କ’ଣ ଆଇଏନଏସ ବିକ୍ରାନ୍ତର ସ୍ୱତନ୍ତ୍ରତା?

Spread the love

କୋଚି: ଆଇଏନଏସ ବିକ୍ରାନ୍ତ। ଆତ୍ମନିର୍ଭର ଭାରତର ବଡ଼ ଉଦାହରଣ। ପ୍ରଥମ ସ୍ୱଦେଶୀ ନିର୍ମିତ ବିମାନ ବାହକ ଜାହଜ ବିକ୍ରାନ୍ତ। ନୌସେନାରେ ସାମିଲ ପରେ ଅନେକ ଦିଗକୁ ନେଇ ଚର୍ଚ୍ଚାରେ ଏହି ବିକ୍ରାନ୍ତ। ତେବେ ୨୦ହଜାର କୋଟି  ଟଙ୍କାରେ ନିର୍ମିତ ଆଇଏନଏସ ବିକ୍ରାନ୍ତର ସ୍ୱତନ୍ତ୍ରତା କଅଣ ରହିଛି, ଦେଖିବା ଏହି ରିପୋର୍ଟରେ।

ଭାରତରେ ପ୍ରଥମ ସ୍ୱଦେଶୀ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତ। ଭାରତର ସବୁଠୁ ବଡ଼ ଯୁଦ୍ଧ ଜାହାଜ ବିକ୍ରାନ୍ତର କ୍ଷମତା ଜାଣିଲେ ଶତୃ ପକ୍ଷର ନିଦ ହଜିଯିବ। ଭାରତରେ ନିର୍ମିତ ଏହି ଆଇଏନଏସ ବିକ୍ରାନ୍ତରେ ବ୍ୟବହାର ହୋଇଥିବା ସମସ୍ତ ସାମଗ୍ରୀ ସ୍ୱଦେଶୀ ନୁହେଁ। କିଛି ଉପକରଣ ବିଦେଶରୁ ବି ଆମଦାନୀ ହୋଇଛି। ନୌସେନାର କହିବା ମୁତାବକ ପୁରା ପ୍ରକଳ୍ପର ୭୬ ପ୍ରତିଶତ ଦେଶରେ ମହଜୁଦ ସଂଶାଧନରୁ ହିଁ ପ୍ରସ୍ତୁତ। ବିକ୍ରାନ୍ତ ନିର୍ମାଣରେ ଶହେ ଏମଏସଏମଇ ସହ ୫୫୦ ଭାରତୀୟ କମ୍ପାନୀର ୭୬ ପ୍ରତିଶତ ସ୍ୱଦେଶୀ ସାମଗ୍ରୀକୁ ସାମିଲ୍ କରାଯାଇଛି। ବିକ୍ରାନ୍ତ ନିର୍ମାଣରେ ବ୍ୟବହୃତ ଷ୍ଟିଲ୍ ସେଲ୍ ରୁ ଆସିଛି। ଷ୍ଟିଲ୍ ଅଥୋରିଟି ଅଫ ଇଣ୍ଡିଆରେ ତିଆରି ଷ୍ଟିଲ୍ ଲାଗିଛି ବିକ୍ରାନ୍ତରେ। ଏହି ଷ୍ଟିଲ୍ ନିର୍ମାଣରେ ଭାରତୀୟ ନୌସେନା ଓ ରକ୍ଷା ଅନୁସନ୍ଧାନ ଓ ବିକାଶ ପ୍ରୟୋଗଶାଳାର ବି ସହଯୋଗ ନିଆଯାଇଛି।

ଏହି ଯୁଦ୍ଧ ଜାହାଜରେ ୨୩ ହଜାର ଟନ୍ ଷ୍ଟିଲ୍, ୨୫ଶହ କିଲୋମିଟର ବିଦ୍ୟୁତ୍ ତାର, ୧୫୦ କିଲୋମିଟର ପାଇପ୍ ଓ ୨ହଜାର ବଲ୍‌ ସାମିଲ ଅଛି। ଏହା ବ୍ୟତୀତ ଏୟାରକ୍ରାଫ୍ଟ କ୍ୟାରିଅଲରେ ସାମିଲ ହଲ ବୋଟସ, ଏୟାର କଣ୍ଡିସନରରୁ ନେଇ ରେଫ୍ରିଜେରେସନ ପ୍ଲାଣ୍ଟ ଓ ଷ୍ଟିଅରିଂ ସହ ଜଡ଼ିତ ସାମଗ୍ରୀ ବି ଦେଶରେ ପ୍ରସ୍ତୁତ ହୋଇଛି। ଏହି ଯୁଦ୍ଧ ଜାହାଜ ନିର୍ମାଣରେ ୫୦ ଭାରତୀୟ ଉତ୍ପାଦକ ସାମିଲ ଥିଲେ। ନିର୍ମାଣ ଅବସରରେ ୨ ହଜାର ଭାରତୀୟଙ୍କୁ ପ୍ରତ୍ୟକ୍ଷ ଓ ୪୦ ହଜାରଙ୍କୁ ପରୋକ୍ଷ ନିଯୁକ୍ତି ମିଳିଥିଲା।

ଏହାକୁ ନିର୍ମାଣରେ ମୋଟ୍ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଯୁଦ୍ଧପୋତର ଲମ୍ୱ ହେଉଛି ୨୬୨ ମିଟର।  ଚଉଡ଼ା ୬୨ ମିଟର ଓ ଉଚ୍ଚତା ୫୯ ମିଟର। ଯୁଦ୍ଧପୋତରେ ୧୪ଟି ଡେକ୍ ଓ ୧୭ଶହରୁ ବେଶୀ କ୍ରୁ ରଖିବାକୁ ୨୩ଶହ କମ୍ପାର୍ଟମେଣ୍ଟ ରହିଛି। ମହିଳା ଅଧିକାରୀଙ୍କ ଲାଗି ଅଲଗା କେବିନ୍ ତିଆରି ହୋଇଛି। ଏଥିରେ ଆଇସିୟୁରୁ ନେଇ ଚିକିତ୍ସା ସହ ସଂପୃକ୍ତ ସବୁ ସେବା ଓ ବୈଜ୍ଞାନିକ ପ୍ରୟୋଗଶାଳା ବି ଅଛି। ଆଇଏନଏସ ବିକ୍ରାନ୍ତର ଓଜନ ପ୍ରାୟ ୪୦ ହଜାର ଟନ୍।

ବିକ୍ରାନ୍ତର କ୍ଷମତା ବି ବେଶ୍ ଅଧିକ। ଏହାର ବେଗ ସମୁଦ୍ର ଭିତରେ ଘଣ୍ଟା ପ୍ରତି ୫୨ କିଲୋମିଟର ସହ ସମାନ। ଅର୍ଥାତ୍ ଜାହାଜର ଅଧିକତମ ଗତି ୨୮ ସାମୁଦ୍ରିକ ମାଇଲ୍ ଅଟେ। ଏହାର ସାମାନ୍ୟ ଗତି ୩୩ କିଲୋମିଟର ପ୍ରତି ଘଣ୍ଟା। ଏହି ଏୟାରକ୍ରାଫ୍ଟ ଥରକେ ୧୩ହଜାର କିଲୋମିଟର ଅତିକ୍ରମ କରିବାର ସାମର୍ଥ୍ୟ ରଖିଛି। ଏକାଥରକେ ଏହି ଯୁଦ୍ଧପୋତ ୩୦ ଏୟାରକ୍ରାଫ୍ଟକୁ ବହନ କରିପାରିବ। ଏଥିରେ ମିଗ୍-୨୯ର ଫାଇଟର ଜେଟ୍ସ ସହିତ କାମୋବ-୩୧ ଭଳି ଆଗୁଆ ୱାର୍ଣ୍ଣିଂ ହେଲିକେପ୍ଟର, ଏମଏଚ-୬୦ ଆର୍ ସି-ହକ୍ ମଲ୍ଟିରୋଲ ହେଲିକେପ୍ଟର ବି ରହିପାରିବ। ନୌସେନା ପାଇଁ ଭାରତରେ ନିର୍ମିତ ଲାଇଟ୍ କମ୍ୱାଟ୍ ଏୟାରକ୍ରାଫ୍ଟ, ଏଲସିଏ ତେଜସ ଭଳି ଯୁଦ୍ଧ ଜାହାଜ ବି ଆରାମରେ ଏଠାରୁ ଉଡ଼ାଣ ଭରିପାରିବ।

ମହାସାଗରରେ ମହାବଳୀ ଭାବେ ଉଭା ହେବ ଆଇଏନଏସ ବିକ୍ରାନ୍ତ। କୌଣସି ବିପଦକୁ ସମ୍ମୁଖୀନ କରିବାକୁ ଏହାର ଶକ୍ତି ଓ ସାମର୍ଥ୍ୟକୁ ନେଇ ଏବେ ପ୍ରତିଟି ଭାରତୀୟ ଗର୍ବିତ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *