ଅପରାଧଜାତୀୟ

ମମତାହୀନ ମା…

ଏମିତି ଜଣେ ମାଆ। ଯାହା ପାଇଁ ନିଜର ମମତା ବଡ଼ ହେଲାନି। ବରଂ ଲୋଭ ବଳିଗଲା। ନିଜର ନାବାଳିକା ଝିଅର ଏଗ୍ ଡୋନେଟ୍ କରି ଅର୍ଥ କମାଇବାର ନିଶା ଏମିତି ଘାରିଥିଲା କି। ଯିଏ ଶୁଣୁଛି ତାଜୁବ୍ ହୋଇଯାଉଛି। ଆଉ ସାବତ ବାପା ତ ସୈତାନ ଓ ନରପିଶାଚ ପାଲଟିଯାଇଥିଲା। ତାମିଲନାଡୁରୁ ଆସିଥିବା ଏହି ଖବର ଯାହା କାନରେ ପଡ଼ୁଛି। ସେ ବିଶ୍ୱାସ କରିପାରୁନି। ମାଆର ମାନବିକତାକୁ ଧିକ୍ କରୁଛି ତ ସାବତ ବାପାର କୁକର୍ମ ଶୁଣିଲେ ଛି ଛି କରୁଛି।


ମା ଜବରଦସ୍ତି କରୁଥିଲା। ଆଉ ବାପା ଜୁଲୁମ୍ କରୁଥିଲା। ଜୋର୍ ଜୁଲୁମ ଯେଉଁଥିଲାଗି କରାଯାଉଥିଲା ନାବାଳିକାଟି ପ୍ରତି। ଶୁଣିଲେ ଲୋମ ଟାଙ୍କୁରି ଯିବ। ଏମିତି ବାପା ମାଆ କାହାକୁ ନ ମିଳୁ। ତାମିଲନାଡୁର ଏରୋଡରେ ଜଣେ ୧୬ ବର୍ଷୀୟା ନାବାଳିକାଟି ନିଜ ମାଆ ଓ ସାବତ ବାପାର କଷଣ ଏମିତି ସହିଥିଲା। ଯାହାକୁ ବର୍ଣ୍ଣନା ପାଇଁ ଶବ୍ଦ ବି କମ୍ ପଡ଼ିଯିବ। ଏରୋଡରେ ଥିବା ଏକ ଘରୋଇ କ୍ଲିନିକରେ ଝିଅଟିକୁ ଏଗ୍ ଡୋନେଟ୍ କରିବାକୁ ମା ଚାପ ପକାଇ କାମ ହାସଲ କରୁଥିଲା। ଥରେ ନୁହେଁ। ଆଠ ଆଠ ଥର ଏଗ୍ ଡୋନେଟ କରାଇଥିଲା ମା। ଝିଅ ଯେତେ ନେହୁରା ହେଲେ ବି ବିଲକୁଲ ଶୁଣୁନଥିଲା ମା। କାରଣ ତାକୁ ଘାରିଥିଲା ଅର୍ଥ ଲୋଭ। ଅର୍ଥ ଲୋଭ ଆଗରେ ଯେମିତି ମମତା ତୁଛ ହୋଇଯାଇଥିଲା।

ମାଆର ଜୁଲୁମ ନିଷ୍ଠୁରତାର ସୀମା ଡେଇଁଥିଲା ବେଳେ ସାବତ ବାପା ବା କାହିଁକି ପଛରେ ପଡ଼ିଥାଆନ୍ତା। ଗଲା ୫ ବର୍ଷ ଭିତରେ ଅନେକ ଥର ଦୁଷ୍କର୍ମ କରିଥିଲା ନାବାଳିକାଟିକୁ ସାବତ ବାପା। ତେବେ ଘରୁ କୌଶଳକ୍ରମେ ଫେରାର୍ ହୋଇ ସମ୍ପର୍କୀୟଙ୍କ ଆଗରେ ନିଜର ଦୁଃଖ ବଖାଣିବା ପରେ ଏକଥା ପଦାକୁ ଆସିଥିଲା। ଥାନାରେ ମାଆ, ସାବତ ବାପାଙ୍କ ସମେତ ଆଉ ଜଣେ ମହିଳାଙ୍କ ନାଁରେ ସଙ୍ଗୀନ ଆରୋପ ଆଣିବା ପରେ ତିନି ଜଣଙ୍କୁ ବାନ୍ଧିଛି ପୁଲିସ। ନାବାଳିକାର ମାଆ ପ୍ରଥମ ସ୍ୱାମୀଙ୍କଠୁ ଅଲଗା ହୋଇଥିବା ବେଳେ ପରେ ଆଉ ଜଣଙ୍କୁ ବିବାହ କରିଥିଲେ। ଉଭୟ ସ୍ୱାମୀ ସ୍ତ୍ରୀ ମିଶି ଝିଅକୁ ମାଡ ମାରିବା ସହ ଫର୍ଟିଲିଟି କେନ୍ଦ୍ରରେ ଏଗ୍‌ ଡୋନେଟ କରିବାକୁ ବାଧ୍ୟ କରୁଥିଲେ।

ସାବତ ବାପା ଅନ୍ୟ ଏକ ମହିଳାଙ୍କ ସହ ମିଶି ଝିଅକୁ ପ୍ରାଇଭେଟ୍ କ୍ଲିନିକକୁ ନେଇ ଡୋନେଟ କରିବାକୁ ବାଧ୍ୟ କରୁଥିବା ପୋଲିସ ତଦନ୍ତରୁ ଜଣାପଡିଛି। ସେପଟେ ଦ୍ୱିତୀୟ ଅଭିଯୁକ୍ତ ମହିଳା ନାବାଳିକାର ଏକ ନକଲି ଆଧାର କାର୍ଡ ତିଆରି କରି ୫ ହଜାର କମିଶନ ନେଇଥିଲେ। ଏପଟେ ନାବାଳିକାର ଏଗ୍‌କୁ ୨୦ ହଜାର ଟଙ୍କାରେ ଅଭିଯୁକ୍ତ ମାଆ ବିକ୍ରି କରିଥିବା ଜଣାପଡିଛି। ପୋଲିସ ଏହି ଘଟଣାରେ ପୋକ୍ସୋ ଆକ୍ଟ , ଆଇପିସି ଧାରା ୪୨୦ ଏବଂ ୫୦୬ରେ ଅପରାଧିକ ମାମଲା ରୁଜୁ କରି ତଦନ୍ତ କରୁଛି। ପୀଡିତାର ୩୩ ବର୍ଷୀୟା ମାଆ, ୪୦ ବର୍ଷୀୟ ସାବତ ବାପା ଏବଂ ଅନ୍ୟ ଜଣେ ମହିଳା ଥିବା ଜଣାପଡିଛି।

ସେମାନଙ୍କୁ ସାଲେମ ସେଣ୍ଟ୍ରାଲ ଜେଲରେ ରଖାଯାଇଛି। ବାପା ମାଆ ଉଭୟ ମିଶି ନିଜ ଝିଅକୁ ଜୋର ଜବରଜସ୍ତି କରି ଏଗ ଡୋନେଟ କରିବା ଖବର ଏବେ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନାବାଳିକା ଜଣକ ନିର୍ଯାତନାର ଶିକାର ହୋଇ ଗତ ମେ ମାସରେ ଘରୁ ଫେରାର ହୋଇ ସାଲେମରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇ କାନ୍ଦି କାନ୍ଦି ଏ ସମସ୍ତ ବିଷୟରେ ଜଣାଇଥିଲା। ପରେ ଏନେଇ ଝିଅର ମାଆ ଏବଂ ଅନ୍ୟ ଦୁଇ ଜଣ ସାଲେମକୁ ଆସି ଝିଅକୁ ଝମକ ଦେବା ସହ ଏରୋଡକୁ ନେଇ ଯାଇଥିଲେ। ସେପଟେ ଘଟଣା ବିଷୟରେ ଝିଅର ସମ୍ପର୍କୀୟମାନେ ଏରୋଡ ସାଉଥ ପୋଲିସ ଥାନାରେ ନାବାଳିକାର ମାଆ ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ସେହିଦିନ ପୋଲିସ ଘଟଣାର ତଦନ୍ତ କରି ଗିରଫ କରିବାରେ ସଫଳ ହୋଇଥିଲା। ତେବେ ଏହି ଘଟଣାରେ ମେଡିକାଲ ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟର ଏକ ଟିମ୍ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ନାବାଳିକାର ଗତ ୫ ବର୍ଷ ଭିତରେ ବିଭିନ୍ନ ଫର୍ଟିଲିଟି କେନ୍ଦ୍ରରେ ଏଗ୍‌ ବିକ୍ରି ପାଇଁ ବାଧ୍ୟ କରାଯାଇଛି। ଚିକିତ୍ସା ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟ ସେବାର ଯୁଗ୍ମ ନିର୍ଦ୍ଦେଶକ ଏ ବିଶ୍ୱନାଥଙ୍କ ନେତୃତ୍ୱାଧୀନ ଟିମ୍‌ ଜୁନ୍‌ ୬ରେ ନାବାଳିକାର ବୟାନକୁ ରେକର୍ଡ କରିଛନ୍ତି।

ଏହାସହ ଅଧିକାରୀମାନେ ମଧ୍ୟ ଏରୋଡରେ ଦୁଇଟି ଘରୋଇ ଡାକ୍ତରଖାନା ଏବଂ ସାଲେମର ଦୁଇଟି ଘରୋଇ ଡାକ୍ତରଖାନାକୁ ଯାଞ୍ଚ କରିଛନ୍ତି। ଅନ୍ୟପଟେ ରାଜ୍ୟର ଅନ୍ୟ ଫର୍ଟିଲିଟି କେନ୍ଦ୍ରରେ ଯାଞ୍ଚ ଚାଲିଛି। ସେପଟେ ଏହି ଘଟଣାରେ ଯଦି କୌଣସି ଡାକ୍ତରଖାନାର ହାତ ଥିବ ତେବେ ସେନେଇ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି କହିଛନ୍ତି ଅଧିକାରୀମାନେ। ସେହିପରି ଡାକ୍ତରଙ୍କ ଭୂମିକା ସମ୍ପର୍କରେ ମଧ୍ୟ ଅନୁସନ୍ଧାନ କରାଯିବ।

  • ପ୍ରଦୀପ ନାୟକ ଓ ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button