ଜାତୀୟରାଜନୀତି

ବିଧାନସଭାରେ ପୁରୁଣା ବଜେଟ ପଢିଲେ ଗେହଲଟ

ଜୟପୁର: ରାଜସ୍ଥାନ ବିଧାନସଭା ରଚିଲା ଇତିହାସ। ମୁଖ୍ୟମନ୍ତ୍ରୀ ଭାଷଣ କାଳରେ ପ୍ରଥମ ଥର ଗୃହର କାର୍ଯ୍ୟ ସ୍ଥଗିତ ରହିଲା। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପଢିଦେଲେ ପୁରୁଣା ବଜେଟ। ଭୁଲ ଜଣାପଡିବା ପରେ କ୍ଷମା ମାଗିଥିଲେ ମଧ୍ୟ ବିରୋଧୀ ସରକାରକୁ ଘେରିବାର କୌଣସି ସୁଯୋଗ ହାତ ଛଡା କରି ନଥିଲା। ବଜେଟ ପରି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜରେ ଦାୟିତ୍ବହୀନତା ହୋଇଛି କହି ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବାଚସ୍ପତି ଗୃହକୁ ଅଧଘଣ୍ଟା ସ୍ଥଗିତ ରଖିବାକୁ ହୋଇଥିଲେ ବାଧ୍ୟ।

ରାଜସ୍ଥାନ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ତୃତୀୟ କାର୍ଯ୍ୟକାଳର ଅନ୍ତିମ ବଜେଟରେ ବିରାଟ ବିଭ୍ରାଟ। ମୁଖ୍ୟମନ୍ତ୍ରୀ ଗେହଲଟ ବଜେଟ ଉପସ୍ଥାପନ କ୍ଷଣି ବିରୋଧୀଙ୍କ ଆରମ୍ଭ ହେଲା ହଙ୍ଗାମା। ଶୁକ୍ରବାର ଗୃହର ସ୍ଥିତି ଥିଲା କିଛି ନିଆରା। ପୂର୍ବାହ୍ନ ୧୧ଟାରେ ଅଶୋକ ଗେହଲଟ ବଜେଟ ଭାଷଣ ଆରମ୍ଭ କରି କହିଥିଲେ କି, କର୍ମରେ ଯଦି ସତ୍ୟତା ରହିଛି, ତେବେ କର୍ମ ସଫଳ ହେବ। ପ୍ରତ୍ୟେକ ସଂକଟର ହେବ ସମାଧାନ। ଆଜି ନ ହେଲେ କାଲି ହେବ। ଏହା କହିବା ସହ ମୁଖ୍ୟମନ୍ତ୍ରୀ ବଜେଟ ପଢିବା ଆରମ୍ଭ କଲେ। କିନ୍ତୁ କିଛି ସମୟ ପଢିବା ପରେ ଅଟକି ଗଲେ। ୧୨୫ ଦିନର ସହରୀ ରୋଜଗାର ଗ୍ୟାରେଣ୍ଟି ଯୋଜନା ଉପସ୍ଥାପନ କରୁଥିବା ବେଳେ ହୃଦୟଙ୍ଗମ କଲେ କି ଭୁଲ ପଢୁଛନ୍ତି। ସେପଟେ ମନ୍ତ୍ରୀ ମହେଶ ଯୋଶୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇ ପୁରୁଣା ବଜେଟ ପଢୁଛନ୍ତି, ନୂଆ ପଢନ୍ତୁ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଭୁଲ ପାଇଁ କ୍ଷମା ମାଗି କହିଲେ, ଏମିତି ଭୁଲ ହୋଇଯାଏ।

ହେଲେ ବିରୋଧୀଙ୍କୁ ସମ୍ଭାଳେ କିଏ? ପୁରୁଣା ବଜେଟର କପି କିପରି ନୂଆ ବଜେଟରେ ସ୍ଥାନ ପାଇଲା? ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରେଜ, ଗୁଲାବ ଚନ୍ଦ କଟାରିଆ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବାର ମୌକା ଛାଡି ନ ଥିଲେ। ବସୁନ୍ଧରା ରାଜେ କହିଥିଲେ, ବଜେଟ ଏକ ବହୁତ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ। ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି, ଦୁଇ ତିନି ଥର ବଜେଟକୁ ପଢୁଥିଲି। ଏହା ପରେ ଗେହଲଟଙ୍କୁ ଟାର୍ଗେଟ କରି କହିଥିଲେ କି, ଯେଉଁ ମୁଖ୍ୟମନ୍ତ୍ରୀ ଏତେବଡ ଦସ୍ତାବିଜରେ ଦାୟିତ୍ବହୀନତା ଦେଖାଇପାରନ୍ତି, ଆପଣମାନେ ବୁଝୁଥିବେ ତାଙ୍କ ଶାସନରେ ରାଜ୍ୟ କେତେ ସୁରକ୍ଷିତ? ସେହିପରି ବିରୋଧୀ ନେତା ସତୀଶ ପୂନିଆ ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ଜୀ ପୁରୁଣା ବଜେଟ ପଢିଛନ୍ତି, ରାଜସ୍ତାନରେ ଏବେ ବଜେଟ ବି ଲିକ୍ ହେଲାଣି। ବିରୋଧୀ ଦଳ ନେତା ଗୁଲାବ ଚନ୍ଦ କଟାରିୟା ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ରାଜସ୍ଥାନର ଅର୍ଥମନ୍ତ୍ରୀ ଯେଉଁ କାଗଜକୁ ପଢିବାକୁ ଆସିଲେ ତାହା ଅଲଗା ବାହାରିଲା। ଏହା ବଜେଟର ଅପମାନ। ଏହା ବଜେଟର ସମ୍ବେଦନଶୀଳତାକୁ ନଷ୍ଟ କରି ଦେଇଥିବା କହିବା ସହ ସ୍ପିକର ଡା ସିପି ଜୋଶୀଙ୍କୁ ବଜେଟ ସ୍ଥଗିତ ରଖିବାକୁ ଦାବି କରିଥିଲେ।

ବିରୋଧୀଙ୍କ ହଙ୍ଗାମାକୁ ଦେଖି ବାଚସ୍ପତି ବଜେଟ ଉପସ୍ଥାପନ ସ୍ଥଗିତ ରଖି ଗୃହକୁ ଅଧଘଣ୍ଟା ପାଇଁ ସ୍ଥଗିତ ରଖିବା ସହ ଗୃହତ୍ୟାଗ କରି ଚାଲିଯାଇଥିଲେ। ସେପଟେ ଅଶୋକ ଗେହଲଟ ଟ୍ବିଟ କରି ବିଜେପି ରାଜ୍ୟର ବିକାଶ ଓ ଉନ୍ନତିବିରୋଧୀ। ବଜେଟ ଲିକ ଏକ ମନଗଢା ଅଭିଯୋଗ। 

Related Articles

Leave a Reply

Your email address will not be published.

Back to top button