ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି

Spread the love

ଭୁବନେଶ୍ୱର – ବିଜେପି ବିଧାୟିକା କୁସୁମ ଟେଟେ, ଝାରସୁଗୁଡା ଉପନିର୍ବାଚନ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ  ରାଜ୍ୟ  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି ପ୍ରତିନିଧି ଦଳ । ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରଚାର ବେଳେ ବିଜେପି ନେତା ଗୁଣ୍ଡାଗର୍ଦ୍ଦି କରୁଥିବା ନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି ଟିମ୍ ।

ବିଜେଡି ଅଭିଯୋଗ କରିଛି ଯେ ଗତକାଲି ଝାରସୁଗୁଡାର ଲଇକେରା ବ୍ଲକ୍ ନିକ୍ତିମାଲ ଅଂଚଳରେ ପ୍ରଚାର ବେଳେ ବିଧାୟିକା କୁସୁମ ଟେଟେ ଓ ଟଙ୍କଧରଙ୍କ ସମର୍ଥକମାନେ ବିଜେଡି କର୍ମୀଙ୍କୁ ଗୋଡେଇ ଗୋଡେଇ ପିଟିଥିବା ଅଭିଯୋଗ ହୋଇଛି । ବିଜେଡି ପ୍ରାର୍ଥୀଙ୍କୁ ଜାତିଆଣ ଆକ୍ଷେପ କରଯାଇଛି । ତେଣୁ ଉଭୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେଡି ।

ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଲେ ଯେ ଗତକାଲି ସନ୍ଧ୍ୟାରେ ବିଜେଡି କର୍ମୀମାନେ ଘରକୁ ଘର ବୁଲି ପ୍ରଚାର କରୁଥିବାବେଳେ ବିଜେପିର ଏହି ନେତା ଓ ତାଙ୍କ ସମର୍ଥକମାନେ ସେଠାରେ ପହଂଚି ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ । ଏପରିକି ଟଙ୍କଧର ତ୍ରିପାଠୀ ଓ କୁସୁମ ଟେଟେ ଦିଲ୍ଲୀପ ପ୍ରଧାନ ନାମକ ଜଣେ ବିଜେଡି କର୍ମୀଙ୍କୁ ଜାତିଆଣ ଆକ୍ଷେପ କରି ଧମକ ଦେବା ସହ ତାଙ୍କ ଗୋଡ଼ରେ ଗାଡ଼ି ଚଢ଼ାଇ ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ବିଜେପି ନେତା ଓ କର୍ମୀଙ୍କ ଏପରି ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରି ଗାଁ ଲୋକମାନେ ଏକଜୁଟ ହେବାରୁ ସେମାନେ ସେଠାରୁ ପଳାଇ ଆସିଥିଲେ । ମାତ୍ର ସେମାନଙ୍କ ଇସାରାରେ ଏହାର କିଛି ସମୟ ପରେ ପୁନର୍ବାର ୪୦/୫୦ ଜଣ ବିଜେପି କର୍ମୀମାନେ ଗାଁରେ ପହଂଚି ବିଜେଡି ସମର୍ଥକମାନଙ୍କୁ ଧମକଚମକ ଦେବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ ଏବଂ ଟେକା ପଥର ଫିଙ୍ଗିଥିଲେ । ବିଜେପି କର୍ମୀମାନେ ବିଜେଡିର ପତାକା ଓ ପୋଷ୍ଟର ଆଦି ଚିରି ପକାଇଥିଲେ ।

ତେଣୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଏଭଳି ଗୁଣ୍ଡାଗର୍ଦ୍ଦି କରୁଥିବା ବିଜେପି ବିଧାୟିକା କୁସୁମ ଟେଟେ, ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ ଅନ୍ୟ ବିଜେପି ନେତାମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଝାରସୁଗୁଡ଼ାରେ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା ଲାଗି ବିଜେଡି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛୁ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ । ବିଜୁ ଜନତା ଦଳର ଏହି ପ୍ରତିନିଧି ଦଳରେ ଡ. ଲେନିନ ମହାନ୍ତି, ତୁମ୍ବନାଥ ପଣ୍ଡା, ଡ. ପ୍ରିୟବ୍ରତ ମାଝୀ, ଅମିତ ମଲ୍ଲିକ, ସ୍ୱୟଂପ୍ରକାଶ ମହାପାତ୍ର, ମିହିର ରାୟ, ଇପସିତା ସାହୁ, ଲୋରା ମହାପାତ୍ର, ମଧୁସ୍ମିତା ନାୟକ ଓ ଅପୂର୍ବା ଅପରୂପା ପ୍ରମୁଖ ସାମିଲ ଥିଲେ ।

………….

Leave a Reply

Your email address will not be published. Required fields are marked *