ଚାକିରୀ ଛଡାଇ ନେଲେ ଅତିଥି

ବିବାହ ଥିଲା। ସେଥିଲାଗି ଦୁଇ ମାସ ଆଗରୁ ବିବାହରେ ସାମିଲ୍ ହେବାକୁ ନିମନ୍ତ୍ରଣ ପତ୍ର ଦେଇଥିଲେ କନ୍ୟା ଜଣକ। ନିଜର ସହକର୍ମୀଙ୍କୁ ସାମିଲ୍ କରି ନିଜ ବିବାହକୁ ସ୍ମରଣୀୟ କରିବାକୁ କେତେ କଅଣ ଭାବିଥିଲେ। ହେଲେ ବିବାହ ଦିନ ନିମନ୍ତ୍ରଣ ରକ୍ଷା କରି କେବଳ ଜଣେ ଆସିଲା। ଏହାକୁ ଦେଖି କନ୍ୟା ଜଣଙ୍କର ରାଗ ପଞ୍ଚମକୁ ଉଠିଯାଇଥିଲା। ଆଉ ତା ପରେ ଏମିତି ପଦକ୍ଷେପ ନେଲେ, ଯିଏ ଜାଣୁଛି ଦୁଃଖ କରିବ ନା ନିନ୍ଦା କରିବ, ଦ୍ୱନ୍ଦ୍ୱରେ ରହୁଛି।

ନିଜର ବିବାହକୁ ସ୍ମରଣୀୟ କରିବାକୁ କିଏ କେତେ ଆୟୋଜନ କରିଥାଏ। ବିଶେଷ କରି ଚାକିରୀଆ ଝିଅ ନିଜ ବିବାହ ଦିନ ଅନ୍ୟାନ୍ୟ ଅତିଥିଙ୍କ ସହ ନିଜ କର୍ମକ୍ଷେତ୍ରର ସହକର୍ମୀଙ୍କୁ ସାମିଲ୍ କରିବାକୁ ବିଶେଷ ଆଗ୍ରହ ଦେଖାଇଥାଆନ୍ତି। ଅବଶ୍ୟ ସମସ୍ତ ନିମନ୍ତ୍ରିତ ଅତିଥିଙ୍କ ଭିତରୁ ଅଳ୍ପ କିଛିକୁ ଛାଡ଼ିଦେଲେ ଅଧିକାଂଶ ବିବାହ କାମରେ ଯୋଗ ଦେବାର ନଜିର ଥାଏ। ହେଲେ ନିଜର ୭୦ ସହକର୍ମୀଙ୍କୁ ବିବାହରେ ସାମିଲ ହେବାକୁ ଡାକିଥିବା ଜଣେ କନ୍ୟା ଯେତେବେଳେ ଦେଖିଲେ କେବଳ ଜଣଙ୍କୁ ଛାଡ଼ିଦେଲେ ଆଉ କେହି ଆସିନାହାନ୍ତି। ତାଙ୍କର ରାଗ ପଞ୍ଚମକୁ ଉଠିଯାଇଥିଲା। କାରଣ ବିବାହରେ ଯେଉଁ ସହକର୍ମୀ ଜଣକ ଆସିଥିଲେ ସେ ପୁଣି ଥିଲେ ତାଙ୍କର କର୍ମକ୍ଷେତ୍ରର ଉପଦେଷ୍ଟା। ଆଉ କର୍ମକ୍ଷେତ୍ରର କୌଣସି ଅଧିକାରୀ କି କର୍ମଚାରୀ ଆସିନଥିଲେ। କାରଣ ଅତିଥି ତାଲିକା ଅନୁସାରେ ଭୋଜିଭାତର ଆୟୋଜନ ହୋଇଥିଲା। ଅତିଥିଙ୍କୁ ଆପ୍ୟାୟିତ କରିବେ କଅଣ, ପାଲଟା ଅତିଥିଙ୍କ ଦେଖା ମିଳିଲାନି। ଆଉ ପ୍ରାୟ ୬୯ ଜଣ ଆସିଲେନି ବୋଲି ସେମାନଙ୍କ ଉଦେଶ୍ୟରେ ଉଦ୍ଦିଷ୍ଟ ଖାଦ୍ୟ କାହାକୁ ପରସା ହୋଇପାରିନଥିଲା। ବାଧ୍ୟ ହୋଇ ପିଙ୍ଗିବାକୁ ପଡ଼ିଥିଲା। ଏ ସବୁ ଦେଖି କନ୍ୟାକୁ ତାଙ୍କ ପରିବାର ଲୋକେ ପାଟି କରିଥିଲେ। ଯଦି ଏତେ ଅତିଥି ଆସିବାର ନାହିଁ, ତେବେ କାହିଁକି ତାଙ୍କ ପାଇଁ ପ୍ଲେଟ୍ ବରାଦ କରିଥିଲୁ କହି ଭର୍ତ୍ସନା କରିଥିଲେ କନ୍ୟାକୁ। ଏଥିରେ ଲଜ୍ଜିତ ଓ ଅପମାନିତବୋଧ ଅନୁଭବ କରିଥିଲେ କନ୍ୟା ଜଣକ। ଆଉ ବିବାହ ପର ଦିନ ହିଁ କନ୍ୟା ଜଣକ ସେ ଚାକିରୀ ଛାଡିଦେଇଛନ୍ତି। ଏ ଘଟଣାଟି ଆସିଛି ଚୀନରୁ। କାରଣ ଅଫିସ୍‌ର କିଛି ଲୋକଙ୍କୁ ନିମନ୍ତ୍ରଣ କଲେ ଅନ୍ୟମାନେ ଖରାପ ଭାବିପାରନ୍ତି। ସେଥିଲାଗି ସେ ଅଫିସ୍‌ର ସମସ୍ତଙ୍କୁ ନିଜ ବିବାହ ଉତ୍ସବରେ ସାମିଲ ପାଇଁ ନିମନ୍ତ୍ରଣ କରିଥିଲେ। ତା ପୁଣି ଦୁଇମାସ ଆଗରୁ। ଅନେକ ଥର ଆସିବାକୁ ଫୋନ କରି ମନେ ବି ପକାଉଥିଲେ। ହେଲେ ଅତିଥି ତ ଆସିଲେନି। ବରଂ ଏହି ନିମନ୍ତ୍ରଣରୁ ନିଜେ ଲଜ୍ଜିତ ହେଲେ ଓ ଚାକିରୀ ଛାଡିଦେଲେ କନ୍ୟା ଜଣକ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *