ପୁଣି ବିବାଦରେ ଜଷ୍ଟିସ ମାର୍କଣ୍ଡେୟ କାଟଜୁ। ସୁପ୍ରିମକୋର୍ଟ ମହିଳା ଓକିଲ ସଂଘ କାଟଜୁଙ୍କ ବୟାନକୁ ଘୋର ନିନ୍ଦା କରିଛି। ନିକଟରେ ଜଷ୍ଟିସ କାଟଜୁ ଏକ୍ସ-ରେ ପୋଷ୍ଟ କରି କହିଥିଲେ, ମହିଳା ଓକିଲମାନେ ତାଙ୍କ ସପକ୍ଷରେ ରାୟ ପାଇବାକୁ ତାଙ୍କୁ ଆଖି ମାରୁଥିଲେ। ଯେଉଁ ମହିଳା ଓକିଲ ତାଙ୍କୁ ଆଖି ମାରୁଥିଲେ, ସେ ତାଙ୍କ ସପକ୍ଷରେ ଅନୁକୂଳ ରାୟ ଦେଉଥିଲେ। ଏହି ପୋଷ୍ଟକୁ ନେଇ ବିବାଦ ଘନୀଭୂତ ହୋଇଛି। ଜଣେ ମହିଳା ଓକିଲ ଏକ୍ସ-ରେ ଜଷ୍ଟିସ କାଟଜୁଙ୍କୁ ପ୍ରଶ୍ନ କରିଥିଲେ ଯେ, କୋର୍ଟରେ ପ୍ରଭାବୀ ଢଙ୍ଗରେ କେମିତି କେସ୍ ଲଢ଼ାଯାଏ। ଏହାର ଉତ୍ତରରେ କାଟଜୁ ଏଭଳି ଉତ୍ତର ରଖିଥିଲେ।ସୁପ୍ରିମକୋର୍ଟରେ ପୂର୍ବତନ ବିଚାରପତି କାଟଜୁଙ୍କ ଏଭଳି ମନ୍ତବ୍ୟ ଆଇନ ପେଶାରେ ଥିବା ପ୍ରତିଟି ମହିଳାଙ୍କ ମର୍ଯାଦା, ଗାରିମା, ଦକ୍ଷତା ଓ ଜୀବିକାଗତ ଢାଞ୍ଚାକୁ କୁଠାରଘାତ କରିଛି। ଏଭଳି ହୀନ ମନ୍ତବ୍ୟ ସେମାନଙ୍କ ବର୍ଷ ବର୍ଷର କଠିନ ପରିଶ୍ରମ ଓ ସମର୍ପଣକୁ ଛୋଟ କରିଦେଲା। ସେମାନେ ଆଇନ ପେଶାରେ ନିଜର କ୍ୟାରିଅର କରିବାକୁ ଆଗଭର ହେଉଥିଲା ବେଳେ ଏହା ସେମାନଙ୍କ ମର୍ଯାଦା ହାନୀ କରିବା ସହ ନ୍ୟାୟାଳୟର ଭାବମୂର୍ତ୍ତିକୁ ସର୍ବସାଧାରଣରେ କ୍ଷୁର୍ଣ୍ଣ କରିବାକୁ ପ୍ରୟାସ ହୋଇଛି। ଜଷ୍ଟିସ କାଟଜୁ, ଯିଏ ଦିନେ ସମ୍ୱିଧାନର ଶପଥ ନେଇ ଏଭଳି ପଦରେ ବସିଥିଲେ। ସେ ମହିଳାଙ୍କ ପରିଶ୍ରମ, ମେଧା ଓ ସମର୍ପଣକୁ ଯୌନ ଦୃଷ୍ଟିଭଙ୍ଗୀରେ ଦେଖିବା କେତେଦୂର ଯୁକ୍ତିଯୁକ୍ତ। ସେଥିଲାଗି କାଟଜୁଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା ଦାବି କରିଛି ସଂଘ। ଏହା ସହ ମହିଳା ଓକିଲଙ୍କ ପ୍ରତି ଏଭଳି ନକରାତ୍ନକ ଟିପ୍ପଣୀ ବିରୁଦ୍ଧରେ ସମସ୍ତେ ଆଗେଇଆସିବା ଜରୁରୀ ବୋଲି ମତ ପ୍ରକାଶ କରିଛି। ସମାନତା, ସମ୍ମାନ ଓ ନ୍ୟାୟ ଲାଗି ମହିଳା ଓକିଲ ସବୁବେଳେ ଲଢ଼ିବେ। ଆଇନ ପେଶା ଓ ସମାଜର ବୃହତ୍ତର ଦୃଷ୍ଟିରୁ ଏଭଳି ଯୌନ ଉଦ୍ଦୀପକ ଆଳରେ ସ୍ୱାର୍ଥସିଦ୍ଧିକୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଛି ସଂଘ।

Naxatra News is now on Whatsapp
Join and get latest news update delivered to you via whatsapp
Join Now