ଅର୍ଥାଭାବ ମଧ୍ୟରେ ଇସ୍ତଫା ଦେଲେ ଟ୍ରସ୍

Spread the love

ଲଣ୍ଡନ:  ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ ଗୁରୁବାର ଇସ୍ତଫା ଦେଲେ ଲିଜ ଟ୍ରସ। ୬ ସପ୍ତାହର ପ୍ରଧାନମନ୍ତ୍ରୀତ୍ବ କାଳରେ ଦେଶକୁ  ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ପକାଇ ଟ୍ରସ କଞ୍ଜରଭେଟିବ ପାର୍ଟି ନେତୃତ୍ବ ପଦରୁ ଇସ୍ତାଫା ଦେଇଛନ୍ତି। ଏହା ପରେ ସେ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ସ୍ବଳ୍ପକାଳୀନ କାର୍ଯ୍ୟ କରିବାର ଇତିହାସ ରଚିଛନ୍ତି। ତେବେ ତାଙ୍କ ଦ୍ବାରା ଗୃହୀତ ମିନି ବଜେଟ ଦେଶକୁ ୪୦ ବର୍ଷ ପଛକୁ ଠେଲି ଦେଇଛି।

 ଏଥିସହ ତାଙ୍କ ଅର୍ଥନୀତି ପାଇଁ ତାଙ୍କ ପାର୍ଟି ଦୁଇ ଭାଗରେ ବିଭାଜିତ ହୋଇ ଯାଇଛି। ଆସନ୍ତା ସପ୍ତାହ ମଧ୍ୟରେ ଦଳର ନେତୃତ୍ବ ଚୟନ କାର୍ଯ୍ୟ ଶେଷ ହେବ ବୋଲି କୁହାଯାଉଛି। ଇସ୍ତଫାକୁ ନେଇ ଟ୍ରସ୍‌ କହିଛନ୍ତି, ନିର୍ବାଚନ କାଳରେ ସେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଛନ୍ତି। ତେଣୁ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଥିବା ତାଙ୍କ ରାଜାଙ୍କୁ କଞ୍ଜରଭେଟିବ ପାର୍ଟିର ନେତୃତ୍ବ ପଦରୁ ଇସ୍ତଫା ଦେଉଥିବା ଜଣାଇଛନ୍ତି।

ନିର୍ବାଚନ କାଳରେ ସେ ବଡ ବ୍ୟବସାୟିକ ସଂସ୍ଥା ଉପରୁ ଟିକସ ଛାଡ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଯାହା ଦେଶର ଅର୍ଥ ବ୍ୟବସ୍ଥା ଉପରେ ସାଙ୍ଘାତିକ ନକାରାତ୍ମକ ପ୍ରଭାବ ପକାଇଥିଲା।  ସେପଟେ ଟ୍ରସ୍‌ଙ୍କ ପରେ କଞ୍ଜରଭେଟିବର ଟୋରୀ ମେମ୍ବରଙ୍କ ମଧ୍ୟରୁ ୬୩ ପ୍ରତିଶତ ପୁନଃ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇବାକୁ ଦାବି କରିଥିବା ବେଳେ ୩୨ ପ୍ରତିଶତ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ହାତରେ ନେତୃତ୍ବ ଦେବାକୁ ଦାବି କରିଛନ୍ତି। ଗତ ନେତୃତ୍ବ ନିର୍ବାଚନରେ ଟ୍ରସ ସର୍ବାଧିକ ଭୋଟ ପାଇଥିବା ବେଳେ ସୁନକ ଦ୍ବିତୀୟ ସ୍ଥାନରେ ରହିଥିଲେ। ତେବେ ବୋରିସଙ୍କ ପ୍ରତି ଦଳର ପୁନର୍ବାର ଆସ୍ଥା ସୁନକଙ୍କ ପଦରେ କଣ୍ଟା ସାଜିବା ପରି ମନେ ହେଉଛି।

କରୋନ କାଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଜନ୍ମଦିନ ପାଳନକୁ ନେଇ ପ୍ରୋଟୋକଲ ଭଙ୍ଗ ହୋଇଥିବା କଞ୍ଜରଭେଟିବ ପାର୍ଟି ଅଭିଯୋଗ କରିଥିଲା। ଏଥିସହ ବିବାଦୀୟ ସଦସ୍ୟଙ୍କୁ ମନ୍ତ୍ରୀପଦ ଦେବାକୁ ନେଇ ପାର୍ଟି ଭିତରେ ବୋରିସଙ୍କ ନେତୃତ୍ବଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେଣୁ ବୋରିସ ଚଳିତ ବର୍ଷ ଜୁଲାଇରେ  ନିଜ ପଦରୁ ଇସ୍ତଫା ଦେଇଥିଲେ। ଯାହା ଦେଶରେ କଞ୍ଜରଭେଟିବ ପାର୍ଟିର ନେତୃତ୍ବ ଚୟନ ପାଇଁ ବାଟ ଫିଟାଇ ଦେଇଥିଲା।

Leave a Reply

Your email address will not be published. Required fields are marked *