mother

  • ସରୋଗାସି…ନୂଆ ଆଇନ, ନୂଆ ବିତର୍କ

    ଶିଶୁଟିଏ ଜନ୍ମ ହେବା ପରିବାର ପାଇଁ ସୁଖଦ ଖବର ଏବଂ ଉଭୟ ପିତା ମାତାଙ୍କ ପାଇଁ ଏକ ସୁନ୍ଦର ଅନୁଭୂତି ମଧ୍ୟ । ସୁସ୍ଥ ସନ୍ତାନ ପ୍ରସବ ପାଇଁ ଅନେକ ସତର୍କତା ଅବଲମ୍ବନ କରିବାକୁ ହୁଏ । ସାମାନ୍ୟ ଅବହେଳା ଉଭୟ ମା’ ଓ ଶିଶୁ ପ୍ରତି ବିପଦ ଆଣିପାରେ । ତେବେ ଏସବୁ କଥା ଅନେକଙ୍କ ପାଇଁ ଆହୁରି ଜଟିଳ ହୋଇଯାଏ ଯେଉଁଠି ବିଭିନ୍ନ ଶାରୀରିକ କାରଣରୁ ଡାକ୍ତର ସନ୍ତାନ ଧାରଣ ସମ୍ଭବ ନୁହେଁ ବୋଲି କୁହନ୍ତି । ଆଜି କାଲି ଏ ସଂଖ୍ୟା ଢେର ବଢିଛି ଯେଉଁଠି ନିଃସନ୍ତାନ ହେଉଛନ୍ତି ଦମ୍ପତ୍ତି । ଏପରିକି ଭାରତରେ ୧୦ରୁ ୧୪% ଙ୍କ ମଧ୍ୟରେ ଗର୍ଭଧାରଣରେ ସମସ୍ୟା ରହୁଛି । ଅର୍ଥାତ୍ ପ୍ରତି ୬ ଜଣରୁ ଜଣେ ନିଃସନ୍ତାନ । ଏଭଳି କ୍ଷେତ୍ରରେ କିଛି ପରିବାର ପୋଷ୍ୟ ଗ୍ରହଣ କରି ସନ୍ତାନ ସୁଖ ପାଉଛନ୍ତି । ପୁଣି କିଛି ପରିବାର ଆଇଭିଏଫ୍, ସରୋଗାସି ଭଳି ଉପାୟ ଆପଣାଉଛନ୍ତି । ଏଥିରେ ନିଜ ଶରୀରର ଅଂଶ ଓ ବଂଶରକ୍ଷା ଭଳି କଥା ମଧ୍ୟ ରହିଛି । ସହଜରେ ବୁଝିବାକୁ ହେଲେ ସନ୍ତାନ ଚାହୁଁଥିବା ଦମ୍ପତ୍ତି ପାଇଁ ଅନ୍ୟ ଜଣେ ମହିଳା (ସରୋଗେଟ୍) ଗର୍ଭଧାରଣ କରିବେ । ଏବଂ ସନ୍ତାନ ପ୍ରସବ ପରେ ଚୁକ୍ତି ମୁତାବକ ମୂଳ ଦମ୍ପତ୍ତିଙ୍କୁ ଶିଶୁ ହସ୍ତାନ୍ତର କରିବେ । କିଛି ବର୍ଷ ମଧ୍ୟରେ ସରୋଗାସିର ଲୋକପ୍ରିୟତା ବୃଦ୍ଧି ପାଇଛି ।

    ନିଃସନ୍ତାନ ଦମ୍ପତ୍ତିଙ୍କ ପାଇଁ ସରୋଗାସି ଏବେ ଶେଷ ବିକଳ୍ପ ହୋଇଛି। ପ୍ରଜନନରେ ଅକ୍ଷମତା ଥିଲେ ହିଁ ଏହି ପ୍ରକ୍ରିୟା ପାଇଁ ଆଇନତଃ ଅନୁମତି ମିଳୁଛି । ଆମ ଦେଶରେ ଦୀର୍ଘ ବର୍ଷ ଧରି ଏହି ସରୋଗାସି ପ୍ରକ୍ରିୟା ଚାଲିଛି। ଏପରିକି ଏହାର ଅପବ୍ୟବହାର ଓ ବ୍ୟବସାୟୀକରଣ ଯୋଗୁ ଭାରତ ସମାଲୋଚିତ ବି ହୋଇଛି ଏବଂ ସ୍ୱଳ୍ପ ଖର୍ଚ୍ଚରେ ସନ୍ତାନ ଦରକାର ଥିଲେ ଭାରତକୁ ଆସନ୍ତୁ ବୋଲି ଧାରଣା ସୃଷ୍ଟି ହୋଇଛି । ଯାହାକୁ ରୋକିବା ପାଇଁ ଦେଶରେ ନୂଆ ସରୋଗାସି ଆଇନ ଆସିଛି । ଯେଉଁ ଆଇନ ସରୋଗାସି ଉପରେ ପ୍ରତିବନ୍ଧକ ଲଗାଇନି କିନ୍ତୁ ସରୋଗାସିର ବ୍ୟବସାୟୀକରଣକୁ ବେଆଇନ କହିଛି । ନୂଆ ନିୟମ ଅନୁଯାୟୀ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁମତି, ବୋର୍ଡର ସ୍ୱୀକୃତି ସହ ଉଭୟ ପକ୍ଷ ମଧ୍ୟରେ କିଭଳି ଆଇନଗତ ଭାବେ ଚୁକ୍ତି ହୋଇପାରିବ ତାହା କୁହାଯାଇଛି । ନିଃସନ୍ତାନ ଦମ୍ପତ୍ତିଙ୍କ ପରିଚିତ ଏବଂ କେବଳ ପରୋପକାର ଉଦେଶ୍ୟରେ ସରୋଗେଟ ହୋଇପାରିବାର ନିୟମ ହୋଇଛି । ସରୋଗେଟ୍ ମହିଳାଙ୍କ ସହ ସନ୍ତାନ ଚାହୁଁଥିବା ଦମ୍ପତ୍ତିଙ୍କ ମାରିଟାଲ ଷ୍ଟାଟସ୍, ବୟସ ଓ ସନ୍ତାନ ଅଛନ୍ତି କି ନାହିଁ ସେ ନିୟମ ଖଞ୍ଜା ଯାଇଛି । ତେବେ ନୂଆ ଆଇନ ମୁତାବକ ବିଚ୍ଛେଦ ହୋଇଥିବା ଓ ବିଧବା ମହିଳା ମଧ୍ୟ ସରୋଗାସି ଦ୍ୱାରା ମାତୃତ୍ଵ ପାଇପାରିବେ । କିନ୍ତୁ ଏକୁଟିଆ ପୁରୁଷ, ଅବିବାହିତ କିମ୍ବା ତୃତୀୟ ଲିଙ୍ଗିକୁ ଏ ପ୍ରକ୍ରିୟା ଦ୍ୱାରା ସନ୍ତାନ ମିଳିବ ନାହିଁ । ଯାହା ସମାନତା ଅଧିକାରର ଉଲଂଘନ ବୋଲି ଅଭିଯୋଗ ହୋଇଛି।

    ସରକାର କହିଛନ୍ତି ଅନେକ ତର୍ଜମା ପରେ ନିଃସନ୍ତାନ ଦମ୍ପତ୍ତିଙ୍କୁ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ସନ୍ତାନ ଦେବାର ଉପାୟ କରାଯାଇଛି। ଯେହେତୁ ସରୋଗାସିକୁ ଅର୍ଥ ଉପାର୍ଜନର ମାଧ୍ୟମ କରାଯାଇଥିଲା । ଦଲାଲ ସକ୍ରୀୟ ହୋଇ ଶୋଷଣ କରୁଥିଲେ । କେଉଁଠି ସେରୋଗେଟ୍ ମା’ ତ କେଉଁଠି ସନ୍ତାନ ଚାହୁଁଥିବା ଦମ୍ପତି ଚୁକ୍ତି ଖିଲାପ କରିବା ଖବର ଆସୁଥିଲା । ଏପରିକି ପିଲାଟିର କୌଣସି ଜନ୍ମଗତ ସ୍ୱାସ୍ଥ୍ୟ ସମସ୍ୟା ରହିଲେ କିମ୍ବା ପୁଅ ଚାହୁଁଥିଲେ ଝିଅ ହେଲେ ଗ୍ରହଣ କରିବାକୁ ସନ୍ତାନ ଇଚ୍ଛୁକ ଦମ୍ପତ୍ତି ମନା କରିବା ଶିଶୁ ଅଧିକାରକୁ କ୍ଷୁର୍ଣ୍ଣ କରୁଥିଲା । ଯାହା ନୂଆ ଆଇନ ଦ୍ୱାରା ଆଉ ସମ୍ଭବ ହେବନାହିଁ ବୋଲି ଭରଷା ଦିଆଯାଇଛି ।ସରୋଗାସି ପ୍ରକ୍ରିୟା ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ଚୁକ୍ତି ହେବ । ଚୁକ୍ତି ଖିଲାପ ହେଲେ ଦଣ୍ଡବିଧାନ ବ୍ୟବସ୍ଥା ରହିବ । ସରୋଗାସିର ବ୍ୟବସାୟକରଣ ଓ ଅର୍ଥ କାରବାର ଦ୍ୱାରା ହେଉଥିବା ଶୋଷଣକୁ ନିୟନ୍ତ୍ରଣ କରିବ। ଅନେକ ସମୟରେ ଅର୍ଥ ପାଇଁ ଗରିବ ମହିଳା ଓ କମ୍ ବୟସର ଯୁବତୀ ସରୋଗେଟ୍ ମହିଳା ବା ଭଡ଼ାରେ ଗର୍ଭ ଧାରଣ ପାଇଁ ପ୍ରସ୍ତୁତ ହେଉଥିଲେ । ସେଠି ମହିଳାର ଅଧିକାର କ୍ଷୁର୍ଣ୍ଣ ହେବାର ଖବର ଆସୁଥିଲା । ଏପରିକି ଅର୍ଥ ବଦଳରେ ସନ୍ତାନ ନୈତିକତାର ପ୍ରଶ୍ନ ହୋଇଥିଲା । ଏବେ ସେଥିରେ ସଂଶୋଧନ କରାଯାଇଛି ଏବଂ କେବଳ ସନ୍ତାନ ଚାହୁଁଥିବା ଦମ୍ପତ୍ତିଙ୍କ ପରିଚିତ ମହିଳା ପରୋପକାର ପାଇଁ ଗର୍ଭଧାରଣ କରିବେ ବୋଲି ଆଇନରେ ବ୍ୟବସ୍ଥା ହୋଇଛି ।

    ଏପରିକି ବିବାହିତ ଓ ନିଜ ସନ୍ତାନ ଥିଲେ ହିଁ ଜଣେ ସରୋଗେଟ୍ ହୋଇପାରିବେ । ସରୋଗେଟ ମା’ ୨୫ରୁ ୩୫ ବର୍ଷ ମଧ୍ୟରେ ହୋଇଥିବେ । ଏଭଳି ନିଷ୍ପତ୍ତି ପାଇଁ ସେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ଥିବା ଜରୁରୀ ।ଅନ୍ୟପଟେ ସନ୍ତାନ ଚାହୁଁଥିଲେ ବିବାହର ୫ ବର୍ଷ ପରେ ଦମ୍ପତ୍ତି ସରୋଗାସି କରିପାରିବେ । ସେଥିରେ ସ୍ତ୍ରୀର ବୟସ ୨୫-୫୦, ସ୍ୱାମୀ ୨୬-୫୫ ବର୍ଷର ହୋଇଥିବା ଆବଶ୍ୟକ। ଏବଂ ୩୬ ମାସ ପାଇଁ ସରୋଗେଟ୍ ମା’ର ହେଲ୍ଥ ଇନସୁରାନ୍ସ କରିବା ବାଧ୍ୟତାମୂଳକ କରାଯାଇଛି । ନୂଆ ଆଇନ ମୁତାବକ କେନ୍ଦ୍ର ଓ ରାଜ୍ୟସ୍ତରରେ ସରୋଗାସି ବୋର୍ଡ ଗଠନ ହେବ। ଯାହା ଆମ ରାଜ୍ୟରେ ଗଠନ ହୋଇସାରିଛି । ବୋର୍ଡ ଆଇନ ଅନୁପାଳନ ସବୁ ପକ୍ଷ କରୁଛନ୍ତି କି ନାହିଁ ତଦାରଖ କରିବେ । ଫର୍ଟିଲିଟି ଏଜେନ୍ସି ବା କ୍ଲିନିକ୍ ପଞ୍ଜିକୃତ ହେବା ବାଧ୍ୟତାମୂଳକ । ଏପରିକି ସେ ସଂସ୍ଥା ଗୁଡ଼ିକ ବିଜ୍ଞାପନ ବା ବ୍ୟବସାୟିକ ଉଦେଶ୍ୟ ରଖି କୌଣସି ପ୍ରଚାର କରିପାରିବେନି । ଯଦି ନିୟମ ଖିଲାପ ହୁଏ ତେବେ ଜେଲ, ଜରିମାନା ଓ ପଞ୍ଜିକରଣ ବାତିଲ ହେବାର ଆଇନ ରହିଛି ।ନୂଆ ସରୋଗାସି ଆଇନ ନୂଆ ବିତର୍କ ସୃଷ୍ଟି କରିଛି । କିଏ ନୀତି, ନୈତିକତା, ଅଧିକାର ତ କିଏ ଆଇନଗତ ଦିଗକୁ ନେଇ ପ୍ରଶ୍ନ ଉଠାଇଛି ।

    ଅଭିଯୋଗ ହୋଇଛି ନିଃସନ୍ତାନ ଦମ୍ପତ୍ତିଙ୍କ ବାସ୍ତବ ସମସ୍ୟା ନଜାଣି ନିୟମ ପ୍ରସ୍ତୁତକାରୀ ଆଇନ ତିଆରି କରିଛନ୍ତି । ଯେଉଁ ଦେଶରେ ପ୍ରଜନନ ସମସ୍ୟା ବା ଇନଫର୍ଟିଲିଟିକୁ ନେଇ ଖୋଲା ଆଲୋଚନା ହୁଏନାହିଁ ସେଠି କେଉଁ ପରିଚିତ ଲୋକକୁ ସନ୍ତାନ ଚାହୁଁଥିବା ଦମ୍ପତ୍ତି ପାଇବେ ଯିଏ ବିନା ସ୍ୱାର୍ଥ ବିନା ଅର୍ଥରେ ତାଙ୍କ ପିଲାକୁ ନିଜ ଗର୍ଭରେ ଧାରଣ କରିବେ ଏବଂ ପ୍ରସବକାଳୀନ ସମସ୍ତ ବିପଦକୁ ମୁଣ୍ଡାଇବେ । ଏମିତିରେ ବି ସମାଜ ସ୍ୱୀକୃତ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଦ୍ୱାରା ହିଁ ଗର୍ଭଧାରଣକୁ ବୈଧ ବିଚାର କରାଯିବାର ମାନସିକତା ଏଯାଏଁ ରହିଛି । ତେଣୁ ଏକଥାର ଗ୍ରହଣୀୟତା ହେବ କି ନାହିଁ ସେ ପ୍ରଶ୍ନ ଅଛି । ତା ଛଡା ଅତ୍ୟଧିକ କାଗଜପତ୍ର କାମ,ଲମ୍ବା ପ୍ରକ୍ରିୟା ଓ ବ୍ୟକ୍ତିଗତ ନିଷ୍ପତି ଖୋଲାରେ ଚର୍ଚ୍ଚା ହେବାକୁ ଅନେକ ନାପସନ୍ଦ କରିଛନ୍ତି । ସବୁଠାରୁ ବଡ଼ କଥା କିଛି ମହିଳାଙ୍କ ପାଇଁ ଏହା ଅର୍ଥ ରୋଜଗାରର ମାଧ୍ୟମ ଥିଲା । ସେ ରାସ୍ତା ବନ୍ଦ ହେବା ଅନେକଙ୍କୁ ଗ୍ରହଣୀୟ ହେଉନି । ଯେଉଁ ଆଦର୍ଶ କଥା ଆଇନରେ କୁହାଯାଉଛି ତାହା ବାସ୍ତବରେ ସମ୍ଭବ ହେବନାହିଁ ବୋଲି ମତ ପ୍ରକାଶ ପାଇଛି । ତେଣୁ ସରୋଗାସି ଆଇନର ଆହୁରି ତର୍ଜମା ଆବଶ୍ୟକ ।

    ଅନ୍ୟ ଏକ ଗୁରୁତ୍ବପୁର୍ଣ୍ଣ ଦିଗ ହେଉଛି ଏହି ଆଇନ ଶିଶୁ ଅଧିକାରକୁ ସୁରକ୍ଷା ଦେଉନାହିଁ ବୋଲି ଅଭିଯୋଗ ଆସିଛି । ଯଦି ଜନ୍ମ ପରେ ପରେ ମା’ର ମୃତ୍ୟୁ ହୁଏ ପିଲାଟିର ଅଭାବକୁ ସମସ୍ତେ ଅନୁଭବ କରୁଥିବା ବେଳେ ମା’ କ୍ଷୀରର ଅଭାବ, ଗର୍ଭଧାରଣ କରିଥିବା ମା’ ସହ ଗର୍ଭସ୍ଥ ସନ୍ତାନର ସମ୍ପର୍କ କଥା ଉଠେ । କିନ୍ତୁ ସରୋଗାସିରେ ସେ କଥାକୁ ବିଲକୁଲ ଗୁରୁତ୍ୱ ଦିଆଯାଇନାହିଁ । ବଡ ମାନଙ୍କ ଆବଶ୍ୟକତା ତାଙ୍କ ଅଧିକାର କଥା ଯେଉଁ ଭଳି କୁହାଯାଉଛି ନୂଆ ଆଇନ, ଶିଶୁ ଅଧିକାରର ସୁରକ୍ଷା ପ୍ରତି ସେତିକି ନିରବ ରହିଛି । ଏପରିକି ଶିଶୁ ମନସ୍ତତ୍ତ୍ବକୁ ସରୋଗାସି ଦୃଷ୍ଟିରୁ ଅଧିକ ତର୍ଜମା ଆବଶ୍ୟକ ଥିଲା ବୋଲି ମତ ରହିଛି । ଏକଥା ବି କୁହାଯାଉଛି ଯେ ଅତ୍ୟଧିକ କଡ଼ା ନିୟମ ବେଆଇନ କାରବାରର କାରଣ ହୋଇ ପାରେ । ଏବଂ ସରୋଗେଟ୍ ମା’ର ଶ୍ରମକୁ ପରୋପକାର କହିବା ପିତୃତାନ୍ତ୍ରିକ ମାନସିକତା ବୋଲି ମଧ୍ୟ ସମାଲୋଚନା ହୋଇଛି ।ସନ୍ତାନ ଚାହୁଁଥିବା ପରିବାର ପାଇଁ, ସରୋଗାସି ସଉକ ନୁହେଁ ଶେଷ ବିକଳ୍ପ । ତେଣୁ ବୟସ, ବୈବାହିକ ସ୍ଥିତି, ଲିଙ୍ଗ ଓ ଜାତୀୟତା ଭିତ୍ତିରେ ସ୍ଥିର କରିବା ଅନେକଙ୍କୁ ପସନ୍ଦ ହୋଇନାହିଁ । ଏହା ସମସ୍ୟା ସମାଧାନ କରିବନି ବରଂ ସମସ୍ୟା ବଢାଇବ ବୋଲି କୁହାଯାଉଛି । ଯେଉଁଠି ଜନ୍ମ ପରେ ୯ ମାସର ସମ୍ପର୍କ ଛିଣ୍ଡାଇ ଗର୍ଭଧାରଣ କରିଥିବା ମା’ ପିଲାକୁ ହସ୍ତାନ୍ତର କରିବେ ସେଠି ଶରୀରର ସୁସ୍ଥତା ସହ ସରୋଗେଟ୍ ମା’ର ମାନସିକ ସୁସ୍ଥତାକୁ ଗୁରୁତ୍ୱ ଦେବା ଆବଶ୍ୟକ । ଯାହା କାଗଜକମଲମର ନିୟମରେ କେତେ ସମ୍ଭବ ତାହା ଉଣା ଅଧିକେ ସମସ୍ତେ ଜାଣନ୍ତି ।

    କିଛି ସେଲିବ୍ରିଟି ଗର୍ଭଯନ୍ତ୍ରଣା ସହିବାକୁ ଚାହୁଁ ନାହାଁନ୍ତି । କିଛି ମହିଳା କ୍ୟାରିଅର ପାଇଁ ସରୋଗାସି ବାଛୁଛନ୍ତି । କିନ୍ତୁ ସେ ନିୟମରେ ସଚ୍ଚୋଟ ଭାବେ ପ୍ରକ୍ରିୟାକୁ ଆପଣାଉଥିବା ଦମ୍ପତ୍ତି ପ୍ରତାରିତ ନହୁଅନ୍ତୁ । ତାକୁ ନିଶ୍ଚିତ କିଏ କରିବ । ଅନ୍ୟପଟେ ଯେଉଁ ଫର୍ଟିଲିଟି ସେଣ୍ଟର ମାନଙ୍କରେ ଏସବୁ କଥା କରାଯାଉଛି ନୂଆ ଆଇନ ପରେ ଚୋରା ଲୁଚାରେ ଏ କାମ କିଭଳି ନହେବ ସେ ପାଇଁ କି ବ୍ୟବସ୍ଥା ରାଜ୍ୟ ଓ ଜାତୀୟ ସ୍ତରରେ ଅଛି । ଯେଉଁ ଦଲାଲ ଏଥିରେ ସକ୍ରୀୟ ଥିଲେ ସେମାନେ ରାତିଅଧିଆ ଉଭାନ ହୋଇଯିବେ ନା ନୂଆ ଉପାୟ ପାଞ୍ଚିବେ । ସେ ପ୍ରଶ୍ନ ଏବେ ବି ରହିଛି । ସେପଟେ ପୋଷ୍ୟଗ୍ରହଣ ପାଇଁ ପ୍ରୋତ୍ସାହନ ଚାଲିଥିବା ବେଳେ ଯଦି ସବୁ ନିଃସନ୍ତାନ ଦମ୍ପତ୍ତି ସରୋଗାସି ପାଇଁ ଇଛୁକ ହେବେ ତେବେ ସେ ପିଲାଙ୍କୁ ପରିବାର ଦେବ କିଏ । ଅବଶ୍ୟ ଦେଶରେ ଆଇନ ସେତେବେଳେ ହୁଏ ଯେତେବେଳେ କୌଣସି ବର୍ଗର ଅଧିକାର ପ୍ରଭାବିତ ହୁଏ ବା ଆଇନ ନଥିବାର ଆଳରେ ବେଆଇନ କାରବାର ବଢେ । ସେ ଦୃଷ୍ଟିରୁ ନୂଆ ସରୋଗାସି ଆଇନ ଏକ ବଡ଼ ପଦକ୍ଷେପ କିନ୍ତୁ ନିୟମର ଅନୁପାଳନ ଠିକଣା ଢଙ୍ଗରେ ନହେଲେ ଆଶାୟୀ ଦମ୍ପତ୍ତି ନ୍ୟାୟ ପାଇବେ ନାହିଁ ଏ ସନ୍ଦେହ ରହିଛି ।

    • ସୁପ୍ରିୟା ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ
  • ଛୁଆର ସାଙ୍ଗିଆ ରଖିପାରିବେ ମା’

    ସରନେମ ବା ସାଙ୍ଗିଆକୁ ନେଇ ଏକ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ପିତାଙ୍କ ମୃତ୍ୟୁ ପରେ ମା’ର ପୁରା ହକ ରହିଛି କି ନିଜ ସନ୍ତାନର ଟାଇଟଲ ବଦଲାଇପାରିବ। ପିତାଙ୍କ ମୃତ୍ୟୁ ପରେ ମା ହିଁ ଜଣେ ବ୍ୟକ୍ତି ଯାହାର ପିଲା ଉପରେ ଶତ ପ୍ରତିଶଥ ହକ୍ ରହିଛି । ତେଣୁ ଏଭଳି ସ୍ଥିତିରେ ସରନେମ ପରିବର୍ତ୍ତନ ପୁର୍ଣ ଅଧିକାର ମଧ୍ୟ୍ୟ ରହିଛି ବୋଲି କୋର୍ଟ କହିଛନ୍ତି । ଯଦି ମହିଳା ଦ୍ଵିତୀୟ ବିବାହ କରନ୍ତି ତେବେ ସ୍ୱାମୀଙ୍କ ସାଙ୍ଗିଆ ଯାହା ରହିଥିଲା ସେହି ସାଙ୍ଗିଆ ସହ ନିଜ ସନ୍ତାନର ସାଙ୍ଗୀଆ ଭାବେ ରଖିପାରିବେ ।

    ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ କ୍ରୀଷ୍ନା ମୁରାରୀ ଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏକ ଏବେଦନ ଉପରେ ଶୁଣାଣୀ କରି ଏହି ରାୟ ଶୁଣାଇଛନ୍ତି । ଆନ୍ଧ୍ରପ୍ରେଦେଶ ହାଇକୋର୍ଟର ଏକ ଫଇସଲାକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ l ଆନ୍ଧ୍ରର ଜଣେ ମହିଳା ଳଳିତା ସ୍ବାମୀଙ୍କ ମୃତ୍ୟୁ ପରେ ଦ୍ଵିତୀୟ ବିବାହ କରିଥିଲେ ଓ ସ୍ବାମୀଙ୍କ ସାଙ୍ଗିଆକୁ ପିଲା ମାନଙ୍କ ସାଙ୍ଗିଆ ଭାବେ ବ୍ୟବହାର କରିଥିଲେ ।

    ଏହାକୁ ନେଇ ଳଳିତାଙ୍କ ପ୍ରଥମ ସ୍ୱାମୀର ଘର ଲୋକ ମାନେ ବିରୋଧ କରିଥିଲେ ଏ ନେଇ ଳଳିତା ଆନ୍ଧ୍ରପ୍ରଦେଶ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନ ଉପରେ ଶୁଣାଣୀ କରି ଆନ୍ଧ୍ର ହାଇକୋର୍ଟ କହିଥିଲେ ମହିଳା ଯଦି ଦ୍ଵିତୀୟ ବିବାହ କରିବେ ସ୍ୱାମୀଙ୍କ ସମସ୍ତ ରେକର୍ଡରେ ପ୍ରଥମ ପିଲାକୁ ସଉତୁଣୀ ପିଲା ଭାବେ ଦର୍ଶାଯିବ । କୋର୍ଟଙ୍କ ଏହି ଫଇସଲାକୁ ବିରୋଧ କରି ମହିଳା ସୁପ୍ରିମକୋର୍ଟ ରେ ଚ୍ୟାଲେଞ୍ଜ କରିଥିଲେ ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
  • ଚଳନ୍ତା କାର୍ ରେ ଦୁଷ୍କର୍ମ

    ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। କେନ୍ଦ୍ର ବା ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ମଧ୍ୟ ଦୁଷ୍କର୍ମ ଉପରେ ବ୍ରେକ୍ ଲାଗି ପାରୁନାହିଁ । ପୁଣି ଏକ ଲଜ୍ଜାଜନକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି ଉତ୍ତରାଖଣ୍ଡ ହରିଦ୍ୱାରରୁ । ମାଆ ଓ ୬ ବର୍ଷର ଝିଅକୁ ଚଳାନ୍ତା କାରରେ ଗଣଦୁଷ୍କର୍ମ କରାଯାଇଥିବା ଘଟଣା। ଏହି ଘଟଣାକୁ ପ୍ରାୟ ୪୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । କାର ଭିତରେ ୪ଜଣ ଦୁର୍ବୃତ୍ତ ମିଶି ଏହି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ସୋନୁ ଓ ତାର ସାଙ୍ଗମାନେ ଫେରାର୍ ଥିବା ସୂଚନା ଦେଇଛି ପୋଲିସ।

    ପୋଲିସ କହିବା ଅନୁସାରେ, ଶୁକ୍ରବାର ବିଳମ୍ୱିତ ରାତିରେ ମହିଳା ଓ ତାଙ୍କର ୬ ବର୍ଷର ଝିଅ ମିଶି ନିଜ ଘରକୁ ଫେରୁଥିବା ସମୟରେ କଲିୟାର ଅଞ୍ଚଳରେ ଏକ କାର୍ ଲିଫ୍ଟ ଦେବାକୁ କହି ମା ଓ ଶିଶୁ କନ୍ୟାକୁ ବଳତ୍କାର କରିଥିଲେ। ଅଭିଯୁକ୍ତମାନେ ଉଭୟଙ୍କୁ ଗଙ୍ଗାକେନାଲ କୂଳରେ ଫିଙ୍ଗିଦେଇ ଚାଲିଯାଇଥିଲେ।ଏହାପରେ ମହିଳା ଜଣକ ଯେକୌଣସି ପ୍ରକାରରେ ଥାନାରେ ପହଞ୍ଚି ଥାନାରେ ଏତଲା ଦେଇଥିଲେ। ଶିଶୁ କନ୍ୟାର ଅବସ୍ଥା ଗୁରୁତ୍ବପୂର୍ଣ୍ଣ ଥିବାରୁ ସ୍ଥାନୀୟ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ସମୟରେ ଶିଶୁଟିର ଅବସ୍ଥା ଅତ୍ୟନ୍ତ ଗମ୍ଭୀର ଥିଲା। ଡାକ୍ତର ଓ ସେଠାରେ ଥିବା ପୁଲିସ କର୍ମଚାରୀ ଶିଶୁଟିର ଅବସ୍ଥା ଦେଖି ଶିହରୀ ଉଠିଥିଲେ, ଅନେକଙ୍କ ଆଖିରେ ମଧ୍ୟ ଆସିଯାଇଥିଲା ଲୁହ। ତେବେ ୩ ଘଣ୍ଟାର ଅପରେସନ କରାଯାଇଥିଲା। ବର୍ତ୍ତମାନ ତାର ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ଏହି ମାମଲାରେ ପୋଲିସ ଶନିବାର ଦିନ ପୀଡିତା ମହିଳାଙ୍କ ବୟାନ ରେକର୍ଡ କରିଥିଲା। ଏନେଇ ପୋଲିସ ତଦନ୍ତ ଜାରି ରଖିଛି।

    ପୋଲିସ ଅଧିକ୍ଷକ ପ୍ରେମନ୍ଦ୍ର ଡୋଭାଲ କହିଛନ୍ତି ଯେ, ତଦନ୍ତରେ ପୋଲିସ ସକ୍ରୀୟ ଭାବେ ଜଡିତ ଅଛି। ଅନେକ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି। ଏହି ଘଟଣାରେ କିଛି ଗୁକୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ମିଳିଛି। ଅଭିଯୁକ୍ତ ସୋନୁକୁ ଧରିବାପାଇଁ ଅଞ୍ଚଳରେ ପୁରସ୍କାର ଘୋଷଣା କରାଯିବା ନେଇ ପ୍ରସ୍ତୁତି ଚାଲିଛି। ସୂଚନା ଦେବା ବ୍ୟକ୍ତିଙ୍କର ପରିଚୟ ଗୋପନୀୟ ରଖାଯିବ ବୋଲି ପୁଲିସ ଅଧିକ୍ଷକ କହିଛନ୍ତି।

    ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

  • ମମତାହୀନ ମା…

    ଏମିତି ଜଣେ ମାଆ। ଯାହା ପାଇଁ ନିଜର ମମତା ବଡ଼ ହେଲାନି। ବରଂ ଲୋଭ ବଳିଗଲା। ନିଜର ନାବାଳିକା ଝିଅର ଏଗ୍ ଡୋନେଟ୍ କରି ଅର୍ଥ କମାଇବାର ନିଶା ଏମିତି ଘାରିଥିଲା କି। ଯିଏ ଶୁଣୁଛି ତାଜୁବ୍ ହୋଇଯାଉଛି। ଆଉ ସାବତ ବାପା ତ ସୈତାନ ଓ ନରପିଶାଚ ପାଲଟିଯାଇଥିଲା। ତାମିଲନାଡୁରୁ ଆସିଥିବା ଏହି ଖବର ଯାହା କାନରେ ପଡ଼ୁଛି। ସେ ବିଶ୍ୱାସ କରିପାରୁନି। ମାଆର ମାନବିକତାକୁ ଧିକ୍ କରୁଛି ତ ସାବତ ବାପାର କୁକର୍ମ ଶୁଣିଲେ ଛି ଛି କରୁଛି।


    ମା ଜବରଦସ୍ତି କରୁଥିଲା। ଆଉ ବାପା ଜୁଲୁମ୍ କରୁଥିଲା। ଜୋର୍ ଜୁଲୁମ ଯେଉଁଥିଲାଗି କରାଯାଉଥିଲା ନାବାଳିକାଟି ପ୍ରତି। ଶୁଣିଲେ ଲୋମ ଟାଙ୍କୁରି ଯିବ। ଏମିତି ବାପା ମାଆ କାହାକୁ ନ ମିଳୁ। ତାମିଲନାଡୁର ଏରୋଡରେ ଜଣେ ୧୬ ବର୍ଷୀୟା ନାବାଳିକାଟି ନିଜ ମାଆ ଓ ସାବତ ବାପାର କଷଣ ଏମିତି ସହିଥିଲା। ଯାହାକୁ ବର୍ଣ୍ଣନା ପାଇଁ ଶବ୍ଦ ବି କମ୍ ପଡ଼ିଯିବ। ଏରୋଡରେ ଥିବା ଏକ ଘରୋଇ କ୍ଲିନିକରେ ଝିଅଟିକୁ ଏଗ୍ ଡୋନେଟ୍ କରିବାକୁ ମା ଚାପ ପକାଇ କାମ ହାସଲ କରୁଥିଲା। ଥରେ ନୁହେଁ। ଆଠ ଆଠ ଥର ଏଗ୍ ଡୋନେଟ କରାଇଥିଲା ମା। ଝିଅ ଯେତେ ନେହୁରା ହେଲେ ବି ବିଲକୁଲ ଶୁଣୁନଥିଲା ମା। କାରଣ ତାକୁ ଘାରିଥିଲା ଅର୍ଥ ଲୋଭ। ଅର୍ଥ ଲୋଭ ଆଗରେ ଯେମିତି ମମତା ତୁଛ ହୋଇଯାଇଥିଲା।

    ମାଆର ଜୁଲୁମ ନିଷ୍ଠୁରତାର ସୀମା ଡେଇଁଥିଲା ବେଳେ ସାବତ ବାପା ବା କାହିଁକି ପଛରେ ପଡ଼ିଥାଆନ୍ତା। ଗଲା ୫ ବର୍ଷ ଭିତରେ ଅନେକ ଥର ଦୁଷ୍କର୍ମ କରିଥିଲା ନାବାଳିକାଟିକୁ ସାବତ ବାପା। ତେବେ ଘରୁ କୌଶଳକ୍ରମେ ଫେରାର୍ ହୋଇ ସମ୍ପର୍କୀୟଙ୍କ ଆଗରେ ନିଜର ଦୁଃଖ ବଖାଣିବା ପରେ ଏକଥା ପଦାକୁ ଆସିଥିଲା। ଥାନାରେ ମାଆ, ସାବତ ବାପାଙ୍କ ସମେତ ଆଉ ଜଣେ ମହିଳାଙ୍କ ନାଁରେ ସଙ୍ଗୀନ ଆରୋପ ଆଣିବା ପରେ ତିନି ଜଣଙ୍କୁ ବାନ୍ଧିଛି ପୁଲିସ। ନାବାଳିକାର ମାଆ ପ୍ରଥମ ସ୍ୱାମୀଙ୍କଠୁ ଅଲଗା ହୋଇଥିବା ବେଳେ ପରେ ଆଉ ଜଣଙ୍କୁ ବିବାହ କରିଥିଲେ। ଉଭୟ ସ୍ୱାମୀ ସ୍ତ୍ରୀ ମିଶି ଝିଅକୁ ମାଡ ମାରିବା ସହ ଫର୍ଟିଲିଟି କେନ୍ଦ୍ରରେ ଏଗ୍‌ ଡୋନେଟ କରିବାକୁ ବାଧ୍ୟ କରୁଥିଲେ।

    ସାବତ ବାପା ଅନ୍ୟ ଏକ ମହିଳାଙ୍କ ସହ ମିଶି ଝିଅକୁ ପ୍ରାଇଭେଟ୍ କ୍ଲିନିକକୁ ନେଇ ଡୋନେଟ କରିବାକୁ ବାଧ୍ୟ କରୁଥିବା ପୋଲିସ ତଦନ୍ତରୁ ଜଣାପଡିଛି। ସେପଟେ ଦ୍ୱିତୀୟ ଅଭିଯୁକ୍ତ ମହିଳା ନାବାଳିକାର ଏକ ନକଲି ଆଧାର କାର୍ଡ ତିଆରି କରି ୫ ହଜାର କମିଶନ ନେଇଥିଲେ। ଏପଟେ ନାବାଳିକାର ଏଗ୍‌କୁ ୨୦ ହଜାର ଟଙ୍କାରେ ଅଭିଯୁକ୍ତ ମାଆ ବିକ୍ରି କରିଥିବା ଜଣାପଡିଛି। ପୋଲିସ ଏହି ଘଟଣାରେ ପୋକ୍ସୋ ଆକ୍ଟ , ଆଇପିସି ଧାରା ୪୨୦ ଏବଂ ୫୦୬ରେ ଅପରାଧିକ ମାମଲା ରୁଜୁ କରି ତଦନ୍ତ କରୁଛି। ପୀଡିତାର ୩୩ ବର୍ଷୀୟା ମାଆ, ୪୦ ବର୍ଷୀୟ ସାବତ ବାପା ଏବଂ ଅନ୍ୟ ଜଣେ ମହିଳା ଥିବା ଜଣାପଡିଛି।

    ସେମାନଙ୍କୁ ସାଲେମ ସେଣ୍ଟ୍ରାଲ ଜେଲରେ ରଖାଯାଇଛି। ବାପା ମାଆ ଉଭୟ ମିଶି ନିଜ ଝିଅକୁ ଜୋର ଜବରଜସ୍ତି କରି ଏଗ ଡୋନେଟ କରିବା ଖବର ଏବେ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନାବାଳିକା ଜଣକ ନିର୍ଯାତନାର ଶିକାର ହୋଇ ଗତ ମେ ମାସରେ ଘରୁ ଫେରାର ହୋଇ ସାଲେମରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇ କାନ୍ଦି କାନ୍ଦି ଏ ସମସ୍ତ ବିଷୟରେ ଜଣାଇଥିଲା। ପରେ ଏନେଇ ଝିଅର ମାଆ ଏବଂ ଅନ୍ୟ ଦୁଇ ଜଣ ସାଲେମକୁ ଆସି ଝିଅକୁ ଝମକ ଦେବା ସହ ଏରୋଡକୁ ନେଇ ଯାଇଥିଲେ। ସେପଟେ ଘଟଣା ବିଷୟରେ ଝିଅର ସମ୍ପର୍କୀୟମାନେ ଏରୋଡ ସାଉଥ ପୋଲିସ ଥାନାରେ ନାବାଳିକାର ମାଆ ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ।

    ସେହିଦିନ ପୋଲିସ ଘଟଣାର ତଦନ୍ତ କରି ଗିରଫ କରିବାରେ ସଫଳ ହୋଇଥିଲା। ତେବେ ଏହି ଘଟଣାରେ ମେଡିକାଲ ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟର ଏକ ଟିମ୍ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ନାବାଳିକାର ଗତ ୫ ବର୍ଷ ଭିତରେ ବିଭିନ୍ନ ଫର୍ଟିଲିଟି କେନ୍ଦ୍ରରେ ଏଗ୍‌ ବିକ୍ରି ପାଇଁ ବାଧ୍ୟ କରାଯାଇଛି। ଚିକିତ୍ସା ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟ ସେବାର ଯୁଗ୍ମ ନିର୍ଦ୍ଦେଶକ ଏ ବିଶ୍ୱନାଥଙ୍କ ନେତୃତ୍ୱାଧୀନ ଟିମ୍‌ ଜୁନ୍‌ ୬ରେ ନାବାଳିକାର ବୟାନକୁ ରେକର୍ଡ କରିଛନ୍ତି।

    ଏହାସହ ଅଧିକାରୀମାନେ ମଧ୍ୟ ଏରୋଡରେ ଦୁଇଟି ଘରୋଇ ଡାକ୍ତରଖାନା ଏବଂ ସାଲେମର ଦୁଇଟି ଘରୋଇ ଡାକ୍ତରଖାନାକୁ ଯାଞ୍ଚ କରିଛନ୍ତି। ଅନ୍ୟପଟେ ରାଜ୍ୟର ଅନ୍ୟ ଫର୍ଟିଲିଟି କେନ୍ଦ୍ରରେ ଯାଞ୍ଚ ଚାଲିଛି। ସେପଟେ ଏହି ଘଟଣାରେ ଯଦି କୌଣସି ଡାକ୍ତରଖାନାର ହାତ ଥିବ ତେବେ ସେନେଇ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି କହିଛନ୍ତି ଅଧିକାରୀମାନେ। ସେହିପରି ଡାକ୍ତରଙ୍କ ଭୂମିକା ସମ୍ପର୍କରେ ମଧ୍ୟ ଅନୁସନ୍ଧାନ କରାଯିବ।

    • ପ୍ରଦୀପ ନାୟକ ଓ ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
Back to top button