ସମ୍ଭଲର ସାହି ଜାମା ମସଜିଦ ସର୍ଭେ ନେଇ ମୁସଲିମ ପକ୍ଷକୁ ଲାଗିଛି ଝଟକା। ପୁନର୍ବିଚାର ଆବେଦନକୁ ଖାରଜ କରିଦେଲେ ଆହ୍ଲାବାଦ ହାଇକୋର୍ଟ। ସମ୍ଭଲରେ ଥିବା ଜାମା ମସଜିଦ୍ ଓ ହରିହର ମନ୍ଦିର ବିବାଦରେ ଆହ୍ଲାବାଦ ହାଇକୋର୍ଟ ଆଜି ମହତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ ମୁସଲିମ ପକ୍ଷକୁ ଖାରଜ କରିବା ସହ ସ୍ପଷ୍ଟ କରିଛନ୍ତି ଯେ, ମସଜିଦ୍ ସର୍ଭେ ଉପରେ ରୋକ୍ ଲାଗିପାରିବନି। ମସଜିଦ୍ କମିଟି ସର୍ଭେ ଆଦେଶକୁ ଚ୍ୟାଲେଞ୍ଜ୍ କରିଥିଲେ। ଯାହାକୁ ନେଇ ଗଲା ୧୩ ତାରିଖରେ ରାୟ ସଂରକ୍ଷିତ ରଖାଯାଇଥିଲା। ଏହା ପୂର୍ବରୁ ମେ ୫ରେ ଏଏସଆଇ ଓକିଲ ନିଜର ଜବାବ କୋର୍ଟରେ ଦାଖଲ କରିଥିଲେ। ଆଉ ଏହା ଉପରେ ମସଜିଦ୍ କମିଟିର ଜବାବ ଆସିବା ପରେ ମେ ୧୩ରେ ରାୟକୁ ସଂରକ୍ଷିତ ରଖିଥିଲେ ଅଦାଲତ। ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରଓ୍ୱାଲ ମସଜିଦ କମିଟି, ମନ୍ଦିର ଓ ଏଏସଆଇର ଯୁକ୍ତି ଶୁଣିବା ପରେ ଏଭଳି ରାୟ ଦେଇଛନ୍ତି। ସମ୍ଭଲ କୋର୍ଟ ମସଜିଦର ଏଏସଆଇ ସର୍ଭେ ଲାଗି ଆଦେଶ ଦେଇଥିଲେ। ଯାହାକୁ ମସଜିଦ କମିଟି ହାଇକୋର୍ଟରେ ଚ୍ଯାଲେଞ୍ଜ କରିଥିଲା। ହିନ୍ଦୁ ପକ୍ଷର ଯୁକ୍ତି ଥିଲା କି, ମନ୍ଦିରକୁ ଭାଙ୍ଗି ଏହି ମସଜିଦ୍ ତିଆରି ହୋଇଛି। ୧୫୨୬ରେ ମୋଗଲ ସମ୍ରାଟ୍ ବାବର ସମ୍ଭଲରେ ଥିବା ହରିହର ମନ୍ଦିରକୁ ଧ୍ୱସ୍ତ କରି ଏହି ମସଜିଦ୍ ନିର୍ମାଣ କରିଥିଲେ। ସେଥିଲାଗି ସେମାନେ ମନ୍ଦିରରେ ପ୍ରବେଶ କରିବାକୁ ଚାହୁଁଛନ୍ତି। ତେବେ ଏ ଦଲିଲ ନଭେମ୍ୱର ୧୯, ୨୦୨୪ ଦ୍ୱିପ୍ରହରରେ ଦାଏର କରାଯାଇଥିଲା। ଆଉ ଏହାର ମାତ୍ର କେଇ ଘଣ୍ଟା ଭିତରେ ନ୍ୟାୟାଳୟ ଜଣେ ଅଧିବକ୍ତା ଆୟୋଗ ନିଯୁକ୍ତ କରି ମସଜିଦର ପ୍ରାରମ୍ଭିକ ସର୍ଭେକ୍ଷଣ ଲାଗି ନିର୍ଦେଶ ଦେଇଥିଲେ। ସେହି ଦିନ ହିଁ ସର୍ଭେ ଆରମ୍ଭ ହୋଇଯାଇଥିଲା। ନଭେମ୍ୱର ୨୯ ସୁଦ୍ଧା ସର୍ଭେକ୍ଷଣ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ଅଦାଲତ ନିର୍ଦେଶ ଦେଇଥିଲେ। ଏ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ଓକିଲ ହରିଶଙ୍କର ଜୈନ ଓ ୭ ଜଣ ଦାବି କରିଥିଲେ ଯେ, ଜାମା ମସଜିଦ୍ ପ୍ରାଚୀର ହରିହର ମନ୍ଦିର ଜାଗାରେ ତିଆରି ହୋଇଛି। ସେପଟେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମୁସଲିମ ପକ୍ଷ ସୁପ୍ରିମକୋର୍ଟ ଯିବାକୁ କହିଛନ୍ତି। ସମ୍ଭଲ ମସଜିଦ ସର୍ଭେକୁ ନେଇ ବ୍ୟାପକ ହିଂସା ବି ହୋଇଥିଲା। ନଭେମ୍ୱର ୨୪ରେ ହୋଇଥିବା ସମ୍ଭଲ ହିଂସାରେ ପୁଲିସ, ପ୍ରଶାସନିକ ଅଧିକାରୀଙ୍କ ସମେତ ୨୯ ପୁଲିସ ଆହତ ହୋଇଥିଲେ। ଆଉ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିଲା। ସର୍ଭେ ବେଳେ ପୁଲିସ ଉପରକୁ ପଥର ମାଡ଼ ହୋଇଥିଲା ଆଉ ଫାୟାରିଂ ବି ହୋଇଥିଲା। ଏ ମାମଲାରେ ଆଜିଯାଏଁ ୮୪ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ଜେଲ୍ ପଠାଇସାରିଛି। ଅନେକଙ୍କ ଜୀବନ ଯାଇଥିଲା ବେଳେ ଅନେକ ଜେଲ ଯାଇଛନ୍ତି। ଆଜି ଏସଆଇଟି ଟିମ୍ ସପା ସାଂସଦ ଜିଆଉର ରେହେମାନଙ୍କ ଘରେ ଲଟକା ଟାଙ୍ଗି ନ୍ୟାୟିକ ତଦନ୍ତରେ ସହଯୋଗ କରିବାକୁ ଡେଙ୍ଗୁରା ବାଡ଼େଇଛି। ନଭେମ୍ୱର ୨୪ ହିଂସା ପରଠୁ ଜିଆଉର୍ ଫେରାର୍ ଅଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now