ଜାତୀୟ

ସବରକରଙ୍କ ଉପରେ ବିବାଦୀୟ ବୟାନ: ରାହୁଲଙ୍କ ନାମରେ ମାମଲା

() କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଗାତାର ହିନ୍ଦୁତ୍ୱବାଦୀ ନେତା ବୀର ସବରକରଙ୍କୁ ଟାର୍ଗେଟ କରିଚାଲିଛନ୍ତି। ଯାହାକୁ ନେଇ ସାରା ଦେଶରେ ହଙ୍ଗାମା ଦେଖିବାକୁ ମିଳିଛି। ସବରକରଙ୍କର ବିରୋଧରେ ବିବାଦୀୟ ମନ୍ତବ୍ୟକୁ ନେଇ ରାହୁଲ ଗାନ୍ଧୀଙ୍କ ନାମରେ ଥାନାରେ ହୋଇଛି ଅଭିଯୋଗ। ରାହୁଲଙ୍କ ବିରୋଧରେ ସଙ୍ଗୀନ ଧାରା ୫୦୦ ଓ ୫୦୧ ଦଫା ଲାଗୁ କରାଯାଇଛି।

ସବରକରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ରାହୁଲ ଗାନ୍ଧୀଙ୍କ ନାଁରେ ମାମଲା। ସ୍ୱାଧୀନତା ସଂଗ୍ରାମୀ ବୀର ସବରକରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମରେ ଥାନାରେ ହୋଇଛି ଅଭିଯୋଗ। ଗାନ୍ଧୀଙ୍କ ସବରକର ବିରୋଧି ମନ୍ତବ୍ୟ ସ୍ଥାନୀୟବାସୀଙ୍କ ଭାବନାକୁ ଆଘାତ ଦେଇଥିବା ଥାନେ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି। ରାହୁଲଙ୍କ ବିରୋଧରେ ସଙ୍ଗୀନ ଧାରା ୫୦୦ ଓ ୫୦୧ ଦଫା ଲାଗୁ କରାଯାଇଛି।

ଗୁରୁବାର ଦିନ ଭାରତ ଯୋଡର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆରଏସଏସ ଚିନ୍ତାଧାରା ଓ ସବରକରଙ୍କୁ କଡା ସମାଲୋଚନା କରିଥିଲେ କଂଗ୍ରେସ ନେତା ରାହୁଲ। ସବରକର ବ୍ରିଟିଶମାନଙ୍କୁ ସାହାଯ୍ୟ କରିଥିବା କହିଥିଲେ ରାହୁଲ ଗାନ୍ଧୀ। ଏକ ଦସ୍ତାବିଜ ଦେଖାଇ କଥାକୁ ପ୍ରମାଣ କରିବାକୁ ପ୍ରୟାସ କରିଥିଲେ । ସ୍ୱାଧୀନତା ପୂର୍ବରୁ ସବରକର ବ୍ରିଟିଶମାନଙ୍କୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ସେ ତାଙ୍କ ଚାକର ହୋଇ ରହିବା ପାଇଁ ଚାହାଁନ୍ତି ବୋଲି ଉଲ୍ଲେଖ କରିଥିଲେ। ସବରକର ବ୍ରିଟିସ ଶାସକଙ୍କୁ ସହଯୋଗ କରିଛନ୍ତି ଏବଂ ଭୟରେ ସେ ବ୍ରିଟିସ ଶାସକଙ୍କୁ ଏକ ଦୟା ଆବେଦନ କରିଥିଲେ। ସ୍ୱାଧୀନତା ପୂର୍ବରୁ ସବରକର ବ୍ରିଟିସମାନଙ୍କୁ କ୍ଷମା ପ୍ରାର୍ଥନା କରି ମହାତ୍ମାଗାନ୍ଧୀ, ଜବାହରଲାଲ ନେହେରୁ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭଳି ନେତାଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲେ।  ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ପ୍ରତୀକ ଅଟନ୍ତି ସବରକର। ତାଙ୍କୁ ଆଣ୍ଡାମାନରେ ୨ରୁ ୩ ବର୍ଷ ଜେଲ ହୋଇଥିଲା, ଜେଲରେ ସେ ଦୟା ଯାଚିକା ଲେଖିବା ଆରମ୍ଭ କରିଥିଲେ। ସେ ନିଜ ପାଇଁ ଏକ ପୁସ୍ତକ ଲେଖି ସେ ମହାନ ବୋଲି ଲୋକମାନଙ୍କୁ ଦେଖାଇଥିଲେ, ବ୍ରିଟିଶମାନଙ୍କ ଠାରୁ ପେନସନ ମଧ୍ୟ ନେଉଥିଲେ। ସେ ବ୍ରିଟିଶ ପାଇଁ ଓ କଂଗ୍ରେସ ବିରୋଧରେ କାମ କରୁଥିଲେ। ଆଦିବାସୀ ନେତା ବିର୍ସାମୁଣ୍ଡା ଇଂରେଜ ବିରୋଧରେ ଲଢିଥିଲେ କିନ୍ତୁ ଆଜିକାଲି ତାଙ୍କ ବିଚାରଧାରା ଉପରେ ଆରଏସଏସ ଓ ବିଜେପି ଦ୍ୱାରା ହମଲା କରାଯାଉଛି ।

ଅନ୍ୟପଟେ ସବରକରଙ୍କ ପ୍ରତି ଏଭଳି କଡା ଟିପ୍ପଣୀକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି କଂଗ୍ରେସ ନେତା ରାହୁଲ। ସବରକରଙ୍କ ବଂଶଧର ଏଭଳି ମନ୍ତବ୍ୟକୁ ସମାଲୋଚନା କରିବା ସହ ରାହୁଲଙ୍କ ନାଁରେ ପୋଲିସରେ ଅଭିଯୋଗ କରିଛନ୍ତି। ସେ ରାହୁଲଙ୍କ ଗିରଫ ଦାବି କରିଛନ୍ତି। ରଞ୍ଜିତ ସବରକର କହିଛନ୍ତି, ନିଜ ଜେଜେଙ୍କ ଅପମାନକୁ ସେ ବରଦାସ୍ତ କରିବେ ନାହିଁ। ଏହା ପ୍ରଥମ ଥର ନୁହେଁ ବରଂ ରାହୁଲ ଗାନ୍ଧୀ ପୂର୍ବରୁ ମଧ୍ୟ ସବରକରଙ୍କୁ ଅପମାନ କରିଛନ୍ତି। କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତି ଖେଳୁଛି ଓ ଯେଉଥିପାଇଁ ସେ ସବରକରଙ୍କ ପ୍ରତି ଅପମାନ କରୁଛି। ଜଣେ ମହିଳା ଶରଦ ପାୱାରଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ, ତାଙ୍କୁ ସେଥିପାଇଁ ଏକମାନ ଜେଲରେ ରଖାଯାଇଥିଲା। ସବରକର ହେଉଛନ୍ତି ଦେଶର ଜଣେ ମହାନ ନେତା। ତେଣୁ କଂଗ୍ରେସ ନେତାଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

ରାହୁଲ ଭାରତ ଯୋଡ ଯାତ୍ରା ସମୟରେ ଏକ ଆଦିବାସୀ ସମ୍ମିଳନୀରେ ସବରକରଙ୍କ ବିରୋଧରେ ଦେଇଥିବା ବୟାନକୁ ବିଭିନ୍ନ ମହଲରେ ବିରୋଧ କରାଯାଇଥିବାବେଳେ ମହାରାଷ୍ଟ୍ରରେ କଂଗ୍ରେସର ମେଣ୍ଟ ସହଯୋଗୀମାନେ ମଧ୍ୟ ଏଭଳି ବୟାନକୁ ସମର୍ଥନ କରିନାହାନ୍ତି।

Related Articles

Leave a Reply

Your email address will not be published.

Back to top button