ସଂକ୍ଷେପରେ CJI ଗଭାଇ..

ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସିଜେଆଇ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅବସର ପରେ ଏ ପଦ ସମ୍ଭାଳିଛନ୍ତି ଜଷ୍ଟିସ ଗଭାଇ। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ସମାରୋହରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି, ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପୂର୍ବତନ ସିଜେଆଇ ସଞ୍ଜୀବ ଖାନାଙ୍କ ପରିବାର ସଦସ୍ୟ ବି ସାମିଲ୍ ହୋଇଥିଲେ ଶପଥ ସମାରୋହରେ। ଜଷ୍ଟିସ ଗଭାଇଙ୍କ କାର୍ଯ୍ୟକାଳ ନଭେମ୍ୱର ୨୩, ୨୦୨୫ ଯାଏ ରହିବ। ଅର୍ଥାତ୍ ମାତ୍ର ୬ ମାସରୁ ଅଧିକ। ଶପଥ ନେବା ପରେ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ ଜଷ୍ଟିସ ଗଭାଇ। ଶପଥ ନେବା ପୂର୍ବରୁ ମା କମଲତାଇ ଗଭାଇଙ୍କ ଆଶୀର୍ବାଦ ନେଇଥିଲେ ସିଜେଆଇ। କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପରୁ ଆଜି ପୁଅ ଏତେ ବାଟ ଆସିପାରିଲା ବୋଲି କହିଛନ୍ତି ଗଭାଇଙ୍କ ମାଆ। ଗରିବଙ୍କ ସେବା କରିବାରେ ପୁଅ ନିଜ ଜୀବନ ସମର୍ପିତ କରିଛି ବୋଲି କହିଛନ୍ତି ମାଆ କମଲତାଇ। ଶପଥ ନେବାର ଦିନକ ଆଗରୁ ଗଭାଇ କହିଥିଲେ, ସେ ସର୍ବଦା ସାମାଜିକ ଓ ଆର୍ଥିକ ନ୍ୟାୟର ସମର୍ଥକ ରହିଆସିଛନ୍ତି। ନ୍ୟାୟପାଳିକାରେ ଲମ୍ୱିତ ମାମଲାର ସଂଖ୍ୟାକୁ ହ୍ରାସ କରିବା ଓ ତଳକୋର୍ଟର ଭିତ୍ତିଭୂମିକୁ ସୁଦୃଢ଼ କରିବା ତାଙ୍କର ପ୍ରାଥମିକତା ସାଜିବ। ଯେହେତୁ କାର୍ଯ୍ୟକାଳ ମାତ୍ର ୬ ମାସ। ସେଥିଲାଗି ସେ କୌଣସି ପ୍ରତିଶୃତି ଦେବେନି। କିନ୍ତୁ ଯାହା ବି କରିବେ, ତାହାର ବ୍ୟବହାରିକ ଦୃଷ୍ଟିରୁ ଯଥାର୍ଥ ହେବା ଜରୁରୀ। ଶପଥ ନେବା ପୂର୍ବରୁ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ସିଜେଆଇ। ଆଉ ଶପଥ ନେବା ପରେ ସୁପ୍ରିମକୋର୍ଟ ପରିସରରେ ଥିବା ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆଶୀର୍ବାଦ ନେଇଥିଲେ। ସେ ବୌଦ୍ଧ ଧର୍ମରେ ବିଶ୍ୱାସ କରନ୍ତି। ଆଉ ଦଳିତ ପରିବାରର। ଦେଶର ପ୍ରଥମ ବୌଦ୍ଧ ଧର୍ମାବଲମ୍ୱୀ ସହ ଦଳିତ ସମାଜର ଦ୍ୱିତୀୟ ସିଜେଆଇ ଅଟନ୍ତି ଜଷ୍ଟିସ ଗଭାଇ। ନଭେମ୍ୱର ୨୪, ୧୯୬୦ରେ ମହାରାଷ୍ଟ୍ରର ଅମରାବତୀରେ ଜନ୍ମଗ୍ରହଣ କରିଥିଲେ। ମାର୍ଚ୍ଚ ୧୬, ୧୯୮୫ରେ ଓକିଲାତି ଆରମ୍ଭ କରିଥିଲେ। ନାଗପୁର ନଗର ନିଗମ, ଅମରାବତୀ ନଗରନିଗମ ଓ ଅମରାବତୀ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ଓକିଲ ଭାବେ କାମ କରିଥିଲେ। ଅଗଷ୍ଟ ୧୯୯୨ରୁ ଜୁଲାଇ ୧୯୯୩ ଯାଏ ବମ୍ୱେ ହାଇକୋର୍ଟର ନାଗପୁର ବେଞ୍ଚରେ ସହକାରୀ ସରକାରୀ ଓକିଲ ଓ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଥିଲେ। ଜାନୁଆରୀ ୧୭, ୨୦୦୦ରେ ନାଗପୁର ବେଞ୍ଚ ପାଇଁ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଥିଲେ। ୨୦୦୩ରେ ଅତିରିକ୍ତ ଜଜ୍ ଓ ୨୦୦୫ରେ ବମ୍ୱେ ହାଇକୋର୍ଟର ସ୍ଥାୟ ବିଚାରପତି ହୋଇଥିଲେ। ମେ ୨୪, ୨୦୧୯ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ସୁପ୍ରିମକୋର୍ଟର ଅନେକ ସାମ୍ୱିଧାନିକ ପୀଠରେ ରହି ଐତିହାସିକ ରାୟ ଦେଇଛନ୍ତି। ଡିସେମ୍ୱର ୨୦୨୩ରେ ଧାରା ୩୭୦ ଉଛେଦ ନେଇ କେନ୍ଦ୍ରର ନିଷ୍ପତ୍ତିକୁ ସର୍ବସମ୍ମତି ବୈଧ କହିଥିବା ୫ଜଣିଆ ଖଣ୍ଡପୀଠରେ ଥିଲେ ଜଷ୍ଟିସ ଗଭାଇ। ଇଲେକ୍ଟୋରାଲ ବଣ୍ଡ୍ ମାମଲାର ଶୁଣାଣୀ କରୁଥିବା ଖଣ୍ଡପୀଠରେ ବି ଥିଲେ। ଏହାକୁ ଅସାମ୍ୱିଧାନିକ ବୋଲି କହିଥିଲେ ସେ। ଏହା ସହ ଅନୁସୂଚିତ ଜାତିଙ୍କ ଭିତରେ ଉପଜାତି ସଂରକ୍ଷଣ ସାମ୍ୱିଧାନିକ ବୈଧତା ନିର୍ଣ୍ଣୟ ନେଇଥିବା ୭ଜଣିଆ ଖଣ୍ଡପୀଠରେ ବି ଥିଲେ ଗଭାଇ। ରାମମନ୍ଦିର-ବାବ୍ରି ମସଜିଦ୍ ବିବାଦ ଓ ୨୦୧୯ର ରାଫେଲ ଡିଲ୍ ନେଇ ଅନେକ ମହତ୍ତ୍ୱପୂର୍ଣ୍ଣ ମାମଲାରେ ରାୟ ଦେଇଛନ୍ତି ଜଷ୍ଟିସ ଗଭାଇ। ୨୦୧୬ରେ ମୋଦି ସରକାରଙ୍କ ବିମୁଦ୍ରିକରଣ ନିଷ୍ପତ୍ତିକୁ ଠିକ୍ ବୋଲି କହିଥିଲେ ଜଷ୍ଟିସ ଗଭାଇ। ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତି, ତିସ୍ତା ଶୀତଲଓ୍ୱାଡଙ୍କୁ ଜାମିନ୍, ବୁଲଡୋଜର ଆକ୍ସନ ଉପରେ ରୋକ୍ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ। ଜଷ୍ଟିସ ଗଭାଇଙ୍କ ଅବସର ପରେ ବରିଷ୍ଠତାକୁ ଦେଖିଲେ ପରବର୍ତ୍ତୀ ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ ହୋଇପାରନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *