ ଷ୍ଟାନଫୋର୍ଡ ୟୁନିଭରସିଟିରୁ ପଢିଛନ୍ତି, ସେ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକସତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି। ସୁନକ ସାଉଥମ୍ପଟନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଅଭିଭାବକ ପୂର୍ବ ଆଫ୍ରିକାରୁ ବ୍ରିଟେନକୁ ଚାଲିଆସିଥିଲେ। ଗଲା ଏପ୍ରିଲ ମାସରେ ଅକ୍ସତା ଟିକସ ଚୋରୀକୁ ନେଇ ବେଶ୍ ଟ୍ରୋଲ ହୋଇଥିଲେ। କିନ୍ତୁ ସୁନକ ଏ ଆରୋପକୁ ଖଣ୍ଡନ କରିଥିଲେ ଓ କହିଥିଲେ କି, ଅକ୍ସତା ସମସ୍ତ ଟିକସ ପୈଠ କରିଛନ୍ତି। ନିଜର ଆୟ ଅନୁପାତରେ ଯାହା ଧାର୍ଯ୍ୟ ଟିକସ, ତାକୁ ନିରନ୍ତର ପୈଠ କରିବାରେ କେବେବି ଅବହେଳା କରିନାହାନ୍ତି ଅକ୍ସତା ବୋଲି ତାଙ୍କ ମୁଖପାତ୍ର ସ୍ପଷ୍ଟ କରିଛନ୍ତି। କାରଣ ସେତେବେଳେ ଋଷି ବ୍ରିଟେନର ଅର୍ଥମନ୍ତ୍ରୀ ଥିଲେ। ଅର୍ଥାତ୍ ଦେଶ ରାଜକୋଷର ଚାନସେଲର ଥିଲେ ସୁନକ। ବିରୋଧୀ ଲେବର ପାର୍ଟି ଏହାର ସ୍ପଷ୍ଟିକରଣ ଲୋଡ଼ିଥିଲା। ଋଷି ଓ ତାଙ୍କ ପରିବାର ନିଜ ଟିକସ ବିଲ୍‌ରୁ କେତେ ସଞ୍ଚୟ କରିଛନ୍ତି। କେତେ ଟଙ୍କାର ଟିକସ ଫାଙ୍କିଛନ୍ତି ବୋଲି ଉତ୍ତର ମାଗିଥିଲା।

ଅକ୍ସତାଙ୍କ ଉପରେ ୨୦ ମିଲିଅନ ପାଉଣ୍ଡ ଅର୍ଥାତ୍ ୧୯୭ କୋଟି ଟଙ୍କାର ଟିକସ ଚୋରୀର ଆରୋପ ଲାଗିଥିଲା।  ଯେତେବେଳେ ବ୍ରିଟେନର ଲକ୍ଷ ଲକ୍ଷ ଲୋକଙ୍କ ଉପରେ ଟିକସ ବୋଝ ରହିଛି।  ବ୍ରିଟେନରେ ରହି କେଉଁ ବାହାର ଦେଶକୁ ଅକ୍ସତା ଟିକସ ଦେଉଛନ୍ତି। ଅକ୍ସତାଙ୍କର ଇନଫୋସିସରେ ୦.୯ ପ୍ରତିଶତ ଅଂଶଧନ ରହିଛି। ଯାହାର ଆନୁମାନିକ ମୂଲ୍ୟ ଶହେ ମିଲିଅନ ପାଉଣ୍ଡରୁ ଅଧିକ। ବାର୍ଷିକ ୧୧.୬୫ କୋଟି ଟଙ୍କା ଇନଫୋସିସରୁ ଡିବିଡେଣ୍ଟ ପାଆନ୍ତି ଅକ୍ସତା।  ଅକ୍ସତାଙ୍କ ମୁଖପାତ୍ର ସ୍ପଷ୍ଟ କରିଥିଲେ କି, ଅକ୍ସତା ଓ ତାଙ୍କ ବାପା ମାଆ ଭାରତୀୟ ନାଗରିକ। ଭାରତ ନିଜର ନାଗରିକଙ୍କୁ ଏକା ସାଙ୍ଗରେ ଅନ୍ୟ ଦେଶର ନାଗରିକତା ବଜାୟ ରଖିବାକୁ ଅନୁମତି ଦିଏନା। ବ୍ରିଟିଶ୍ ଆଇନ ଅନୁସାରେ ଅକ୍ସତାଙ୍କ ଟିକସ ପୈଠକୁ ବେଆଇନ ଅଧିବାସୀ ରୂପରେ ଗଣାଯାଉଛି। ଅର୍ଥାତ୍ ବ୍ରିଟେନରେ ଅକ୍ସତାଙ୍କୁ ନନ-ଡୋମିସାଇଲ୍ ଷ୍ଟାଟସ ଦିଆଯାଇଛି। ଆଉ ଏହି ଷ୍ଟାଟସ ଲାଗି ବିବାଦୀୟ ହୋଇଥିଲେ ଅକ୍ସତା। ବ୍ରିଟେନର ରହିବି ଅକ୍ସତା ନିଜର ଭାରତୀୟ ନାଗରିକତ୍ୱକୁ ଛାଡ଼ିନାହାନ୍ତି। ସେଥିଲାଗି ବ୍ରିଟେନ ବାହାରୁ ସେ ଯାହା ବି ଆୟ କରନ୍ତି, ସେଥିଲାଗି ଟିକସ ଦେବାକୁ ପଡ଼େନି।

ତେବେ ଏହି ଆରୋପ ସେତେବେଳେ ଲାଗିଥିଲା, ଯେବେ ଅର୍ଥମନ୍ତ୍ରୀ ଭାବରେ ସୁନକ ବ୍ରିଟିଶ୍ ନାଗରିକଙ୍କ ଉପରେ ବର୍ଦ୍ଧିତ ଟିକସ ଲାଗୁ କରିଥିଲେ। ବ୍ରିଟେନର ଧନୀ ମହିଳାଙ୍କ ତାଲିକାରେ ଅକ୍ସତା ଅନ୍ୟତମ। ଇନଫୋସିସର ଅଂଶୀଦାର ଭାବେ ୧ ବିଲିଅନ ଡଲାରର ସେୟାର ହୋଲଡର ଭାବେ ଅକ୍ସତାଙ୍କ ମାଲିକାନା ରହିଛି। ଯେବେକି ବ୍ରିଟେନର ମହାରାଣୀ ଏଲିଜାବେଥ୍ ଙ୍କ ପାଖରେ ପ୍ରାୟ ୪୬୦ ମିଲିଅନ ଡଲାରର ସମ୍ପତ୍ତି ରହିଛି। କହିବାକୁ ଗଲେ ଅକ୍ସତାଙ୍କ ସମ୍ପତ୍ତି ବ୍ରିଟେନ୍ ମହାରାଣୀଙ୍କଠୁ ବି ବେଶୀ। ସାମ୍ୱାଦିକଙ୍କ ଲାଗି ଚା ଓ ବିସ୍କୁଟ ନେଇ ପରଷିଥିବାରୁ ସେତେବେଳେ ବେଶ୍ ଟ୍ରୋଲ୍ ହୋଇଥିଲେ ଅକ୍ସତା। କେବଳ ଏତିକି ନୁହେଁ, ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷ୍ ଉପରେ ବ୍ୟବସାୟିକ ପ୍ରତିବନ୍ଧକ ଲଗାଇଥିଲା ବ୍ରିଟେନ୍। ସେତେବେଳେ ଭାରତ ପକ୍ଷରୁ ଏମିତି କୌଣସି ପଦକ୍ଷେପ ନିଆଯାଇନଥିଲା। ଇନଫୋସିସ ଋଷରେ ବ୍ୟବସାୟ କରୁଛି। ଯେଉଁଥିରେ ଅକ୍ସତାଙ୍କର ସେୟାର ଅଛି। ଏହାକୁ ନେଇ ସୁନକଙ୍କ ଓ ଅକ୍ସତାଙ୍କ ବିରୁଦ୍ଧରେ ଜୋରଦାର ବିରୋଧ ହୋଇଥିଲା। ଏପରିକି ଏକ ସାକ୍ଷାତକାରରେ ସାମ୍ୱାଦିକ ସୁନକଙ୍କୁ ପଚାରିଥିଲେ କି, ଘରେ ତାଙ୍କ କଥା କେହି ଶୁଣନ୍ତିନି କି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *